ଅମୁଲ ଓଡ଼ିଶାରେ ନିବେଶ କରିବ ୨୫୦ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର: ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଅମୁଲ୍‌) ଓଡ଼ିଶାରେ ଆସନ୍ତା କିଛିମାସ ମଧ୍ୟରେ ୨୫୦ କୋଟି ଟଙ୍କା ନିବେଶ କରିବ। ନୂଆଦିଲ୍ଲୀଠାରେ ଆୟୋଜିତ ଓ୍ଵାର୍ଲଡ ଫୁଡ୍‌ ଇଣ୍ଡିଆ-୨୦୧୭ରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି ଅମୁଲର ପରିଚାଳନା ନିର୍ଦେଶକ ଆର୍‌. ଏସ୍‌. ସୋଧି। ସେ ଏହା ମଧ୍ୟ କହିଛନ୍ତି ଓଡ଼ିଶାରେ ଦୈନିକ ୩୦ ଲକ୍ଷ ଲିଟର କ୍ଷୀରର ଅଭାବ ରହିଛି। ତେବେ ଭାରତରେ ଅମୁଲ ପାଇଁ ଓଡ଼ିଶା ଦ୍ୱିତୀୟ ବୃହତ୍‌ ବଜାର ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସୁଯୋଗ ଶୀର୍ଷକ ଏକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଏକ ପ୍ରମୁଖ କ୍ଷେତ୍ର। ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟରେ ସ୍ୱତନ୍ତ୍ର ନୀତି ରହିଛି। ଡେରାସ ଓ ରାୟଗଡ଼ାଠାରେ ମେଗା ଫୁଡ୍‌ ପାର୍କ ସ୍ଥାପନ ସହିତ ଏକକ ବାତାୟନ ସୁବିଧା ପୁଞ୍ଜିନିବେଶକାରୀମାନଙ୍କୁ ପ୍ରଦାନ କରାଯାଉଛି। ଓଡ଼ିଶାର ପ୍ରତିନିଧିମାନଙ୍କ ସହ ଏହି ଅବସରରେ କେଭେଣ୍ଟର ଏଗ୍ରୋ ଲିଃ ଏମ୍‌ଡି ମୟଙ୍କ ଜଲାନ୍‌ ଆଲୋଚନା କରିବା ସହିତ ରାଜ୍ୟରେ ମକା ପ୍ରକ୍ରିୟାକରଣ ୟୁନିଟ୍‌, କଦଳୀ ଚାଷର ଉନ୍ନତୀକରଣ ଓ ଖାଦ୍ୟ ପ୍ରକ୍ରିୟାକରଣ ପରୀକ୍ଷାଗାର ସ୍ଥାପନ ଲାଗି ଆଗ୍ରହ ପ୍ରକାଶ କରିଥିଲେ। ସେହିଭଳି ଟାଟା ଗ୍ଲୋବାଲ ବେଭରେଜ୍‌ ଓଡ଼ିଶାରେ ୨୦ ଏକର ଜମିରେ ୪୦ କୋଟି ନିବେଶରେ ଏକ ଚା’ ପ୍ୟାକେଜିଂ ୟୁନିଟ ସ୍ଥାପନ ଲାଗି ଆଗ୍ରହୀ ରହିଛି। ଏଥିରେ ୪୦୦ ଜଣ ନିଯୁକ୍ତି ପାଇବେ। ସେହିଭଳି କାନାଡାର ଏଜିଟି ଫୁଡ୍‌ସ ମଧ୍ୟ ପାରାଦୀପ ନିକଟରେ ୨୫୦ କୋଟି ଟଙ୍କା ବ୍ୟୟରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ଲାଗି ଆଗ୍ରହ ପ୍ରକାଶ କରିଛି। ଖୋର୍ଧାଠାରେ ଆଇଟିସି ଓ ତାହାର ସହଯୋଗୀ ସଂସ୍ଥା ଟେକ୍‌ନିକୋ ଟେକ୍ନୋଲୋଜିସ୍‌ ଆଇଟିସିର ଫୁଡ୍‌ ପାର୍କ ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ଵିତ କରିବେ ବୋଲି ଜଣାଯାଇଛି। ଏତଦ୍‌ବ୍ୟତୀତ କିଜାଲ୍‌କୋ ଏଗ୍ରୋ ପ୍ରାଇଭେଟ ଲିମିଟେଡର ଏମ୍‌ଡିଙ୍କ ସମେତ ଟିସିଏସ୍‌, ଗୋଦରେଜ୍‌ ଟାଇସନ୍‌ର ପ୍ରତିନିଧିମାନେ ଓଡ଼ିଶାର ପ୍ରତିନିଧିମାନଙ୍କୁ ଭେଟି ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ପାଭିଲିଅନ୍‌ରେ ଓଡ଼ିଶାରୁ ୨୫ରୁ ଅଧିକ ଅଗ୍ରଣୀ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ଯୋଗଦେଇଛନ୍ତି। ଦର୍ଶକଙ୍କ ପାଇଁ ଓଡ଼ିଶା ପାଭିଲିଅନ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥିରେ ବ୍ରିଟାନିଆ, ଇଣ୍ଡୋ ନିସିନ୍‌, ମାଗ୍‌ମା ଫୁଡ୍‌ସ, ମିଲକ୍‌ ମନ୍ତ୍ରା, ମିଟ୍‌ସ ମେଗା ଫୁଡ୍‌ ପାର୍କ, ଭାରତ ମସଲା, ରୁଚି, ପ୍ରାଇମ୍‌ ଆଗ୍ରୋ, ଓମ୍‌ଫେଡ୍‌, ଅନମୋଲ, ପ୍ୟାରିସ ବେକରି, କାଜୁ ସଂଘ, ସାମୁଦ୍ରି୍ରିକ ଖାଦ୍ୟ ସଂଘ ଆଦି ଅଂଶଗ୍ରହଣ କରିଛନ୍ତି। ଆଜିର ସେମିନାରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‌. ଏନ୍‌. ଗୁପ୍ତା, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଇଡ୍‌କୋ ସିଏମ୍‌ଡି ସଂଜୟ କୁମାର ସିଂହ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର