ଘରେ ଟଙ୍କା ରଖିବାର ପୁରୁଣା ଅଭ୍ୟାସ ବଦଳୁନି

ନୂଆଦିଲ୍ଲୀ: ଏଟିଏମ୍‌ରେ ଦେଖାଦେଇଥିବା ନଗଦ ଟଙ୍କା ସଙ୍କଟର ଏକ ବଡ଼ କାରଣ ଜଣାପଡ଼ିଛି। ଲୋକମାନେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ରଖୁଥିବାରୁ ନଗଦ ଟଙ୍କାର ଅଭାବ ରହୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସଦ୍ୟତମ ରିପୋର୍ଟରେ ଏକଥା ଜଣାଇଛି।
ଘରେ ଟଙ୍କା ସଞ୍ଚୟ କରିବା ଭାରତୀୟମାନଙ୍କର ଏକ ପୁରୁଣା ଅଭ୍ୟାସ। ବିମୁଦ୍ରାକରଣ ପରେ ଏହି ଅଭ୍ୟାସରେ ପରିବର୍ତନ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ତାହା ହୋଇନାହିଁ। ଲୋକମାନେ ପୁଣି ଥରେ ଘରେ ଟଙ୍କା ସଞ୍ଚୟ କରିବା ଆରମ୍ଭ କରିଦେଇଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ ଏହାର ରିପୋର୍ଟରେ ସଙ୍କେତ ଦେଇଛି।
ଲୋକମାନେ ଖର୍ଚ ତୁଳନାରେ କମ୍‌ ଟଙ୍କା ଉଠାଇଥାନ୍ତି। କିନ୍ତୁ ଏଥିରେ ଏବେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଲୋକମାନେ ଯେତିକି ଟଙ୍କା ଖର୍ଚ କରୁନାହାନ୍ତି ତା’ଠାରୁ ଅଧିକ ଟଙ୍କା ଉଠାଉଛନ୍ତି। ଅର୍ଥାତ ବଳକା ଟଙ୍କାକୁ ସେମାନେ ନିଜ ପାଖରେ ରଖୁଛନ୍ତି। ତେବେ ଲୋକମାନେ କେତେ ଟଙ୍କା ଘରେ ଗଚ୍ଛିତ ରଖିଛନ୍ତି ତାହାର କୌଣସି ନିର୍ଦିଷ୍ଟ ତଥ୍ୟ ରିଜର୍ଭ ବ୍ୟାଙ୍କ ପାଖରେ ନାହିଁ।
ମାର୍ଚ ମାସର ଶେଷ ତିନି ସପ୍ତାହରେ ଦେଶବାସୀ ମୋଟ ୧୬,୪୭୦ କୋଟି ଟଙ୍କା ଉଠାଇଥିଲେ। କିନ୍ତୁ ଏପ୍ରିଲ୍‌ ମାସର ଗୋଟିଏ ସପ୍ତାହରେ ସେମାନେ ୧୬,୩୪୦ ଟଙ୍କା ଉଠାଇଛନ୍ତି। ଏପ୍ରିଲ୍‌ ମାସର ପ୍ରଥମ ତିନି ସପ୍ତାହରେ ଲୋକମାନେ ମୋଟ ୫୯,୫୨୦ କୋଟି ଟଙ୍କା ବ୍ୟାଙ୍କ କିମ୍ବା ଏଟିଏମ୍‌ରୁ ଉଠାଇଛନ୍ତି। ପୂର୍ବରୁ ସେମାନେ ତିନି ସପ୍ତାହରେ ଯେତିକି ଟଙ୍କା ଉଠାଇଥିଲେ ଏବେ ଗୋଟିଏ ସପ୍ତାହ ଭିତରେ ସେତିକି ଟଙ୍କା ଉଠାଉଛନ୍ତି। ଗତବର୍ଷ ଅକ୍ଟୋବର ପରଠାରୁ ଲୋକମାନେ ଅଧିକ ଟଙ୍କା ଉଠାଇବା ଆରମ୍ଭ କରିଛନ୍ତି।
ଚଳିତ ବର୍ଷର ଜାନୁଆରିରୁ ମାର୍ଚ ମାସ ଭିତରେ ଦେଶବାସୀ ବ୍ୟାଙ୍କରୁ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ଉଠାଇଛନ୍ତି। ଗତବର୍ଷ ତୁଳନାରେ ଏହା ୨୭% ଅଧିକ।
୨୦୧୮ ଏପ୍ରିଲ୍‌ ୨୦ ସୁଦ୍ଧା ଦେଶରେ ୧୮ ଲକ୍ଷ ୯୦ ହଜାର କୋଟି ଟଙ୍କା ପ୍ରଚଳନରେ ରହିଛି। ଯାହା ଗତବର୍ଷ ଅକ୍ଟୋବର ତୁଳନାରେ ୧୮.୯% ଅଧିକ। ଯେହେତୁ ଲୋକମାନେ ଅଧିକ ଟଙ୍କା ଉଠାଇ ନେଉଛନ୍ତି ତେଣୁ ବଜାରରେ ସୃଷ୍ଟି ହେଉଥିବା ଫାଙ୍କା ସ୍ଥାନ ପୂରଣ କରିବାକୁ ରିଜର୍ଭ ବ୍ୟାଙ୍କ ଅଧିକ ମୁଦ୍ରା ପ୍ରଚଳନ କରୁଛି।
ଏପ୍ରିଲ୍‌ ମାସ ଆରମ୍ଭ ବେଳକୁ ଦେଶରେ ହଠାତ୍‌ ଟଙ୍କା ସଙ୍କଟ ଦେଖାଦେଇଥିଲା। ଏଟିଏମ୍‌ରୁ ଟଙ୍କା ବାହାରିବା ବନ୍ଦ ହୋଇଯାଇଥିଲା। ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ବିହାରରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।
ହଠାତ ଏଭଳି ଟଙ୍କା ସଙ୍କଟକୁ ନେଇ ସରକାର, ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କଗୁଡ଼ିକ ବିସ୍ମିତ ହୋଇଯାଇଥିଲେ। ଟଙ୍କା ଅଭାବ ପୂରଣ କରିବାକୁ ଟଙ୍କା ଛାପାଖାନାଗୁଡ଼ିକରେ ନୋଟ୍‌ ଛପା ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର