ଆମେରିକା ପ୍ରତି ଭାରତ ନରମ, ଆମଦାନି ଶୁଳ୍କ ଲାଗୁ ପୁଣି ଘୁଞ୍ଚିଲା

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଚାଲିଥିବା ବିଣିଜ୍ୟିକ ବିବାଦ ପ୍ରସଙ୍ଗରେ ଭାରତ ନରମ ମନୋଭାବ ପୋଷଣ କରିଛି। ଭାରତରୁ ରପ୍ତାନି ହେଉଥିବା ଆଲୁମିନିୟମ ଓ ଇସ୍ପାତ ଉପରେ ଆମେରିକା ଅଧିକ ମାତ୍ରାରେ ସୀମା ଶୁଳ୍କ ଆଦାୟ କରୁଥିବାରୁ ଯେସାକୁ ତେସା ନୀତିରେ ଭାରତ ଆମେରିକାରୁ ଆସୁଥିବା ୨୯ଟି ସାମଗ୍ରୀ ଉପରେ ଅଧିକ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ବହୁ ପୂର୍ବରୁ ଏ ନେଇ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ବାରମ୍ବାର ଏ ନେଇ ତାରିଖ ଘୁଞ୍ଚାଯାଉଛି। ଏପ୍ରିଲ ପହିଲାରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହେବାକୁ ଥି‌ବାବେଳେ ଏବେ ଭାରତ ଏହାକୁ ମେ ୨ ତାରିଖକୁ ଘୁଞ୍ଚାଇ ଦେଇଛି। ୨୦୧୮ ଜୁନଠାରୁ ଭାରତ ଏହି ତାରିଖକୁ ପ୍ରାୟ ୬ ଥର ଘୁଞ୍ଚାଇଲାଣି। ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କରେ ସୁଧାର ଆଣିବା ପାଇଁ ଭାରତ ସରକାର ଆସନ୍ତାମାସରେ ଏକ ବାଣିଜ୍ୟ ପ୍ରତିନିଧି ମଣ୍ଡଳୀ ଆମେରିକାକୁ ପଠାଇବା ଉପରେ ବିଚାର କରୁଛି। ଦ୍ବିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଆମେରିକା ଲଗାଇଥିବା ଉଚ୍ଚ ଶୁଳ୍କକୁ କମାଇବା ସହିତ ଜିଏସପି ଯୋଜନାକୁ ବଳବତ୍ତର ରଖିବା ଏବଂ କୃଷି, ଅଟୋମୋବାଇଲ, ଇଞ୍ଜିନିୟରିଂ ସାମଗ୍ରୀ ପାଇଁ ତାହାର ବଜାରକୁ ଖୋଲା ରଖିବା ପାଇଁ ଭାରତ ଦାବି କରୁଛି। ଅନ୍ୟପକ୍ଷରେ ଆମେରିକା ମଧ୍ୟ ତା ଦେଶର କମ୍ପାନି ଗୁଡ଼ିକ ଭାରତକୁ କରୁଥିବା ରପ୍ତାନି ଉପରୁ ଭାରତ କମ୍ ଶୁଳ୍କ ଆଦାୟ କରିବା ସହିତ ଅଧିକ ବଜାର ସୁବିଧା ଦାବି କରୁଛି।

ସମ୍ବନ୍ଧିତ ଖବର