ଜୁନ୍ ପରେ ପୁଣି ଋଣ ଦେବ ଆହ୍ଲାବାଦ ବ୍ୟାଙ୍କ

୨୦୧୯ ସୁଦ୍ଧା ପିସିଏରୁ ମୁକୁଳିବ, ସରକାରଙ୍କୁ ମାଗିଛି ୪୦୦୦ କୋଟି

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଆହ୍ଲାବାଦ ବ୍ୟାଙ୍କର ଋଣ ଆବଣ୍ଟନ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ କରିଛନ୍ତି। ଏହାକୁ ପ୍ରମ୍ପଟ୍‌ କରେକ୍ଟିଭ୍ ଆକ୍ସନ୍ (ପିସିଏ)ରେ ସାମିଲ କରିଥିବାରୁ ଏହା ଋଣ ପ୍ରଦାନ କରିପାରୁନାହିଁ। ୨୦୧୯ ଜୁନ୍ ସୁଦ୍ଧା ବ୍ୟାଙ୍କ ପିସିଏ ଫ୍ରେମ୍‌ୱର୍କରୁୂ ବାହାରିବା ପାଇଁ କାମ କରୁଛି। ଭୁବନେଶ୍ବର ଗସ୍ତରେ ଆସିଥିବା ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ସିଇଓ ସିଏଚ୍‌ଏସ୍‌ଏସ୍‌ ମଲ୍ଲିକାର୍ଜୁନ ରାଓ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବେସେଲ୍‌-୩ ପାଣ୍ଠି ନିୟମ ଅନୁଯାୟୀ ଆମକୁ ୫୫୦୦ କୋଟି ଟଙ୍କାର ଟାଏର-୧ ପାଣ୍ଠି ଦରକାର। ଆମେ ସରକାରଙ୍କୁ ୪୦୦୦ କୋଟି ଟଙ୍କା ମାଗିଛୁ। ଏହା ବ୍ୟତୀତ ଆଦାୟ ହୋଇପାରୁନଥିବା ୧୬ ହଜାର କୋଟି ଟଙ୍କାର ଋଣ କିଭଳି ଶୀଘ୍ର ଆଦାୟ ହେବ ସେଥିପ୍ରତି ଗୁରୁତ୍ବ ଦେଉଛୁ। ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ପିସିଏରୁ ଆହ୍ଲାବାଦ ବ୍ୟାଙ୍କ ନିଶ୍ଚିତ ବାହାରି ଆସିବ ବୋଲି ସେ କହିଛନ୍ତି। ଥରେ ପିସିଏରୁ ବାହାରିବା ପରେ ଖୁଚୁରା ଋଣ ଆବଣ୍ଟନ ଓ କାସା ଜମା ଆଦାୟ ଉପରେ ବ୍ୟାଙ୍କ ବିଶେଷ ଗୁରୁତ୍ବ ଦେବ ବୋଲି ସେ କହିଛନ୍ତି। ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବା ପରେ ବ୍ୟାଙ୍କ ସାଧାରଣ ଭାବେ ଋଣ ଆବଣ୍ଟନ କରିବ। ତିନି ବର୍ଷ ହେଲାଣି ଆହ୍ଲାବାଦ ବ୍ୟାଙ୍କ କ୍ଷତିରେ ଚାଲିଛି। ଏହାର ନିଟ୍ ଏନ୍‌ପିଏ ପରିମାଣ ୭.୩୨% ରହିଛି। ଇସ୍ପାତ, ଶକ୍ତି ଓ ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାଙ୍କ ଦେଇଥିବା ଋଣ ଫସିଯିବା ପରେ ଏହାର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି।

ଆଦାୟ ହୋଇପାରୁନଥିବା ଋଣ ଆଦାୟ କରିବାର କୌଣସି ସୁଯୋଗକୁ ବ୍ୟାଙ୍କ ହାତ ଛଡ଼ା କରୁନାହିଁ। ଚଳିତ ବର୍ଷ ଏପ୍ରିଲ୍‌-ଜୁନ୍ ତିନି ମାସରେ ଏହା ୯୦୦ କୋଟି ଟଙ୍କାର ଋଣ ଅର୍ଥ ଆଦାୟ କରିଛି। ସେହିପରି ଭୂଷଣ ଷ୍ଟିଲ ବିକ୍ରିରୁ ଏହା ୧୩୦୦ କୋଟି ଟଙ୍କା ପାଇଛି। ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି)ରେ ୬୭ଟି କଂପାନି ବିରୋଧରେ ମାମଲା ଦାୟର କରାଯାଇଛି। ଏହି ସବୁ ମାମଲାର ସମାଧାନ ହୋଇଗଲେ ଆହ୍ଲାବାଦ ବ୍ୟାଙ୍କକୁ ୭୭୦୦ କୋଟି ଟଙ୍କା ମିଳିଯିବ ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଏହି ଟଙ୍କା ମିଳିଯିବ ବୋଲି ଆହ୍ଲାବାଦ ବ୍ୟାଙ୍କ ଆଶା ରଖିଛି।ଉଲ୍ଲେଖଯୋଗ୍ୟ, ଦେଶର ୧୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ପିସିଏ ଅଧୀନରେ ରଖିଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ଆହ୍ଲାବାଦ ବ୍ୟାଙ୍କ। ସବୁ ବ୍ୟାଙ୍କର ଋଣ ଆବଣ୍ଟନ ଉପରେ କଟକଣା ଲଗାଯାଇଛି।

ସମ୍ବନ୍ଧିତ ଖବର