ଭାରତକୁ ଧମକାଇଲା ଆମେରିକା

ଭେନେଜୁଏଲା ତେଲ ନକିଣିବାକୁ ପରାମର୍ଶ

ୱାସିଂଟନ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ‌ଭେନେଜୁଏଲାରୁ ତେଲ ନକିଣିବାକୁ ଆମେରିକା ପକ୍ଷରୁ ଭାରତ ସମେତ ବିଭିନ୍ନ ଦେଶକୁ ଚେତାବନୀ ଦିଆଯାଇଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍‌ଟନ୍‌ ଟ୍ବିଟ୍‌ କରି ଜଣାଇଛନ୍ତି ଯେ, ଯେଉଁ ଦେଶ କିମ୍ବା ବ୍ୟକ୍ତି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଚୋରିକୁ ସମର୍ଥନ କରିବେ, ଆମେରିକା ସେମାନଙ୍କୁ ଭୁଲିବ ନାହିଁ। ସେ କହି‌ଲେ, ଭେନେଜୁଏଲାର ଲୋକଙ୍କ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ଆମେରିକା ସବୁ ପ୍ରକାର କଳକୌଶଳ ବ୍ୟବହାର କରିବ। ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହାକୁ ସମର୍ଥନ କରନ୍ତୁ ବୋଲି ସେ କହିଛନ୍ତି। ଗତକାଲି ଭାରତର ଗ୍ରେଟର୍‌ ନୋଏଡା ଠାରେ ଭେନେଜୁଏଲାର ତୈଳ ମନ୍ତ୍ରୀ ମାନୁଏଲ୍‌ କୁଏଭେଡୋ କହିଥିଲେ ଯେ, ଭାରତକୁ ଆମେ ଅଧିକ ତେଲ ବିକ୍ରି କରିବାକୁ ଚାହୁଁଛି। ଏହି ଖବର ପ୍ରଚାରିତ ହେବାର ଗୋଟିଏ ଦିନ ପରେ ଆମେରିକା ପକ୍ଷରୁ ଏଭଳି ଧମକ ଦିଆଯାଇଛି। ମାନୁଏଲ୍ କହିଥିଲେ ଯେ, ଭାରତ ସହିତ ଆମର ବହୁତ ଭଲ ସମ୍ପର୍କ ଅଛି ଏବଂ ଆମେ ଏହାକୁ ଆଗକୁ ବଢ଼ାଇବାକୁ ଚାହୁଁଛୁ। ଭାରତ ସହ ଆମେ ଆମର କାରବାର ସୁଦୃଢ଼ କରିବାକୁ ଚାହୁଁଛୁ। ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଆମେରିକା ପକ୍ଷରୁ ସେହି ଦେଶ ଉପରେ କଟକଣା ଜାରି କରାଯାଇଛି। ଆମେରିକା ଚାହୁଁଛି ମାଦୁରୋ ଶୀଘ୍ର ଇସ୍ତଫା ଦିଅନ୍ତୁ। ଭେନେଜୁଏଲାରୁ ଆମେରିକା ତେଲ କିଣିବା ବନ୍ଦ କରିଦେବା ପରେ ଏହା ଏବେ ଭାରତ ଓ ଚୀନ୍‌କୁ ଅଧିକ ତେଲ ବିକ୍ରି କରି ନିଜ ଅର୍ଥନୀତିକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଛି। ଭାରତ ଏହାର ତୃତୀୟ ସର୍ବାଧିକ ତେଲ ‌ଭେନେଜୁଏଲାରୁ କିଣୁଛି। ଭେନେଜୁଏଲାର ଅର୍ଥନୀତି ତେଲ ଉପରେ ନିର୍ଭରଶୀଳ। ଆମେରିକା ପକ୍ଷରୁ କଟକଣା ଲଗାଯିବା ପରେ ଏହି ଦେଶ ୨୦ ବିଲିଅନ୍‌ ଡଲାର କ୍ଷତି ସହିଛି।

ଉଲ୍ଲେଖଯୋଗ୍ୟ, ୨୦୧୪ ପରଠାରୁ ଭେନେଜୁଏଲା ଅର୍ଥନୀତିରେ ଘୋର ମାନ୍ଦାବସ୍ଥା ଦେଖାଦେଇଥିଲା। ସେଠାକାର ୧୦% ଲୋକ ଦେଶ ଛାଡ଼ି ପଳାଇଲେଣି। ସେଠାକାର ମାଦୁରୋ ସରକାରଙ୍କୁ ଆମେରିକା ଘୋର ବିରୋଧ କରୁଛି। ମାଦୁରୋଙ୍କ ବିରୋଧରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଦରକାର ପଡ଼ିଲେ ମିଲିଟାରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେରିକା ଧମକ ଦେଇଛି।

ସମ୍ବନ୍ଧିତ ଖବର