ଅଟୋମୋବାଇଲ ଶିଳ୍ପ ଉପରେ ମାନ୍ଦାବସ୍ଥା ମାଡ, ନଭେମ୍ବରରେ ପ୍ରମୁଖ କମ୍ପାନିମାନଙ୍କ ବିକ୍ରି ହ୍ରାସ

ମୁମ୍ବାଇ : ଅକ୍ଟୋବର ମାସରେ ପୂଜାଋତୁ ଯୋଗୁଁ ଭାରତୀୟ ଅଟୋମୋବାଇଲ ବଜାରରେ ଉତ୍ସାହ ଦେଖାଦେଇଥିଲା । କିନ୍ତୁ ନଭେମ୍ବରରେ ପୁଣି ଥରେ ବଜାରରେ ଭଟ୍ଟା ପଡିଯାଇଛି । ସେ ଦୁଇ ଚକିଆ ହେଉ କିମ୍ବା ତିନିଚକିଆ ବା ଚାରି ଚକିଆ, ପ୍ରାୟ ସମସ୍ତ ଅଟୋମୋବାଇଲ କମ୍ପାନିର ବିକ୍ରି ନଭେମ୍ବର ମାସରେ ହ୍ରାସ ପାଇଛି ।

ନଭେମ୍ବର ମାସରେ ଦେଶର ବୃହତ୍ତମ କାର କମ୍ପାନି ମାରୁତି-ସୁଜୁକୀର ବିକ୍ରି ୨ ପ୍ରତିଶତ ହ୍ରାସ ପାଇଛି । କମ୍ପାନି ଗତ ଅକ୍ଟୋବର ମାସରେ ୪.୫ ପ୍ରତିଶତ ବିକ୍ରି ଅଭିବୃଦ୍ଧି ହାସଲ କରିଥିଲା । ସେହିପରି ଘରୋଇ ବଜାରରେ ଟାଟା ମୋଟର୍ସର ବିକ୍ରି ୨୫ ପ୍ରତିଶତ ହ୍ରାସ ପାଇ ୩୮,୦୫୭ରେ ପହଞ୍ଚିଛି । ଅନ୍ୟତମ ଅଟୋମୋବାଇଲ କମ୍ପାନି ମହିନ୍ଦ୍ରାର ବିକ୍ରି ମଧ୍ୟ ୯ ପ୍ରତିଶତ ହ୍ରାସ ପାଇଛି । ଅନ୍ୟପକ୍ଷରେ ଦେଶର ପ୍ରମୁଖ ବାଣିଜ୍ୟିକ ଯାନ ନିର୍ମାତା କମ୍ପାନି ଅଶୋକ ଲିଲ୍ୟାଣ୍ଡର ବିକ୍ରି ୨୨ ପ୍ରତିଶତ ହ୍ରାସ ପାଇଛି ।

କେବଳ ଚାରି ଚକିଆ ଯାନ ନୁହେଁ, ନଭେମ୍ବର ମାସରେ ଦୁଇଚକିଆ ଯାନ ବିକ୍ରି ମଧ୍ୟ ହ୍ରାସ ପାଇଛି । ହିରୋ ମୋଟୋକର୍ପର ବିକ୍ରି ୧୫ ପ୍ରତିଶତ ହ୍ରାସ ପାଇଥିବାବେଳେ ଟିଭିଏସର ବିକ୍ରି ୧୭ ପ୍ରତିଶତ ହ୍ରାସ ପାଇଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବଜାରରେ ଗ୍ରାହକଙ୍କ ଚାହିଦା ହ୍ରାସ ପାଇଛି । ଅନ୍ୟପକ୍ଷରେ ଦେଶ ଆସନ୍ତା ଏପ୍ରିଲ ମାସରେ ବିଏସ-୪ରୁ ବିଏସ-୫ ପ୍ରଦୂଷଣ ମାନଦଣ୍ଡ ଆଡକୁ ଗତିକରୁଥିବାରୁ ଅନେକ କମ୍ପାନି ନିଜର ପୁୁରୁଣା ଇନଭେଣ୍ଟରୀ (ଗଚ୍ଛିତ ଯାନ) ହ୍ରାସ କରିବାକୁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର