ଆମେରିକା-ଚୀନ୍‌ ବାଣିଜ୍ୟ ଯୁଦ୍ଧ ବଢ଼ିଲା

ବେଜିଂ : ଆମେରିକା ଓ ଚୀନ୍‌ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦୁଇ ଦେଶ ପରଷ୍ପର ଉପରେ ଚଢ଼ା ଦରର ଟିକସ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି। ଆମେରିକା ପ୍ରଥମେ ଏହି ଲଢ଼େଇ ଆରମ୍ଭ କରିଥିଲା। ଚୀନ୍‌ର ୧୩୦୦ ସାମଗ୍ରୀ ଉପରେ ଏହା ୨୫% ଟିକସ ଲଗାଇଥିଲା। ଏହାର କିଛି ଦିନ ପରେ ଚୀନ୍‌ ଜବାବ ଦେଇଛି। ଆମେରିକାର ୧୦୬ଟି ଉତ୍ପାଦ ଉପରେ ଏହା ଅତିରିକ୍ତ ୨୫% ଟିକସ ଲଗାଇବ ବୋଲି ଘୋଷଣା କରିଛି। ବିଶ୍ୱର ଦୁଇ ପ୍ରମୁଖ ଆର୍ଥିକ ମହାଶକ୍ତି ମଧ୍ୟରେ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ଲଢ଼େଇ ସମଗ୍ର ବିଶ୍ୱର ଷ୍ଟକ ବଜାରକୁ ଦୋହଲାଇଦେଇଛି। ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଦେଉଛନ୍ତି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧରେ ଉଭୟ ପକ୍ଷ କ୍ଷତି ସହିବେ। କିନ୍ତୁ ଏହି ଯୁଦ୍ଧ କେତେ ଦିନ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ କାହାର ପରାଜୟ ହେବ ତାହା ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ।

ବିବାଦର କାରଣ
ଚୀନ୍‌ ସହିତ ଆମେରିକାର ବାଣିଜ୍ୟ ନିଅଣ୍ଟ ୩୭୫.୨ ବିଲିଅନ୍‌ ଡଲାର ରହିଛି। ଏହାକୁ ଆମେରିକା ସହଜରେ ଗ୍ରହଣ କରିପାରୁନାହିଁ। ଆମେରିକାକୁ ଚୀନ୍‌ ଅଧିକ ସାମଗ୍ରୀ ରପ୍ତାନି କରି ଲାଭବାନ ହେଉଛି। ଏହାକୁ ଦୃଷ୍ଟିରେ ରଖି ଚୀନ୍‌ର ପ୍ରମୁଖ ସାମଗ୍ରୀ ଉପରେ ଆମେରିକା ଅଧିକ ଟିକସ ଲଗାଇଥିଲା। ଏହାର ଜବାବରେ ଆମେରିକାର ପ୍ରମୁଖ ସାମଗ୍ରୀଗୁଡ଼ିକ ଉପରେ ଚୀନ୍‌ ଚଢ଼ା ଦରର ଟିକସ ଲାଗୁ କରିବାକୁ ଘୋଷଣା କରିଛି।

କିଏ କ’ଣ କରିଛନ୍ତି
ଚୀନ୍‌ର ଏଲ୍‌ଇଡିଠାରୁ ଆରମ୍ଭ କରି ରାସାୟନିକ ପଦାର୍ଥ ଓ ମେସିନ୍‌ ପାର୍ଟସ୍‌ଗୁଡ଼ିକ ଉପରେ ଆମେରିକା ଅଧିକ ଟିକସ ଲାଗୁ କରିଛି। ସେହିପରି ଚୀନ୍‌ ପକ୍ଷରୁ ଆମେରିକାର ସୋୟାବିନ୍‌, ବିମାନ, ମଦ ଓ ରାସାୟନିକ ପଦାର୍ଥ ଉପରେ ଅଧିକ ଟିକସ ଲାଗୁ କରାଯାଇଛି। ଉଭୟ ଦେଶ ଏହି ସବୁ ସାମଗ୍ରୀର ରପ୍ତାନି କରି ଲାଭବାନ ହେଉଥିଲେ।

କାହାର କ’ଣ କ୍ଷତି ହେବ
ଚୀନ୍‌ର ରପ୍ତାନି ଉପରେ ଆମେରିକାର ୧.୮ ନିୟୁତ ଚାକିରି ନିର୍ଭର କରୁଛି। ଯଦି ଚୀନ୍‌ରୁ ରପ୍ତାନି ହ୍ରାସ ପାଇବ କିମ୍ବା ବନ୍ଦ ହୋଇଯିବ ତେବେ ଆମେରିକାର ଏହି ସବୁ ଚାକିରି ପ୍ରତି ବିପଦ ସୃଷ୍ଟି ହେବ। ସେହିପରି ଚୀନ୍‌ର ଅନେକ କଂପାନି ଆମେରିକୀୟ କଂପାନିଗୁଡ଼ିକର ପ୍ରଯୁକ୍ତି ଉପରେ ନିର୍ଭରଶୀଳ। ଯଦି ନୂତନ ପ୍ରଯୁକ୍ତି ସେମାନଙ୍କୁ ମିଳିବନି ତେବେ ପ୍ରତିଦ୍ୱନ୍ଦ୍ୱୀତାରେ ତିଷ୍ଠି ରହିବା ସେମାନଙ୍କ ପାଇଁ ସହଜ ହେବନି।

ସମ୍ବନ୍ଧିତ ଖବର