‘କାଳିଆ’କୁ ଅରବିନ୍ଦଙ୍କ ପ୍ରଶଂସା, ‘ପିଏମ୍‌ କିଷାନ, ନ୍ୟାୟ ସମସ୍ୟାପୂର୍ଣ୍ଣ’

ନୂଆଦିଲ୍ଲୀ: ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍ ଓଡ଼ିଶା ସରକାର ଚାଷୀଙ୍କ ପାଇଁ ଆରମ୍ଭ କରିଥିବା ‘କାଳିଆ ଯୋଜନା’କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସାର୍ବଜନୀନ ଆୟ ସ୍କିମ୍ କାଳିଆ ଯୋଜନା କିମ୍ବା ତା’ଠାରୁ ଆହୁରି ଭଲ ହେବା ଦରକାର। ମୋଦୀ ସରକାରଙ୍କ ନୂଆ ସ୍କିମ୍ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏବଂ କଂଗ୍ରେସର ପ୍ରସ୍ତାବିତ ନ୍ୟୂନତମ ଆୟ ଯୋଜନା (ନ୍ୟାୟ)କୁ ସେ ସମସ୍ୟାପୂର୍ଣ୍ଣ ବୋଲି କହିଛନ୍ତି। ସୁବ୍ରମଣିଅନ୍‌ ହିଁ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ୨୦୧୬-୧୭ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସାର୍ବଜନୀନ ଆୟ ସ୍କିମ୍‌ର ପ୍ରସ୍ତାବ ଦେଇଥିଲେ। ଟୁଇଟ୍‌ ଜରିଆରେ ସୁବ୍ରମଣିଅନ୍‌ ଏହା ମଧ୍ୟ ମନେ ପକାଇଦେଇଛନ୍ତି ଯେ, ସାର୍ବଜନୀନ ଆୟ ସ୍କିମ୍ ଏକ ଗ୍ରାମୀଣ ସ୍କିମ୍ ହେବା ଦରକାର ବୋଲି ସେ ୨୦୧୬-୧୭ ଅର୍ଥନୈତିକ ସର୍ଭେ ରିପୋର୍ଟ‌େରେ ଉଲ୍ଲେଖ କରିଥିଲେ। ସେ ଟୁଇଟ୍‌ରେ ଲେଖିଛନ୍ତି ଯେ, କୃଷି ସମସ୍ୟାକୁ ବିଚାରକୁ ନେଇ ମୁଁ ସାର୍ବଜନୀନ ଆୟ ସ୍କିମ୍‌କୁ ଏକ ଗ୍ରାମୀଣ ସ୍କିମ୍ ଭାବେ ଆରମ୍ଭ ହେଉ ବୋଲି ସମର୍ଥନ କରୁଥିଲି, ଯାହା ଯେତେ ସମ୍ଭବ ବ୍ୟାପକ ହେବା ଦରକାର। ଏହା ଓଡ଼ିଶାର କାଳିଆ ଯୋଜନା କିମ୍ବା ତା’ଠାରୁ ଆହୁରି ବ୍ୟାପକ ହେବା ଦରକାର।

ସେ କହିଛନ୍ତି ଯେ, ପିଏମ୍ କିଷାନ, ନ୍ୟାୟ ଏବଂ ତେଲେଙ୍ଗାନାର ରାୟଥୁ ବନ୍ଧୁ ଯୋଜନାରେ ସମସ୍ୟା ରହିଛି, କାରଣ ସେଗୁଡ଼ିକରେ ସମାଜର ଏକ ନିର୍ଦିଷ୍ଟ ଗୋଷ୍ଠୀକୁ ବିଚାରକୁ ନିଆଯାଇଛି। ସୁବ୍ରମଣିଅନ କହିଲେ, ମୁଁ ଏକ ସାର୍ବଜନୀନ ସ୍କିମ୍ ସପକ୍ଷରେ ଅଛି ଯେଉଁଥି‌ରେ ବହୁତ କମ୍ ଲୋକଙ୍କୁ ବାଦ ଦିଆଯିବା ଦରକାର ଏବଂ ଅଧିକ ଲୋକଙ୍କୁ ହିତାଧିକାରୀ ଭା‌ବେ ଚୟନ କରିବା ଉଚିତ। ପିଏମ୍ କିଷାନ, ନ୍ୟାୟ ଓ ରା‌ୟଥୁ ବନ୍ଧୁରେ ଏକ ନିର୍ଦିଷ୍ଟ ହିତାଧିକାରୀ ଗୋଷ୍ଠୀଙ୍କୁ ବିଚାରକୁ ନିଆଯିବା ସମସ୍ୟାର ବିଷୟ ବୋଲି ସେ କହିଛନ୍ତି। ମୋ ମତରେ ଏହି ସ୍କିମ୍‌ଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ସ୍କିମ୍‌କୁ ସାର୍ବଜନୀନ ଆୟ ସ୍କିମ୍ କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ସୁବ୍ରମଣିଅନ୍ କହିଛନ୍ତି ଯେ, କୌଣସି ନୂଆ ସ୍କିମ୍ ବିତ୍ତୀୟ ନିଅଣ୍ଟ ପ୍ରତି ବିପଦ ହେବା ଅନୁଚିତ। ଏକ ନୂଆ ସ୍କିମ୍ ସବୁ ବେଳେ ସ୍ବଚ୍ଛ, ସ୍ପଷ୍ଟ ଏବଂ ଦାୟିତ୍ବବୋଧ ଭିତ୍ତିକ ହେବା ଦରକାର। ଏକ ନୂଆ ସ୍କିମ୍ ସବୁ‌ବେଳେ ସଂଘୀୟ ବ୍ୟବସ୍ଥା ଅନୁଯାୟୀ ରାଜ୍ୟଗୁଡ଼ିକର ସହ‌ଯୋଗରେ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହେବା ଦରକାର। ଜିଏସ୍‌ଟି ପରିଷଦରେ ଯେଉଁଭଳି ନିଷ୍ପତ୍ତି ଗ୍ରହଣ କରାଯାଉଛି ସେଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର