ଆସିଆନ୍‌-ପୂର୍ବ ଭାରତ ସମ୍ପର୍କ ବଢ଼ିବ

‘ପୂର୍ବାଶା: ପୂର୍ବ ସଙ୍ଗେ ପୂର୍ବର ସଂଯୋଗ’ ସମ୍ମିଳନୀ ଉଦ୍‌ଘାଟିତ, ପ୍ରଫେସର ଭି ସୂର୍ଯ୍ୟନାରାୟଣ, ସୁଦୀପ ସେନ୍‌ଙ୍କୁ କଳିଙ୍ଗ ସରସ୍ୱତୀ ସମ୍ମାନ

ଭୁବନେଶ୍ୱର: ଅତୀତରେ ଆସିଆନ୍‌ ରାଷ୍ଟ୍ରଗୁଡ଼ିକ ସହିତ ଓଡ଼ିଶା ଓ ଅନ୍ୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଯେଭଳି ନିବିଡ଼ ସମ୍ପର୍କ ଥିଲା ପୁଣି ଥରେ ସେହିଭଳି ସମ୍ପର୍କ ସ୍ଥାପନ କରିବା ନିମନ୍ତେ ପ୍ରୟାସ କରିବାକୁ କେନ୍ଦ୍ର ପେଟ୍ରୋଲିୟମ୍‌, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକୁ ଆହ୍ଵାନ ଦେଇଛନ୍ତି। କଳିଙ୍ଗ ଇଣ୍ଟରନ୍ୟାସନାଲ୍‌ ଫାଉଣ୍ଡେସନ୍‌ (କେଆଇଏଫ୍‌) ପକ୍ଷରୁ ଆୟୋଜିତ ‘ପୂର୍ବାଶା: ପୂର୍ବ ସହିତ ପୂର୍ବର ସଂଯୋଗ’ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରି ସେ କହିଛନ୍ତି ଯେ ଭାଗ ନେଇଥିବା ଦେଶଗୁଡ଼ିକ ସଂସ୍କୃତି ଓ ବାଣିଜ୍ୟ କ୍ଷେତ୍ରରେ ରହିଥିବା ସୁଯୋଗ ବିଷୟରେ ମାନସ ମନ୍ଥନ କରିବା ଦରକାର। ପରସ୍ପର ପାଇଁ ଲାଭଦାୟକ କ୍ଷେତ୍ର ଚିହ୍ନଟ କରି ସେ କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ କରିବା ପାଇଁ ପ୍ରୟାସ ଆରମ୍ଭ କରିବା ଉଚିତ। ଏହା ହେଲେ ଆସିଆନ୍‌ ପ୍ରାନ୍ତ ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ ସୁଦୃଢ଼ ଅଞ୍ଚଳ ହୋଇପାରିବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀ ଦ୍ୱାରା ଆସିଆନ୍‌ ସହିତ ପୂର୍ବ ଭାରତ ସମ୍ପର୍କ ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଆସାମର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସି ଏମ୍‌ ପଟୋଓ୍ଵାରି ଓ ଶ୍ରୀଲଙ୍କାର ନିରନ୍ତର ବିକାଶ ଓ ବନ୍ୟଜନ୍ତୁ ମନ୍ତ୍ରୀ ଗାମିନି ଜୟବିକ୍ରମ ପେରେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। କଳିଙ୍ଗ ଇଣ୍ଟରନ୍ୟାସନାଲ୍‌ ଫାଉଣ୍ଡେସନର ଅଧ୍ୟକ୍ଷ ଲଲିତ ମାନସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି। କଳିଙ୍ଗ ଇଣ୍ଟରନ୍ୟାସନାଲ୍‌ ଫାଉଣ୍ଡେସନ ଓ ଶ୍ରୀଲଙ୍କାର ପ୍ୟାଥ୍‌ଫାଇଣ୍ଡର୍‌ ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଶ୍ରୀଯୁକ୍ତ ମାନସିଂହ ଓ ଆଡମିରାଲ୍‌ ଜୟନାଥ କୋଲୋମ୍ବେଜ୍‌ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏଥି ସହିତ ‘ଟୁଗେଦର ଇନ୍‌ ଷ୍ଟ୍ରଗଲ୍‌: ଇଣ୍ଡିଆ ଆଣ୍ଡ୍‌ ଇଣ୍ଡୋନେସିଆ’ ପୁସ୍ତକ ପାଇଁ ପ୍ରଫେସର ଭି ସୂର୍ଯ୍ୟନାରାୟଣ ଓ ‘ପ୍ରାଇଡ୍‌ ଆଣ୍ଡ୍‌ ଗ୍ଲୋରି ଅଫ୍‌ ବାଲିଯାତ୍ରା’ ପୁସ୍ତକ ପାଇଁ ସୁଦୀପ ସେନ୍‌ଙ୍କୁ କଳିଙ୍ଗ ସରସ୍ୱତୀ ସମ୍ମାନ ପ୍ରଦାନ କରାଯାଇଛି। କେଆଇଏଫ୍‌ର ଟ୍ରଷ୍ଟି ଶ୍ରୀରୂପା ମିତ୍ର ଧନ୍ୟବାଦ ପ୍ରଦାନ କରିଛନ୍ତି। ତିନିଦିନିଆ ଏହି ସମ୍ମିଳନୀରେ ଭିଏତନାମ, ଶ୍ରୀଲଙ୍କା, ବାଲାଂଦେଶ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ୍‌, ଫିଲିପାଇନ୍ସ, ମିଆଁମାର ଓ ଜାପାନ ଭଳି ୧୬ଟି ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି।

ଆନନ୍ଦ ଭବନରେ ରଖାଯାଉ ଡାକୋଟା ବିମାନ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବିଷୟରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦ ମିନିଟ୍‌ରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି। ବିଜୁବାବୁଙ୍କ ବୀରତ୍ୱ ଓ ସାହସକୁ ସେ ବହୁତ ପ୍ରଶଂସା କରିଛନ୍ତି। ଯେଉଁ ଡାକୋଟା ବିମାନରେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆରେ ବିରତ୍ୱ ପ୍ରଦର୍ଶନ କରିଥିଲେ ତାହାକୁ ଫେରାଇ ଆଣି ଆନନ୍ଦ ଭବନରେ ରଖାଯାଉ। ଏହି ବିମାନ ଆନନ୍ଦ ଭବନରେ ସ୍ଥାନ ପାଇଲେ ଓଡ଼ିଆ ଯୁବପିଢ଼ି ଅନୁପ୍ରାଣିତ ହେବେ ବୋଲି ସେ କହିଛନ୍ତି। ଆନନ୍ଦ ଭବନ ହେଉଛି ବିଜୁ ପଟ୍ଟନାୟକଙ୍କ ପୈତୃକ ଘର। ଏହାକୁ ସଂଗ୍ରହାଳୟ କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର