ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ଅଧିକାରୀ ମାଇକେଲ୍ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଶୀର୍ଷ ସ୍ତରରେ ଆଉ ଜଣେ ଓଡିଆ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ବରିଷ୍ଠ ପ୍ରଶାସକ ଶକ୍ତିକାନ୍ତ ଦାସ ଦାୟିତ୍ୱ ତୁଲାଉଥିବା ବେଳେ ଏବେ ଡେପୁଟି ଗଭର୍ଣ୍ଣର ଭାବେ ଓଡ଼ିଆ ଅଧିକାରୀ ଡମାଇକେଲ ପାତ୍ରଙ୍କୁ ମିଳିଛି ନିଯୁକ୍ତି । ସେ ତିନି ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ମାଇକେଲଙ୍କୁ ଏହି ପଦରେ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ନିଯୁକ୍ତି ଦେଇଛି।

ବିରଳ ଆଚାର୍ଯ୍ୟ ପଦ ଛାଡିବା ପରେ ଗତ ବର୍ଷ ଜୁଲାଇ ୨୩ ତାରିଖରୁ ଏହା ଫାଙ୍କା ପଡିଥିଲା । ଏଥିଲାଗି ୨୦୧୭ ମସିହାରେ ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦବୀରେ ଥିବା ମାଇକେଲ୍ ପାତ୍ର ଆବେଦନ କରିଥିଲେ। ୧୯୮୫ ମସିହାରେ ସେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ । ସେ ସେଂଟ୍ରାଲ ବ୍ୟାଙ୍କର ମନିଟାରୀ ପଲିସି ଡିଭିଜନର ଅତିରିକ୍ତ ଦାୟିତ୍ୱରେ ଥିଲେ । ପାତ୍ର ଅର୍ଥନୀତିରେ ଡକ୍ଟରେଟ କରିଛନ୍ତି।

ସାଧାରଣ ଭା‌ବେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦ ଲାଗି ବାହାରୁ ଜଣେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କୁ ଅଣା ଯାଇଥାଏ। ବିରଳ ଆଚାର୍ଯ୍ୟଙ୍କ ପୂର୍ବରୁ ଏହି ପଦବୀରେ ଉର୍ଜ୍ଜିତ ପଟେଲ୍ ନିଯୁକ୍ତି ପାଇଥିଲେ। ପରେ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇଥିଲେ। ଉଲ୍ଲେଖଯୋଗ୍ୟ, ମାଇକେଲ୍ ପାତ୍ର ବ୍ୟାଙ୍କର ଅଧିକାରୀ ହୋଇ ଏହି ପଦବୀରେ ନିଯୁକ୍ତି ଲାଗି ଯୋଗ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର