ଭାରତ ବିରୋଧରେ ଡବ୍‌ଲ୍ୟୁଟିଓ ଯିବ ଆମେରିକା

ଜେନେଭା: ସୌର ଶକ୍ତି ଉପରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍‌୍‌ଲ୍ୟୁଟିଓ) ଯେଉଁ ରାୟ ପ୍ରଦାନ କରିଥିଲା ତାହା ପାଳନ କରିବାରେ ଭାରତ ବିଫଳ ହୋଇଛି। ଏ ନେଇ ଯୁକ୍ତରାଷ୍ଟ୍ର ଆମେରିକା ଆଗାମୀ ମାସରେ ଡବ୍‌ଲ୍ୟୁଟିଓର ବିବାଦ ସମାଧାନ ସଂସ୍ଥା ନିକଟରେ ଅଭିଯୋଗ କରିବ। ଯଦି ଏଭଳି ହେବ ତେବେ ପୁଣି ଥରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ବିବାଦ ଦେଖାଦେବ।କୋଇଲା ଓ ତୈଳ ଉପରେ ନିର୍ଭରଶୀଳତା କମ୍‌ ହେଉଥିବା ବେଳେ ବ୍ୟବସାୟ ପାଇଁ ଅକ୍ଷୟ ଶକ୍ତିର ଗୁରୁତ୍ୱ ବହୁତ ବଢ଼ିଯାଇଛି। ବିକଶିତ ରାଷ୍ଟ୍ରଗୁଡ଼ିକ ଅକ୍ଷୟ ଶକ୍ତି ବ୍ୟବସାୟରେ ବଡ଼ ଭାଗ ହାସଲ କରିବାକୁ ଉଦ୍ୟମ କରୁଛନ୍ତି।

ଭାରତ ସରକାର ୨୦୧୧ରେ ଜାତୀୟ ସୌର କାର୍ଯ୍ୟକ୍ରମ ଉନ୍ମୋଚନ କରିଥିଲେ। ବିନା ପ୍ରଦୂଷଣରେ ଶକ୍ତି ଅଭାବ ଦୂର କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ମାତ୍ର ଭାରତର ଏହି କାର୍ଯ୍ୟକ୍ରମ ବିରୋଧରେ ଆମେରିକା ଡବ୍‌ଲ୍ୟୁଟିଓରେ ଅଭିଯୋଗ କରିଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ଭାରତ ପକ୍ଷପାତିତା କରୁଛି ବୋଲି ଆମେରିକା ଅଭିଯୋଗ କରିଥିଲା। ୨୦୧୧ ପରଠାରୁ ଭାରତକୁ ଆମେରିକାର ସୌର ଶକ୍ତି ଯନ୍ତ୍ରାଂଶ ରପ୍ତାନି ୯୦% କମିଯାଇଛି। ଭାରତ ବିରୋଧରେ ଆମେରିକା ଡବ୍‌ଲ୍ୟୁଟିଓରେ ଯେଉଁ ମାମଲା ଦାୟର କରିଥିଲା ସେଥିରେ ଗତବର୍ଷ ବିଜୟ ହାସଲ କରିଥିଲା। ଭାରତର ସୌର କାର୍ଯ୍ୟକ୍ରମରେ ଭାରତ ପ୍ରସ୍ତୁତ ସେଲ୍‌କୁ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଥିଲା। ସେହି ସର୍ତ୍ତକୁ ଆମେରିକା ବିରୋଧ କରୁଥିଲା। ଏଭଳି ସର୍ତ ଜରିଆରେ ଭାରତ ବାଣିଜ୍ୟିକ ନିୟମ ଉଲ୍ଲଘଂନ କରିଛି ବୋଲି ଡବ୍‌ଲ୍ୟୁଟିଓ ରାୟ ଦେଇଥିଲା। ସ୍ଥାନୀୟ ସାମଗ୍ରୀ ବ୍ୟବହାର କରିବାକୁ ବାଧ୍ୟ କରିବାର ଅର୍ଥ ହେଉଛି ବିଦେଶୀ କଂପାନିଗୁଡ଼ିକ ତୁଳନାରେ ସ୍ଥାନୀୟ କଂପାନିଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ବୋଲି ଡବ୍‌ଲ୍ୟୁଟିଓ ବିଚାରପତି କହିଥିଲେ।

ଡବ୍‌ଲ୍ୟୁଟିଓର ନିର୍ଦେଶକୁ ଭାରତ ପାଳନ ନାହିଁ ବୋଲି ଆମେରିକାର ସନ୍ଦେହ ହେଉଛି। ସେଥିପାଇଁ ଆମେରିକା ଭାରତ ବିରୋଧରେ ପୁଣି ମାମଲା ଦାୟର କରିବ। ଯଦି ଭାରତ ଏଥିରେ ହାରିଯିବ ତେବେ ଆମେରିକା ପକ୍ଷରୁ ଭାରତ ଉପରେ ଅର୍ଥନୈତିକ କଟକଣା ଲାଗୁ କରିବା ପାଇଁ ଡବ୍‌ଲ୍ୟୁଟିଓର ଅନୁମତି ମଗାଯିବ ବୋଲି ଆଲୋଚନା ହେଉଛି। କିନ୍ତୁ ଏଭଳି ହେବା ପାଇଁ ବହୁତ ସମୟ ଲାଗିବ। କାରଣ ଡବ୍‌୍‌ଲ୍ୟୁଟିଓର ଯେଉଁ ଜଟିଳ ଶୁଣାଣି ପ୍ରକ୍ରିୟା ରହିଛି ସେହି ଅନୁସାରେ ଶୁଣାଣି ଆଗକୁ ବଢ଼ିଲେ କୌଣସି ପ୍ରକାର ନିଷ୍ପତ୍ତି ନେବା ପାଇଁ ଦୀର୍ଘ ସମୟ ଲାଗିଯିବ।

ସମ୍ବନ୍ଧିତ ଖବର