ଓଡ଼ିଶାରେ ବି ଟଙ୍କା ଅଭାବ: ଡିଜିଟାଲ୍‌ କାରବାର ନବଢ଼ିବାରୁ ସମସ୍ୟା

ଲେସ୍‌ କ୍ୟାସ୍‌ ଅଭିଯାନ ବିଫଳ

ଭୁବନେଶ୍ୱର: ଓଡ଼ିଶାରେ ମଧ୍ୟ ଟଙ୍କା ସଙ୍କଟ ରହିଛି। ଭୁବନେଶ୍ୱରଠାରୁ ଆରମ୍ଭ କରି ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଅଧିକାଂଶ ଏଟିଏମ୍‌ ଫାଙ୍କା ରହୁଛି। କିନ୍ତୁ ଛୋଟ ସହରଗୁଡ଼ିକରେ ସମସ୍ୟା ଅଧିକ ଗମ୍ଭୀର ରହିଛି। ଯେଉଁ ସ୍ଥାନଗୁଡ଼ିକରେ ୭-୮ଟି ଏଟିଏମ୍‌ ରହିଛି ସେଠାରେ ଅଧିକାଂଶ ଏଟିଏମ୍‌ରୁ ଟଙ୍କା ବାହାରୁ ନାହିଁ। ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ଗୁଡ଼ିକ ଶୀଘ୍ର ଫାଙ୍କା ହୋଇଯାଉଛି। କିଛି ଘରୋଇ ବ୍ୟାଙ୍କର ଏଟିଏମ୍‌କୁ ବାଦ ଦେଲେ ଅନ୍ୟ ସବୁ ବ୍ୟାଙ୍କର ଏଟିଏମ୍‌ ଫାଙ୍କା ରହୁଥିବା ଜଣାପଡ଼ିଛି। ଏହି ସମସ୍ୟା ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ଟଙ୍କା ସମସ୍ୟା ନିଶ୍ଚିତରୂପେ ରହିଛି। କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଓଡ଼ିଶାରେ ଏହି ସମସ୍ୟା ସେତେଟା ଗମ୍ଭୀର ନୁହେଁ। ଏବେ ବି ଅଧିକାଂଶ ଏଟିଏମ୍‌ରୁ ଟଙ୍କା ବାହାରୁଛି। ଅଧିକ ଲୋକ ବ୍ୟବହାର କରୁଥିବା ଏଟିଏମ୍‌ଗୁଡ଼ିକ ଶୀଘ୍ର ଫାଙ୍କା ହୋଇଯାଉଛି। ଯେଉଁ ଏଟିଏମ୍‌ଗୁଡ଼ିକର ବ୍ୟବହାର କମ୍‌ ରହୁଛି ସେଠାରେ ଟଙ୍କା ମିଳିଯାଉଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏଟିଏମ୍‌ଗୁଡ଼ିକରେ ଟଙ୍କା ସମସ୍ୟା ଅଧିକ ରହିଛି ବୋଲି ସେ କହିଛନ୍ତି।

ରିଜର୍ଭ ବ୍ୟାଙ୍କର ଅନ୍ୟ ଜଣେ ଅଧିକାରୀ କିନ୍ତୁ ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି, ସରକାରଙ୍କ ନୀତି ଯୋଗୁଁ ଏହି ସମସ୍ୟା ଦେଖାଦେଇଛି। ବିମୁଦ୍ରାକରଣ ପରେ ସରକାର ଡିଜିଟାଲ୍‌ ପେମେଣ୍ଟ୍‌ କଥା କହିଥିଲେ। କମ୍‌ ନଗଦ ଅର୍ଥ ବ୍ୟବହାର କରିବା ଓ ଡିଜିଟାଲ୍‌ କାରବାର ବଢ଼ାଇବା ଉପରେ ଜୋର ଦେଇଥିଲେ। ସେହି ନୀତି ଅନୁଯାୟୀ ନଗଦ ଟଙ୍କା ଛପାଇବା ପରିମାଣ କମ୍‌ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ପାଖକୁ କମ୍‌ ଟଙ୍କା ଆସୁଥିଲା ଓ ବ୍ୟାଙ୍କଗୁଡ଼ିକ ପାଖରେ ମଧ୍ୟ କମ୍‌ ଟଙ୍କା ପହଞ୍ଚୁଥିଲା।

କିନ୍ତୁ ଡିଜିଟାଲ୍‌ ପେମେଣ୍ଟ୍‌ରେ ସେଭଳି ଅଗ୍ରଗତି ହେଲାନାହିଁ। ଲୋକମାନେ ନଗଦ ଟଙ୍କାକୁ ବହୁଳ ଭାବେ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଟଙ୍କାର ଚାହିଦା ବହୁତ ବଢ଼ିଯାଇଛି। ହଠାତ୍‌ ଟଙ୍କା ଚାହିଦା ବଢ଼ିଯିବାରୁ ଯେଉଁ ଅଭାବ ଦେଖାଦେଇଛି ତାହାକୁ ସରକାର ପୂରଣ କରିପାରୁନାହାନ୍ତି। ପୁଣି ଟଙ୍କା ଛପାଇବା ପରିମାଣ ବୃଦ୍ଧି କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଟଙ୍କା ଛପାଇ ବିଭିନ୍ନ ସ୍ଥାନକୁ ପଠାଇବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ରିଜର୍ଭ ବ୍ୟାଙ୍କର ୧୨୮ଟି କରେନ୍‌ସି ଚେଷ୍ଟ୍‍ ରହିଛି। ସବୁ କରେନ୍‌ସି ଚେଷ୍ଟ୍‍ରେ ଆବଶ୍ୟକ ପରିମାଣର ନଗଦ ଅର୍ଥ ଅଛି ନା ନାହିଁ ତାହା ଆକଳନ କରିବା ସହଜ ନୁହେଁ ବୋଲି ସେ କହିଛନ୍ତି। କିନ୍ତୁ ବିମୁଦ୍ରାକରଣ ପରେ ସବୁ କରେନ୍‌ସି ଚେଷ୍ଟ୍‍ରେ କମ୍‌ ପରିମାଣର ଟଙ୍କା ରହୁଥିବା ସେ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର