ଠକେଇ ବିଷୟରେ ଲୋକଙ୍କୁ ସଚେତନ କରିବ ରିଜର୍ଭ ବ୍ୟାଙ୍କ

 

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ଠକେଇ ବିଷୟରେ ସଚେତନ କରାଯିବ। ଏଥିପାଇଁ ଆର୍‌ବିଆଇ ପକ୍ଷରୁ ‘ସୁନୋ ଆର୍‌ବିଆଇ କ୍ୟା କେହତା ହୈ’ ଅଭିଯାନ ଆରମ୍ଭ କରାଯିବ। ଏଥିରେ ଲୋକମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ଠକେଇ ସମ୍ପର୍କରେ ସଚେତନତା ବାର୍ତା ବଣ୍ଟନ କରାଯିବ। ଇ-ମେଲ୍‌, ଏସ୍‌ଏମ୍‌ଏସ୍‌ ଏବଂ ଫୋନ୍‌ କଲ୍‌ ଜରିଆରେ ଲୋକମାନଙ୍କୁ ଠକି ଟଙ୍କା ହଡ଼କ କରିବା ମାମଲା ଦେଶରେ ବଢ଼ିଯାଇଛି। ଅନେକ ଲୋଭନୀୟ ଆର୍ଥିକ ସୁବିଧା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ଠକମାନେ ସାଧାରଣ ଲୋକମାନଙ୍କୁ ଅତି ସହଜରେ ଠକୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆର୍‌ବିଆଇ ଏହି ସଚେତନତା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହା ଏସ୍‌ଏମ୍‌ଏସ୍‌ ଜରିଆରେ ଲୋକମାନଙ୍କୁ ବିଭିନ୍ନ ବ୍ୟାଙ୍କିଙ୍ଗ ନୀତି ନିୟମ ବିଷୟରେ ଜଣାଇବ। ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେଉଥିବା ଆର୍ଥିକ ସୁବିଧାସୁଯୋଗଗୁଡ଼ିକ ବିଷୟରେ ସୂଚନା ମଧ୍ୟ ପ୍ରଦାନ କରାଯିବ। ‘ଆର୍‌ବିଆଇସେ’ ନାମରେ ଏସ୍‌ଏମ୍‌ଏସ୍‌ଗୁଡ଼ିକ ଲୋକମାନଙ୍କ ପାଖରେ ପହଞ୍ଚିବ। ଅଜଣା କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ର ଲୋଭରେ ପ୍ରଭାବିତ ନ ହେବା ପାଇଁ ପ୍ରଥମେ ଲୋକଙ୍କୁ ସଚେତନ କରାଯିବ। ଇ-ମେଲ୍‌ ଜରିଆରେ ମଧ୍ୟ ଲୋକଙ୍କୁ ସୂଚନା ପ୍ରଦାନ କରାଯିବ। ଲୋକମାନେ ଚାହିଁଲେ ୮୬୯୧୯୬୦୦୦୦କୁ କଲ୍‌ କରି ଅନେକ ସୂଚନା ହାସଲ କରିପାରିବେ।

ସମ୍ବନ୍ଧିତ ଖବର