ସଚିବାଳୟରେ ହାକାଥନ୍‌ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ଅବସରରେ ଆୟୋଜିତ ୩୬ ଘଣ୍ଟିଆ ହାକାଥନ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଆଜି ସନ୍ଧ୍ୟାରେ ସଚିବାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ଉପସ୍ଥିତ ଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିପିୟୁଟିର ମିଳିତ ଆନୁକୂଲ୍ୟରେ ସିଇଟି କ୍ୟାମ୍ପସ୍‌ରେ ଦକ୍ଷତା ବିକାଶକୁ ନେଇ ଏକ ୩୬ ଘଣ୍ଟିଆ ସ୍ମାର୍ଟ ହାକାଥନ୍‌ ପ୍ରତିଯୋଗିତା ଆ‌ୟୋଜନ କରାଯାଇଥିଲା। ଏଥି ପାଇଁ ଦେଶବ୍ୟାପୀ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରୁ ୪୦୩୮ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଓଡ଼ିଶାରୁ ସମୁଦାୟ ୪୫ଟି ଦଳ ରହିଥିଲା ବେଳେ ଅନ୍ୟ ୧୧ଟି ରାଜ୍ୟର ୩୫ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। କୃଷିରେ ୯୨, ପରିବେଶ ବିଜ୍ଞାନ ଓ ଜଳବାୟୁରେ ୧୫୯, ଶିକ୍ଷାରେ ୧୮୯, ସ୍ବାସ୍ଥ୍ୟରେ ୧୯୮, ଗୃହ ଓ ସହରରେ ୫୮, ଶିଳ୍ପରେ ୪୬, ଦକ୍ଷତା ଓ ଉଦ୍ୟୋଗୀତାରେ ୩୪ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୩୦୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତି ବିଭାଗରେ ବିଜୟୀ ଦଳକୁ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଓଡ଼ିଶାରୁ ଓ ଓଡ଼ିଶା ବାହାରର ଶ୍ରେଷ୍ଠ ଦଳଙ୍କୁ ସ୍ବତନ୍ତ୍ର ପୁରସ୍କାର ଭାବେ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର