ଅମିତାଭଙ୍କ ନିବେଶ ମାତ୍ର ୨ ବର୍ଷରେ ୭୦ ଗୁଣ ବଢିଗଲା, କିପରି ଜାଣନ୍ତୁ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚନ କେବଳ ଅଭିନୟ କ୍ଷେତ୍ରରେ ଶେହେନଶାହା ନୁହଁନ୍ତି, ଆଉ ଗୋଟିଏ କ୍ଷେତ୍ରରେ ମଧ୍ୟ ସେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ସମସ୍ତଙ୍କୁ ଚମତ୍କତ କରିଦେଇଛନ୍ତି । ତାହା ହେଉଛି କ୍ରିପ୍ଟୋକରେନ୍ସିରେ ନିବେଶ । ଦୁଇବର୍ଷ ତଳେ ସେ କରିଥିବା ନିବେଶ ଏବେ ପ୍ରାୟ ୭୦ ଗୁଣ ବଢିଯାଇଛି ।

ଗତ ୨୦୧୫ରେ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ସିଂଗାପୁର ସ୍ଥିତି ମିରିଡିଆନ ଟେକ୍‌ ନାମକ କମ୍ପାନି ଅଧିନସ୍ଥ ଜିଡୁ ଡଟ୍‌ କମରେ ପ୍ରାୟ ୨,୫୦,୦୦୦ ଡଲାର ନିବେଶ କରିଥିଲେ । ଗତ ସପ୍ତାହରେ ଜିଡୁ କୁ ଲଙ୍ଗଫିନ କର୍ପୋରେସନ ନାମକ କମ୍ପାନି ଅଧିଗ୍ରହଣ କରିଥିଲା । ଏହାପରେ ଲଙ୍ଗଫିନ କର୍ପୋରେସନ ନାସଡାକ୍‌ରେ ଲିଷ୍ଟିଂ ହୋଇଥିଲା । ଗତ ବୁଧବାରଠାରୁ ସୋମବାର ମଧ୍ୟରେ କମ୍ପାନିର ସେୟାର ପ୍ରାୟ ୧୦୦୦ ଗୁଣ ବଢିଯାଇଥିଲା । କେବଳ ଶୁକ୍ରବାରଦିନ ଏହା ପ୍ରାୟ ୨୫୦୦ ପ୍ରତିଶତ ବଢିଥିଲା । ଏହି ଦିନ ଜିଡୁ ଅଧିଗ୍ରହଣ ବିଷୟରେ କମ୍ପାନି ଘୋଷଣା କରିଥିଲା । କମ୍ପାନିର ସେୟାର ବଢିବାରୁ ଅମିତାଭଙ୍କ ନିବେଶ ମୂଲ୍ୟ ମଧ୍ୟ ବଢିଛି । ଲଙ୍ଗଫିନ ଦ୍ୱାରା ଜିଡୁ ଅଧିଗ୍ରହଣ ପରେ ବିଗ୍‌ ବି ଲଙ୍ଗଫିନର ପ୍ରାୟ ୨,୫୦,୦୦୦ ସେୟାର ପାଇଥିଲେ । ଏବେ ସେହି ସେୟାରର ମୂଲ୍ୟ ୧୭.୫ ନିୟୁତ ଡଲାର ବା ପ୍ରାୟ ୧୧୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

୨୦୧୫ରେ ଜିଡୁରେ ଅମିତାଭ ନିବେଶ କଲାବେଳେ ଏହା ନିଜକୁ ଏକ କ୍ଲାଉଡ୍‌ ଷ୍ଟୋରେଜ୍‌ ଓ ଇ-ଡିଷ୍ଟ୍ରିବୁସନ ଷ୍ଟାର୍ଟ ଅପ ବୋଲି କହୁଥିଲା । ଏବେ ଏହା ନିଜକୁ ବ୍ଲକଚେନ ସଲ୍ୟୁସନ ପ୍ରଦାନକାରୀ କମ୍ପାନି ବୋଲି କହୁଛି, ଯାହାକି କ୍ରିପ୍ଟୋକରେନ୍ସି ମାଧ୍ୟମରେ ବିଭିନ୍ନ ଦେଶରେ ମାଇକ୍ରୋଫାଇନାନ୍ସ ପ୍ରଦାନ କରେ ।

ସମ୍ବନ୍ଧିତ ଖବର