ଆସୋଚାମ୍‌ ରିପୋର୍ଟ: ଅର୍ଥନୀତିକୁ ପ୍ରଭାବିତ କରିବ ରାଜନୀତି

ନୂଆଦିଲ୍ଲୀ: ଆସନ୍ତାବର୍ଷ ସରକାରଙ୍କ ଅର୍ଥନୀତି ସଂକ୍ରାନ୍ତ ନିଷ୍ପତ୍ତିକୁ ରାଜନୀତି ଅଧିକ ପ୍ରଭାବିତ କରିବ। କାରଣ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୮ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ କର୍ଣ୍ଣାଟକ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆସନ୍ତା ଫେବ୍ରୁଆରିରେ ବର୍ତମାନ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରିବେ। ବଜେଟ୍‌ ସମେତ ୨୦୧୮ରେ ସରକାର ଯେଉଁସବୁ ଅର୍ଥନୈତିକ ନିଷ୍ପତ୍ତି ନେବେ ସେଥିରେ ରାଜନୈତିକ ବାସ୍ତବତା ପ୍ରତିଫଳିତ ହେବ। ବିଶେଷକରି ଭୋଟରମାନଙ୍କ ମନକୁ ଖୁସି କରିବା ଭଳି ଅନେକ ପଦକ୍ଷେପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ନୀତିରେ ଦେଖିବାକୁ ମିଳିବ ବୋଲି ଦେଶର ପ୍ରମୁଖ ଶିଳ୍ପସଂଘ ଆସୋଚାମ ପକ୍ଷରୁ କୁହାଯାଇଛି। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗାମୀ ଦିନରେ ଗ୍ରାମୀଣ ଭାରତ ଉପରେ ଅଧିକ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି। ବିଶେଷକରି କୃଷକ ଏବଂ କୃଷି ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ କରିପାରନ୍ତି। ଏତଦ୍‌ବ୍ୟତୀତ ଦେଶରେ ବର୍ତମାନ ରାଜନୈତିକ ଏବଂ ଅର୍ଥନୈତିକ ପାଣିପାଗ ଯାହା ରହିଛି ସେଥିରୁ ଜଣାଯାଉଛି ଯେ ଆଗାମୀ ଦିନରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ ଆହୁରି ବ୍ୟବସ୍ଥିତ କରାଯିବ।

ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ଜିଏସ୍‌ଟି ହାରକୁ ଆହୁରି ହ୍ରାସ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଜିଏସ୍‌ଟିର କାର୍ଯ୍ୟକାରିତାକୁ ନେଇ ବ୍ୟବସାୟୀ ଗୋଷ୍ଠୀ ସେତେଟା ଖୁସି ନାହାନ୍ତି। ରାଜନୈତିକ ଦଳଗୁଡ଼ିକ ପାଇଁ ବ୍ୟବସାୟୀମାନେ ଏକ ବଡ଼ ଶକ୍ତି। ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ ଜିଏସ୍‌ଟି ଏକ ପ୍ରମୁଖ ପ୍ରସଙ୍ଗ ରହିଥିଲା। ଅନ୍ୟପକ୍ଷରେ କୋହଳ ଶ୍ରମ ଆଇନ ଭଳି କୌଣସି ପ୍ରକାର ବଡ଼ ଏବଂ ଜଟିଳ ଆର୍ଥିକ ସଂସ୍କାର ଗ୍ରହଣ କରିବାରେ ସରକାର ପଛଘୁଞ୍ଚା ଦେଇପାରନ୍ତି। ତେଣୁ ଶ୍ରମ ଆଇନ ପରିବର୍ତନ ଭଳି କୌଣସି ଜଟିଳ ଆର୍ଥିକ ସଂସ୍କାର ପାଇଁ ଭାରତୀୟ ଉଦ୍ୟୋଗ ଆଶାବାଦୀ ରହିବା ଉଚିତ ନୁହେଁ ବୋଲି ଆସୋଚାମ୍‌ ମତ ଦେଇଛି। ଏତଦ୍‌ବ୍ୟତୀତ ଆଗାମୀ ଦିନରେ ସରକାର ତାଙ୍କ ଆର୍ଥିକ ନୀତି ଏବଂ ବଜେଟ୍‌ରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରାଧାନ୍ୟ ଦେବେ। କମ୍‌ ସମୟ ମଧ୍ୟରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଗୁଡ଼ିକ ଅର୍ଥନୀତିରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସରକାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏକ ପ୍ରମୁଖ ପ୍ରସଙ୍ଗ ରହିବ ବୋଲି ଆସୋଚାମ କହିଛି। ସେହିଭଳି ସରକାର ତାଙ୍କ ଆର୍ଥିକ ନୀତିରେ କୃଷି, କୃଷକ, ଗ୍ରାମୀଣ ଅର୍ଥନୀତିକୁ ଯେଉଁ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି ସେହି କାର୍ଯ୍ୟ ଆସନ୍ତା ବଜେଟ୍‌ରୁ ଆରମ୍ଭ ହୋଇଯିବ। ତେଣୁ କୃଷି ଅର୍ଥନୀତି ସହିତ ସିଧାସଳଖ ଯୋଡ଼ି ହୋଇ ରହିଥିବା କର୍ପୋରେଟ ଭାରତ ମଧ୍ୟ ସରକାରଙ୍କ ଏପ୍ରକାର ନିଷ୍ପତ୍ତି ଯୋଗୁଁ ଲାଭବାନ ହେବ ବୋଲି ଆସୋଚାମ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର