ଏଟିଏମ୍‌ ସଙ୍କଟ: ନଗଦ ଅଭାବ ୭୦ ହଜାର କୋଟି

ମୁମ୍ବାଇ: ଦେଶରେ ନଗଦ ଟଙ୍କାର କୌଣସି ଅଭାବ ନାହିଁ ବୋଲି ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କହିଥିଲେ। କିନ୍ତୁ ଆଜି ପ୍ରକାଶ ପାଇଥିବା ଏସ୍‌ବିଆଇର ଏକ ରିପୋର୍ଟ ଭିନ୍ନ ଚିତ୍ର ପ୍ରଦାନ କରୁଛି। ଦେଶରେ ୭୦ ହଜାର କୋଟିର ନଗଦ ଟଙ୍କା ଅଭାବ ରହିଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୧୮ ମାର୍ଚ ସୁଦ୍ଧା ଦେଶରେ ୧୯.୪ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ରହିବା କଥା। ମାତ୍ର ସେହି ସମୟରେ ପ୍ରଚଳନରେ ଥିବା ଟଙ୍କା ପରିମାଣ ୧୭.୫ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ ୧ ଲକ୍ଷ ୯୦ ହଜାର କୋଟି ଟଙ୍କା ଆହୁରି ଦରକାର ହେଉଥିଲା। ସେଥି ମଧ୍ୟରୁ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ଅଭାବ ଡିଜିଟାଲ୍‌ କାରବାର ଜରିଆରେ ପୂରଣ ହୋଇଯାଇଥିଲା। ସବୁ କିଛିକୁ ବାଦ ଦେବା ପରେ ଆହୁରି ୭୦ ହଜାର କୋଟିର ନଗଦ ଟଙ୍କା ଅଭାବ ରହିଯାଉଛି ବୋଲି ଏସ୍‌ବିଆଇ ଏହାର ରିପୋର୍ଟରେ କହିଛି।ଦେଶବାସୀ ପ୍ରତି ମାସରେ ହାରାହାରି ୨୦-୨୫ ହଜାର କୋଟି ଟଙ୍କା ଉଠାଣ କରିଥାନ୍ତି। ନଗଦ ଟଙ୍କାର ଯେଉଁ ଅଭାବ ରହିଛି ତାହା ମାସିକ ଉଠାଣର ତିନି ଗୁଣାରୁ ଅଧିକ। ନଗଦ ଟଙ୍କାର ଅଭାବ ବିଷୟରେ ରିପୋର୍ଟରେ କୁହାଯାଇଛି ଯେ ବିପୁଳ ପରିମାଣର ୨୦୦ ଟଙ୍କିଆ ନୋଟ୍‌ ଛପା ହେବାରୁ ଅନ୍ୟ ନୋଟ୍‌ ଛପା କାମ ପ୍ରଭାବିତ ହୋଇଥିଲା। ବିଶେଷ କରି କମ୍‌ ମୂଲ୍ୟର ନୋଟ୍‌ ଛପାଇବା ପ୍ରଭାବିତ ହୋଇଥିଲା। ସେଥିପାଇଁ ଏଟିଏମ୍‌ରେ ଆବଶ୍ୟକ ପରିମାଣର ଟଙ୍କା ରହୁନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ପ୍ରସ୍ତାବିତ ଆର୍ଥିକ ସମାଧାନ ଓ ଜମା ସୁରକ୍ଷା ବିଲ୍‌ ଯୋଗୁଁ ଲୋକମାନେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇ ଘରେ ରଖୁଛନ୍ତି ବୋଲି ଯେଉଁ ଚର୍ଚା ହେଉଛି ତାହାକୁ ମଧ୍ୟ ରିପୋର୍ଟରେ ଖଣ୍ଡନ କରାଯାଇଛି। ଟଙ୍କା ଅଭାବ ବିଷୟରେ ଗତକାଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଟଙ୍କା ପରିବହନରେ ସମସ୍ୟା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୨୦୦ ଟଙ୍କିଆ ପାଇଁ ଏଟିଏମ୍‌ଗୁଡ଼ିକୁ ରିକାଲିବ୍ରେଟ୍‌ କରାଯାଉଥିବାରୁ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଇପାରେ ବୋଲି କୁହାହାଯାଇଛି। ସରକାର କହୁଛନ୍ତି ଯେ କେତେକ ରାଜ୍ୟରେ ଫସଲ ସଂଗ୍ରହ ଚାଲିଥିବାରୁ ଟଙ୍କାର ଚାହିଦା ବଢ଼ିଯାଇଛି।

ନଭେମ୍ବରରୁ ଛପା ହେଉନଥିଲା ୫୦୦ ଟଙ୍କିଆ
ନୂଆଦିଲ୍ଲୀ: ନାସିକରେ ଥିବା ନୋଟ୍‌ ଛାପାଖାନାରେ ଗତବର୍ଷ ନଭେମ୍ବର ମାସରୁ ୫୦୦ ଟଙ୍କିଆ ନୋଟ୍‌ ଛପାଇବା ବନ୍ଦ କରିଦିଆଯାଇଥିଲା। ଦେଶରେ ଟଙ୍କା ଅଭାବ ଦେଖାଦେବା ପରେ ଦୀର୍ଘ ୬ ମାସ ପରେ ପୁଣି ଥରେ ଏହି ଛାପାଖାନାରେ ୫୦୦ ଟଙ୍କିଆ ନୋଟ୍‌ ଛପା ଆରମ୍ଭ ହୋଇଛି। ୨୦୧୭-୧୮ରେ ୧୮୦ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଛପାଇବାକୁ ନାସିକ ଛାପାଖାନାକୁ କୁହାଯାଇଥିଲା। ସେହି ଲକ୍ଷ୍ୟ ଗତବର୍ଷ ନଭେମ୍ବର ହାସଲ ହୋଇଯିବା ପରେ ୫୦୦ ଟଙ୍କିଆ ଛପାଇବା ବନ୍ଦ କରିଦିଆଯାଇଥିଲା। ଚଳିତ ବର୍ଷ ଏପ୍ରିଲ୍‌ ୧ରୁ ୨୦୦, ୧୦୦ ଓ ୨୦ ଟଙ୍କିଆ ନୋଟ୍‌ ଛପାଇବା ମଧ୍ୟ ବନ୍ଦ କରିଦିଆଯାଇଥିଲା। ଏହି କାରଖାନାରେ କେବଳ ୧୦ ଟଙ୍କିଆ ଓ ୫୦ ଟଙ୍କିଆ ଛପା ହେଉଥିଲା।

ସ୍ଥିତିରେ ସୁଧାର ହେଉଛି: ଷ୍ଟେଟ୍‌ ବ୍ୟାଙ୍କ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏଟିଏମ୍‌ରେ ନଗଦ ଟଙ୍କା ସ୍ଥିତିରେ ସୁଧାର ହେଉଛି। ଆଗାମୀ ଦିନରେ ସ୍ଥିତି ଆହୁରି ସ୍ୱାଭାବିକ ହେବ। ୨୪ ଘଣ୍ଟା ଭିତରେ ଏଟିଏମ୍‌ରେ ଅଧିକ ଟଙ୍କା ଭର୍ତି କରାଯାଇଛି। ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍‌ଗୁଡ଼ିକର ସ୍ଥିତିରେ ସୁଧାର ଅଣାଯାଉଛି। ଯଥା ସମ୍ଭବ କମ୍‌ ସମୟ ଭିତରେ ସ୍ୱାଭାବିକ ସ୍ଥିତି ଫେରି ଆସିବ ବୋଲି ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର