ଅନିଲଙ୍କ କଂପାନି ଦେବାଳିଆ

ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ରେ ଚାଲିବ ବିଚାର

ମୁମ୍ବାଇ: ଯାହା କେହି ସ୍ୱପ୍ନରେ ଭାବିନଥିଲେ ତାହା ହୋଇଛି। ଅମ୍ବାନି ପରିବାରର ଏକ କଂପାନି ଦେବାଳିଆ ହୋଇଯାଇଛି। ଧୀରୁଭାଇ ଅମ୍ବାନିଙ୍କ ସାନ ପୁଅ ଅନିଲ ଅମ୍ବାନିଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ୍‌ ବା ଆର୍‌କମ୍‌ ଦେବାଳିଆ ହୋଇପଡ଼ିଛି। ଏହି କଂପାନିଠାରୁ ୧୧୫୦ କୋଟି ଟଙ୍କା ଆଦାୟ କରିବା ପାଇଁ ଏରିକ୍ସନ ନାମକ ସଂସ୍ଥା ପକ୍ଷରୁ ଦେବାଳିଆ କୋର୍ଟ ବା ଏନ୍‌ସିଏଲ୍‌ଟିରେ ମାମଲା ଦାୟର କରାଯାଇଛି। ରିଲାଏନ୍ସ କମ୍ୟୁନିକେସନ୍‌ ମାମଲାର ବିଚାର ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ହେବ। ନିଜ କଂପାନିର ସ୍ଥିତି ସୁଧାରିବାକୁ ଅନିଲ ଅନେକ ପ୍ରୟାସ କରିଥିଲେ। ମୋବାଇଲ୍‌ କାରବାର ସହ ଜଡ଼ିତ ଥିବା ସବୁ ସମ୍ପତ୍ତି ବିକ୍ରି କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କର ସବୁ ଗୋଟିଚାଳନା ଫେଲ୍‌ ମାରିଥିଲା। ଏୟାରସେଲ୍‌ ସହିତ ମିଶ୍ରଣ ପାଇଁ ମଧ୍ୟ ସେ ଉଦ୍ୟମ କରି ବିଫଳ ହୋଇଥିଲେ। ବଡ଼ ଭାଇ ମୁକେଶଙ୍କ କଂପାନି ରିଲାଏନ୍ସ ଜିଓକୁ ନିଜ କଂପାନିର ସମ୍ପତ୍ତିଗୁଡ଼ିକୁ ବିକ୍ରି କରିବାକୁ ଅନିଲ ଅମ୍ବାନି ଚାହିଁଥିଲେ। ମୁକେଶ ମଧ୍ୟ ସାନ ଭାଇକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କିନ୍ତୁ ଏବେ ଦେବାଳିଆ କୋର୍ଟରେ ମାମଲା ଦାୟର କରାଯାଇଥିବାରୁ ରିଲାଏନ୍ସ କମ୍ୟୁନିକେସନ୍‌ର ସମ୍ପତ୍ତିକୁ ଅନିଲ ଆଉ ବିକ୍ରି କରିପାରିବେ ନାହିଁ। ମୁକେଶ ଅମ୍ବାନି ଚାହିଁଲେ ମଧ୍ୟ ସାନ ଭାଇକୁ ଆଉ ସାହାଯ୍ୟ କରିପାରିବେ ନାହିଁ। ଧୀରୁଭାଇ ଅମ୍ବାନିଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ରିଲାଏନ୍ସ ଗ୍ରୁପ୍‌ ୧୯୯୭ ମସିହାରେ ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିଲା। ଏହା ପରେ ଅନେକ ନିବେଶକ ରିଲାଏନ୍ସ ସହିତ ଯୋଡ଼ି ହୋଇଥିଲେ। ନିବେଶକମାନଙ୍କ ମନରେ ଏକ ବିଶ୍ୱାସ ଥିଲା ଯେ ରିଲାଏନ୍ସ ସହିତ ରହିଲେ କେବେ ଟଙ୍କା ବୁଡ଼ିବନି। ୨୦୦୨ ମସିହାରେ ଧୀରୁଭାଇଙ୍କ ମୃତ୍ୟୁ ହୋଇଥିଲା। ସେତେବେଳକୁ ରିଲାଏନ୍ସରେ ଦୁଇ ନିୟୁତରୁ ଅଧିକ ନିବେଶକ ଥିଲେ। ବାପାଙ୍କ ମୃତ୍ୟୁର କିଛି ବର୍ଷ ପରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଧୀରୁଭାଇଙ୍କ ଦୁଇ ପୁଅ ମୁକେଶ ଓ ଅନିଲଙ୍କ ମଧ୍ୟରେ ଝଗଡ଼ା ହେଲା ଓ ୨୦୦୬ରେ ଦୁଇ ଭାଇ ପରଷ୍ପରଠାରୁ ଅଲଗା ହୋଇଗଲେ। ୨୦୦୭ରେ ଅନିଲ ଅମ୍ବାନିଙ୍କ ମୋଟ ସମ୍ପତ୍ତି ପରିମାଣ ୪୫ ବିଲିଅନ୍‌ ଡଲାର ଥିଲା। ଏବେ ସେଥିରୁ ଆଉ ମାତ୍ର ୩.୧୫ ବିଲିଅନ୍‌ ଡଲାର ରହିଯାଇଛି। ପାରିବାରିକ ସମ୍ପତ୍ତି ବିଭାଜନ ପରଠାରୁ ମୁକେଶ ବ୍ୟବସାୟରେ ଆଗକୁ ବଢ଼ିଚାଲିଥିବା ବେଳେ ଅନିଲଙ୍କ ଗୋଟିଏ ପରେ ଗୋଟିଏ କଂପାନି ବିଫଳ ହୋଇଚାଲିଛି। ବିଭାଜନ ବେଳକୁ ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୂଲ୍ୟ ୯୬,୬୬୮ କୋଟି ଟଙ୍କା ଥିଲା। ଏବେ ତାହା ୫ ଲକ୍ଷ ୯୦ ହଜାର ୫୦୦ କୋଟି ଟଙ୍କାରେ ପହଞ୍ଚିଗଲାଣି। ସେହିପରି ଅନିଲଙ୍କ ସବୁ କଂପାନିର ମୂଲ୍ୟ ୫୬,୦୦୦ କୋଟି ଟଙ୍କା ଥିଲା ଯାହା ଏବେ ୪୭ ହଜାର କୋଟି ଟଙ୍କାକୁ ଖସିଆସିଛି। ଅନିଲ ଅମ୍ବାନି ମୋବାଇଲ୍‌, ଶକ୍ତି ଓ ଭିତ୍ତିଭୂମି କାରବାରରେ ବିଫଳ ହୋଇଛନ୍ତି। ସେହି ସମୟ ଭିତରେ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଜରିଆରେ ମୋବାଇଲ୍‌ କାରବାରରେ ପ୍ରବେଶ କରି ହଇଚଇ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର