ଅଟୋ ଏକ୍ସପୋ ୨୦୧୮ ଆରମ୍ଭ ପ୍ରଥମ ଦିନରେ ୨୦ ନୂଆ ମଡେଲ୍‌

ଆଜିଠାରୁ ଗ୍ରେଟର ନୋଏଡାଠାରେ ଅଟୋ ଏକ୍ସପୋ ୨୦୧୮ ଆରମ୍ଭ ହୋଇଛି। ଏକ୍ସପୋରେ ପ୍ରଥମ ଦିନରେ ବିଭିନ୍ନ କଂପାନି ପକ୍ଷରୁ ଅନେକ ନୂତନ ମଡେଲ୍‌କୁ ଉନ୍ମୋଚନ କରାଯାଇଛି। ପ୍ରଥମ ଦିନରେ ୨୦ରୁ ଅଧିକ ନୂଆ କାର୍‌ ଏବଂ ବାଇକ୍‌ ମଡେଲ୍‌ ଉନ୍ମୋଚିତ ହୋଇଛି। କଂପାନିଗୁଡ଼ିକ ପକ୍ଷରୁ ଭବିଷ୍ୟତରେ ରାସ୍ତାରେ ଚାଲିବାକୁ ଥିବା ଅନେକ କନ୍‌ସେପ୍ଟ କାର୍‌କୁ ଉନ୍ମୋଚନ କରାଯାଇଛି। ସେହିପରି ଭାରତକୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଇଲେକ୍ଟ୍ରିକ୍‌ ଯାନଗୁଡ଼ିକୁ ମଧ୍ୟ ଉନ୍ମୋଚନ କରାଯାଇଛି। ତେବେ ଏହି କନ୍‌ସେପ୍ଟ ମଡେଲ୍‌ ଏବଂ ଇଲେକ୍ଟ୍ରିକ୍‌ ଯାନଗୁଡ଼ିକ କେବେ ବାସ୍ତବ ରୂପ ନେବ ତାହା ଆଗାମୀ ଦିନରେ ଜଣାପଡ଼ିବ। ଚଳିତ ବର୍ଷର ଅଟୋ ଏକ୍ସପୋରେ ୨୪ଟି ନୂଆ ମଡେଲ୍‌ର ଗାଡ଼ି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ କଂପାନିଗୁଡ଼ିକ ପକ୍ଷରୁ ଶତାଧିକ କାର୍‌ ଏବଂ ବାଇକ୍‌ ମଡେଲ୍‌କୁ ପ୍ରଦର୍ଶିତ ମଧ୍ୟ କରାଯିବ। ଆଜି ମାରୁତି ସୁଜୁକି, ହୁଣ୍ଡାଇ, ଟାଟା ମୋଟର୍ସ, ମହିନ୍ଦ୍ରା ଏବଂ କୋରିଆର କଂପାନି କିଆ ପକ୍ଷରୁ ନିଜ କଂପାନିର ବିଭିନ୍ନ ନୂଆ ଗାଡ଼ିଗୁଡ଼ିକୁ ଉନ୍ମୋଚନ କରାଯାଇଛି। ବିଏମ୍‌ଡବ୍‌ଲ୍ୟୁ ଏହାର କାର୍‌ ଏବଂ ବାଇକ୍‌ ଉଭୟ ମଡେଲ୍‌କୁ ଉନ୍ମୋଚନ କରିଛି। ମର୍ସିଡିସ୍‌ ବେଞ୍ଜର ନୂଆ କାର୍‌ ମଧ୍ୟ ଉନ୍ମୋଚିତ ହୋଇଛି। ହୋଣ୍ଡା ପକ୍ଷରୁ ନୂଆ ବାଇକ୍‌ ଏକ୍ସ-ବ୍ଲେଡ୍‌କୁ ଉନ୍ମୋଚନ କରାଯାଇଛି। ଟିଭିଏସ୍‌ ପକ୍ଷରୁ ଆପାଚିର ଉନ୍ନତ ଭର୍ସନ୍‌କୁ ଉନ୍ମୋଚନ କରାଯାଇଛି। ହୋଣ୍ଡାର ଏହାର ପଞ୍ଚମ ପିଢ଼ିର ଆକ୍ଟିଭାକୁ ପ୍ରଦର୍ଶନ କରିଛି। ରେନଲ୍ଟ ପକ୍ଷରୁ ଏହାର କେତେକ ଇଲେକ୍ଟ୍ରିକ୍‌ ଯାନର କନ୍‌ସେପ୍ଟ ମଡେଲ୍‌ ଏବଂ ନିକଟରେ ଉନ୍ମୋଚିତ ହୋଇଥିବା କ୍ୱିଡ୍‌ ସୁପର ହିରୋ ମଡେଲ୍‌କୁ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧିତ ଖବର