ଦ୍ୱିତୀୟ ଥର ପରିଚାଳନା ଆରମ୍ଭ କରିବା ପାଇଁ ଜେଟ୍‌ ଏୟାରେଓ୍ଵଜ୍‌କୁ ଠୋସ୍‌ ଯୋଜନା ଦେବାକୁ କହିଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ : କିଛି ଦିନ ଧରି ଜେଟ୍‌ ଏୟାରେଓ୍ଵଜ୍‌ର ଭବିଷ୍ୟତ କ’ଣ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁରୁବାର ଏହାର ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରି ଦିଆଯାଇଛି । ପାଣ୍ଠି ଅଭାବ ହେତୁ କମ୍ପାନିରେ ତାଲା ପଡ଼ିଥିବା ବେଳେ ଏବେ ପୁଣି ଥରେ କମ୍ପାନିକୁ ଆଶାର ଆଲୋକ ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଗୁରୁବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତରଫରୁ ଜେଟ୍‌ ଏୟାରଲାଇନ୍‌କୁ ପୁଣି ଥରେ ଚାଲୁ କରିବା ପାଇଁ କମ୍ପାନିକୁ ଠୋସ୍‌ ଏବଂ ବିଶ୍ୱସନୀୟ ଯୋଜନା ନେଇ ଆସିବା ପାଇଁ କୁହାଯାଇଛି । ଯାହାଦ୍ୱାରା ଭବିଷ୍ୟତରେ ପୁଣି ଥରେ କମ୍ପାନିକୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଡିଜିସିଏର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଡିଜିସିଏ ନିୟମର ସୀମା ଭିତରେ ରହି କମ୍ପାନୀକୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବ । ସାହାଯ୍ୟ କରିବା ପାଇଁ କୌଣସି ନିୟମର ଉଲ୍ଲଂଘନ କରାଯିବ ନାହିଁ ବୋଲି କହିଛନ୍ତି ।

hindustantimes.com

ସୂଚନା ମୁତାବକ, କମ୍ପାନୀ ଉପରେ ୮ହଜାର କୋଟି ଟଙ୍କା ଋଣ ଭାର ରହିଥିବାରୁ ଏହାକୁ ସୁଝି ନ ପାରି ଆଜି ଦେବାଳିଆ ହୋଇ ପଡ଼ିଛି ଜେଟ୍‌ ଏୟାରେଓ୍ଵଜ୍‌ । କୌଣସି ବ୍ୟାଙ୍କ ପାଣ୍ଠି ଦେବାକୁ ରାଜି ନ ହେବାରୁ ଆଜିଠାରୁ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଛି ।

ସମ୍ବନ୍ଧିତ ଖବର