ଆମ୍ବିଟ୍‌ର ଆକଳନ: ଆସନ୍ତା ବର୍ଷ ୭% ଅଭିବୃଦ୍ଧି ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପାଣ୍ଠି ପ୍ରଦାନ କରିବା ପାଇଁ ଯେଉଁ ବୃହତ ଯୋଜନା ଘୋଷଣା କରିଛନ୍ତି ତାହା ଦ୍ୱାରା ଦେଶରେ ଋଣ ପ୍ରଦାନ ପରିମାଣ ବଢ଼ିବ। ବ୍ୟାଙ୍କଗୁଡ଼ିକ ପାଖରେ ଅଧିକ ପାଣ୍ଠି ରହିଲେ ସେମାନେ ଅଧିକ ଟଙ୍କା ଋଣ ଆକାରରେ ପ୍ରଦାନ କରିପାରିବେ। ଏହାର ପ୍ରଭାବରେ ୨୦୧୮-୧୯ରେ ଦେଶର ଅଭିବୃଦ୍ଧି ୭% ହେବ ବୋଲି ଆକଳନ କରାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପ୍ରସ୍ତାବକୁ ନିକଟରେ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରି ପ୍ରଦାନ କରାଯାଇଥିଲା। ଦୁଇ ବର୍ଷ ଭିତରେ ଏହି ପାଣ୍ଠି ବ୍ୟାଙ୍କଗୁଡ଼ିକୁ ମିଳିବ। ମୋଟ ପାଣ୍ଠି ମଧ୍ୟରୁ ୧୮,୧୩୯ କୋଟି ଟଙ୍କା ବଜେଟ୍‌ ସହାୟତା ଭାବେ ପ୍ରଦାନ କରାଯିବ। ସରକାର ୮୫,୦୦୦ କୋଟି ଟଙ୍କା ବଜାରରୁ ହାସଲ କରିବେ ଏବଂ ବଳକା ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ଜରିଆରେ ହାସଲ କରାଯିବ। ୨୦୧୮-୧୯ରେ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ ଅଭିବୃଦ୍ଧି ହାର ୮% ସ୍ତରରେ ରହିବ ବୋଲି ପୂର୍ବରୁ ଆକଳନ କରିଥିବା ବ୍ରୋକ୍‌ରେଜ୍‌ ସଂସ୍ଥା ଆମ୍ବିଟ୍‌ କ୍ୟାପିଟାଲ୍‌ ଏହାର ଆକଳନକୁ ବଦଳାଇ ଏବେ କହିଛି ଯେ ବ୍ୟାଙ୍କଗୁଡ଼ିକୁ ଅଧିକ ପାଣ୍ଠି ମିଳିବାକୁ ଥିବାରୁ ଆଲୋଚ୍ୟ ବର୍ଷରେ ଋଣ ଅଭିବୃଦ୍ଧି ହାର ୧୨-୧୫% ଭଳି ସ୍ତରରେ ପହଞ୍ଚିବ। ସଂସ୍ଥାଗୁଡ଼ିକୁ ଅଧିକ ଋଣ ମିଳିଲେ ଶିଳ୍ପ ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ତ୍ୱରାନ୍ଵିତ ହେବ। ୨୦୧୮-୧୯ରେ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୭.୩% ରହିବ ବୋଲି ଆକଳନ କରାଯାଇଛି। କୃଷି କ୍ଷେତ୍ରର ଅଭିବୃଦ୍ଧି ୪.୨% ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇବ ବୋଲି ଆମ୍ବିଟ୍‌ କ୍ୟାପିଟାଲ୍‌ ଆକଳନ କରିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସରକାର ପାଣ୍ଠି ସହାୟତା ପ୍ରଦାନ କରିବା ଖବର ପ୍ରକାଶ ପାଇବା ପରେ ବ୍ୟାଙ୍କଗୁଡ଼ିକର ସେୟାର ମୂଲ୍ୟ ବହୁତ ବଢ଼ିଯାଇଛି। ନିବେଶକମାନେ ବ୍ୟାଙ୍କଗୁଡ଼ିକର ସେୟାର କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ଅନ୍ୟ କିଛି ବିଶେଷଜ୍ଞ କହୁଛନ୍ତି ଯେ ବ୍ୟାଙ୍କଗୁଡ଼ିକୁ କେବଳ ପାଣ୍ଠି ପ୍ରଦାନ କଲେ ଅଧିକ କିଛି ଲାଭ ହେବ ନାହିଁ। ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିବାରେ ଉନ୍ନତି ଆଣିବା ଦରକାର ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର