ଦେବଦେବୀଙ୍କୁ ଆମାଜନ୍‌ର ଅପମାନ: ପାଇଖାନା ସିଟ୍ କଭର, ଜୋତାରେ ଛବି

ମୁମ୍ବାଇ: ବିଶ୍ବର ସର୍ବବୃହତ୍ ଅନଲାଇନ୍ ରିଟେଲର ଆମାଜନ୍ ଏବେ ଭାରତରେ ଅଡ଼ୁଆରେ ପଡ଼ିଯାଇଛି। ଏହି କମ୍ପାନି ବିକ୍ରି କରୁଥିବା ଟଏଲେଟ୍ ସିଟ୍ କଭର ଏବଂ ଜୋତାରେ ହିନ୍ଦୁ ଦେବଦେବୀଙ୍କ ଛବି ରହିଛି। ଏହାକୁ ସୋସିଆଲ ମିଡିଆରେ ଭାରତୀୟମାନେ ତୀବ୍ର ବିରୋଧ କରିଛନ୍ତି। ଆମାଜନକୁ ବ୍ୟବହାର ନକରିବା ପାଇଁ ବ୍ୟବହାରକାରୀମାନେ ଆହ୍ବାନ ଦେଇଛନ୍ତି। ଏଥିସହିତ ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟ୍ବିଟର ବ୍ୟବହାରକାରୀମାନେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଅନୁରୋଧ କରିଛନ୍ତି। ବର୍ଜନ କର ଏବେ ଟ୍ବିଟରରେ ପ୍ରମୁଖ ଧାରା ହୋଇଛି। କେତେକ ଟ୍ବିଟର ବ୍ୟବହାରକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଟ୍ୟାଗ୍ କରି ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଆମାଜନର ଆମେରିକା ୱେବସାଇଟରେ ପାଇଖାନା ସିଟ୍ କଭର, ଯୋଗ ମ୍ୟାଟ, ଚପଲ ଏବଂ ଅନ୍ୟ କେତେକ ସାମଗ୍ରୀରେ ହିନ୍ଦୁ ଦେବଦେବୀ ଏବଂ ହିନ୍ଦୁଧର୍ମର ପ୍ରତୀକ ସ୍ଥାନ ପାଇଛି। ତେବେ କେତେକ ସାମଗ୍ରୀ ଏବେ ବିକ୍ରି ପାଇଁ ଉପଲବ୍ଧ ହେଉନାହିଁ। ତେଣୁ କମ୍ପାନି ୨୦୧୭ରେ ଯେଭଳି ଏହାର ସାଇଟ୍‌ରୁ ସାମଗ୍ରୀକୁ ପ୍ରତ୍ୟାହାର କରି ନେଇଥିଲା ଏବେ ତାହା କରିଛି ବୋଲି ଅନୁମାନ କରାଯାଉଛି।

ତେବେ ଏ ନେଇ ‌ଆମାଜନର ପ୍ରତିକ୍ରିୟା ମିଳିପାରିନାହିଁ।
ଏଠାରେ ମନେ ପକାଇ ଦିଆଯାଇପାରେ ଯେ ୨୦୧୭ରେ ଏହି କମ୍ପାନି କାନାଡ଼ାରେ ଭାରତୀୟ ତ୍ରିରଙ୍ଗା ସଦୃଶ ପାଦପୋଛା ବିକ୍ରି କରିଥିଲା। ଏହା ଭାରତ ସରକାରଙ୍କ ନଜରକୁ ଆସିଥିଲା। ଏହାପରେ ଭାରତ ସରକାର କମ୍ପାନିକୁ ଚେତାବନୀ ଦେଇଥିଲେ। ଏପରିକି କମ୍ପାନି ଏହାର ୱେବସାଇଟ୍‌ରୁ ଏଭଳି ସାମଗ୍ରୀକୁ ପ୍ରତ୍ୟାହାର ନକଲେ କର୍ମଚାରୀଙ୍କ ଭିସା ପ୍ରତ୍ୟାହାର କରି ନିଆଯିବ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର