ଏଟିଏମ୍‌ରୁ ଟଙ୍କା ଉଠାଣ ଚାର୍ଜ ବଢ଼ିପାରେ, ଇଣ୍ଟରଚେଞ୍ଜ ଚାର୍ଜ ବଢ଼ାଇବା ପାଇଁ ଅପରେଟର ସଂଘର ଦାବି

ପ୍ରତି ୫୯୧୯ ଜଣରେ ଗୋଟିଏ ଏଟିଏମ୍‌

ମୁମ୍ବାଇ: ଏଟିଏମ୍‌ରୁ ଟଙ୍କା ଉଠାଣ ମହଙ୍ଗା ହୋଇପାରେ। ଏଟିଏମ୍‌ ଅପରେଟର ସଂଘ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କୁ ଏକ ଚିଠି ଲେଖାଯାଇଛି। ଉକ୍ତ ଚିଠିରେ ଇଣ୍ଟରଚେଞ୍ଜ ଫି ବଢ଼ାଇବା ପାଇଁ ଅନୁରୋଧ କରାଯାଇଛି। ରିଜର୍ଭ ବ୍ୟାଙ୍କ ଯଦି ସଂଘର ଏହି ପ୍ରସ୍ତାବକୁ ଗ୍ରହଣ କରିନିଏ ତା’ହେଲେ ଲୋକଙ୍କୁ ଏଟିଏମ୍‌ରୁ ଟଙ୍କା ଉଠାଇବା ବାବଦରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ଯଦି ଇଣ୍ଟରଚେଞ୍ଜ ଫି ବଢ଼ାଇବାକୁ ଅନୁମତି ନଦେବେ ତା’ହେଲେ ଏହାର ଖରାପ ପ୍ରଭାବ ସେମାନଙ୍କ ବ୍ୟବସାୟ ଉପରେ ପଡ଼ିବ। ବିଶେଷକରି ଏହାର ପ୍ରଭାବ ନୂଆ ଏଟିଏମ୍ ସ୍ଥାପନ ଉପରେ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏଟିଏମ୍‌ ଅ‌ପରେଟର ସଂଘର କହିବାନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ୍‌ର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ମାନଦଣ୍ଡ ବଢ଼ାଇ ଦେଇଛି। ରିଜର୍ଭ ବ୍ୟାଙ୍କର ଏହି ନି‌ଷ୍ପତ୍ତି ପରେ ବ୍ୟାଙ୍କ ଗୁଡ଼ିକର ଏଟିଏମ୍ ମେସିନ୍ ସ୍ଥାପନ ଏବଂ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ ପୂର୍ବାପେକ୍ଷା ବଢ଼ିଯାଇଛି। ବର୍ତ୍ତମାନ ଏଟିଏମ୍‌ରୁ ଟଙ୍କା ଉଠାଣ ଉପରେ ଇଣ୍ଟରଚେଞ୍ଜ ଫି ପ୍ରତି ଉଠାଣ ପିଛା ୧୫ ଟଙ୍କା ରଖାଯାଇଛି। ଏହି ଚାର୍ଜ ପ୍ରତ୍ୟେକ ଗ୍ରାହକଙ୍କଠାରୁ ମାସିକ ୫ଟି ମାଗଣା ଟଙ୍କା ଉଠାଣ ପରେ ଲାଗୁ କରାଯାଉଛି। ତେବେ ଏହି ଚାର୍ଜ ଏଟିଏମ୍‌ର ‌ଦୈନନ୍ଦିନ ରକ୍ଷଣାବେକ୍ଷଣ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଏଟିଏମ୍ ଶିଳ୍ପ ମହାସଂଘ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ଦେଶରେ ଏଟିଏମ୍ ସଂଖ୍ୟାକୁ କିଭଳି ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳରେ ଅଧିକ ଏଟିଏମ୍ ସ୍ଥାପନ କରାଯାଇ ପାରିବ ସେ ନେଇ ସୁପାରିସ କରିବାକୁ କମିଟିକୁ କୁହାଯାଇଥିଲା। ଗତ ଡିସେମ୍ବରରେ କମିଟି ଏହାର ରିପୋର୍ଟ ଦାଖଲ କରିସାରିଛି। ୬ ସଦସ୍ୟ ବିଶିଷ୍ଟ ଏହି କମିଟି ଇଣ୍ଟରଚେଞ୍ଜ ଫି ବଢ଼ାଇବା ପାଇଁ କହିଥିଲା। ଯେଉଁ ସହରର ଲୋକସଂଖ୍ୟା ୧୦ ଲକ୍ଷରୁ ଅଧିକ ସେଠାରେ ଟଙ୍କା ଉଠାଣ ବାବଦ ଫି ୧୭ ଟଙ୍କାକୁ ଏବଂ ଅଣ ଆର୍ଥିକ ସେବା ପାଇଁ ୭ ଟଙ୍କା ଆଦାୟ ପାଇଁ କୁହାଯାଇଛି। ସେଥିରେ ଏହା ମଧ୍ୟ କୁହାଯାଇଛି ମାସିକ ମାଗଣା ଟଙ୍କା ଉଠାଣକୁ ୫ରୁ ୩କୁ କମାଇ ଦିଆଯାଉ। ୧୦ ଲକ୍ଷରୁ କମ୍ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଇଣ୍ଟରଚେଞ୍ଜ ଚାର୍ଜ ପ୍ରତି ଥର ଟଙ୍କା ଉଠାଣ ପାଇଁ ୧୮ ଟଙ୍କା କରାଯାଉ। ଅଣ ଆର୍ଥିକ କାରବାର ବାବଦ ଚାର୍ଜ ୮ ଟଙ୍କାକୁ ବୃଦ୍ଧି କରାଯାଉ ବୋଲି କମିଟି ସୁପାରିସ କରିଥିବା କୁହାଯାଉଛି।

ପ୍ରତି ୫୯୧୯ ଜଣରେ ଗୋଟିଏ ଏଟିଏମ୍‌
ଏଟିଏମ୍‌ ଇଣ୍ଟରଚେଞ୍ଜ ଫି ବଢ଼ାଯାଉ ନଥିବାରୁ ଉଭୟ ବ୍ୟାଙ୍କ ଏବଂ ତୃତୀୟ ପକ୍ଷ କମ୍ପାନି ଗୁଡ଼ିକ ଏଟିଏମ୍ ସଂଖ୍ୟା ବଢ଼ାଇ ପାରୁନାହାନ୍ତି। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ‌ଦେଶରେ ଏବେ ୨,୨୭,୦୦୦ ଏଟିଏମ୍ ରହିଛି। ଏଥିରୁ ୨୧୩୦୦ ଏଟିଏମ୍ ହ୍ବାଇଟ ଲେବଲ୍ ମେସିନ୍ ହୋଇଥିବାବେଳେ ଅବିଶିଷ୍ଟ ଏଟିଏମ୍ ଗୁଡ଼ିକ ବ୍ୟାଙ୍କ ଦ୍ବାରା ପରିଚାଳିତ ହେଉଛି। ତଥ୍ୟରୁ ଏହା ମଧ୍ୟ ଜଣାଯାଇଛି ଦେଶରେ ପ୍ରତି ୫ଟିରୁ ଗୋଟିଏ ଏଟିଏମ୍ ଗ୍ରାମାଞ୍ଚଳରେ ରହିଛି। ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଏହା ନୈରାଶ୍ୟଜନକ। ଗ୍ରାମାଞ୍ଚଳରେ ଥିବା ପ୍ରତି ୧୦ଟି ଏଟିଏମରେ ଗୋଟିଏ ‌ଘରୋଇ ବ୍ୟାଙ୍କର। ଚୀନ, ଆମେରିକା, ଜର୍ମାନୀ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ପ୍ରାୟ ପ୍ରତି ୨ ହଜାର ଲୋକରେ ଗୋଟିଏ ଏଟିଏମ୍ ଥିବାବେଳେ ଭାରତରେ ୫୯୧୯ ଜଣରେ ଗୋଟିଏ ଏଟିଏମ୍ ରହିଛି ବୋଲି ରିଜର୍ଭ ବ୍ୟାଙ୍କର ୨୦୧୭ ମସିହା ରିପୋର୍ଟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର