‘ଜେଟ୍‌’ ସ୍ଥିତି କେତେ ଖରାପ?

ସରକାର, କର୍ମଚାରୀ, ଡିଜିସିଏ, ସେବି ସମସ୍ତେ ଅନ୍ଧାରରେ

ନୂଆଦିଲ୍ଲୀ: ଏକଦା ଦେଶର ଏକ ନମ୍ବର ବିମାନ କଂପାନି କୁହାଯାଉଥିବା ଜେଟ୍‌ ଏୟାରେଓ୍ଵଜ୍‌ର ସ୍ଥିତି ଆଦୌ ଭଲ ନାହିଁ। ଘୋର ଆର୍ଥିକ ସଙ୍କଟ ଦେଇ ଏହା ଗତି କରୁଛି। କର୍ମଚାରୀମାନଙ୍କୁ ଦରମା ଦେଇପାରୁନି। ଅନ୍ୟ ଯେଉଁ ସଂସ୍ଥାକୁ ଯାହା ପେମେଣ୍ଟ୍‌ କରିବା କଥା ତାହା ବିଳମ୍ବ କରୁଛି। ତେବେ ଏହି ସଂସ୍ଥାର ଅବସ୍ଥା କେତେ ଖରାପ ତାହା କେହି ଜାଣିପାରୁନାହାନ୍ତି। ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ଠାରୁ ଆରମ୍ଭ କରି କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପର୍ଯ୍ୟନ୍ତ କାହାରି ପାଖରେ ସଠିକ୍‌ ଖବର ନାହିଁ। କଂପାନି କ’ଣ ଲୁଚାଇବାକୁ ପ୍ରୟାସ କରୁଛି ତାହା କର୍ମଚାରୀମାନେ ମଧ୍ୟ ଜାଣିପାରୁନାହାନ୍ତି। ଡିଜିସିଏ ପକ୍ଷରୁ ଆସନ୍ତାକାଲି ଠାରୁ ଜେଟ୍‌ର ନିରାପତ୍ତା ଅଡିଟ୍‌ ଆରମ୍ଭ ହେବ। ଅର୍ଥାଭାବ ଯୋଗୁ କଂପାନି ଯାତ୍ରୀଙ୍କ ନିରାପତ୍ତା ସହିତ କିଛି ସାଲିସ୍‌ କରୁଛି ନା ନାହିଁ ତାହା ଜାଣିବାକୁ ଡିଜିସିଏ ପ୍ରୟାସ କରିବ। ସେହିପରି, କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜେଟ୍‌କୁ କେତେକ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ଏସବୁ କାଗଜପତ୍ରରୁ କଂପାନିର ଆର୍ଥିକ ସ୍ଥିତି ଜାଣିବାକୁ ମନ୍ତ୍ରଣାଳୟ ପ୍ରୟାସ କରିବ। ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍‌ ତ୍ରୈମାସିକରେ ଆର୍ଥିକ ଫଳାଫଳ ଘୋଷଣା କରିବାରେ ଜେଟ୍‌ ବିଳମ୍ବ କରିବା ପରେ ଏହାର ସ୍ଥିତି ଭଲ ନଥିବା ଜଣାପଡ଼ିଥିଲା। ଏହା ପରେ କଂପାନି ପକ୍ଷରୁ ଇଞ୍ଜିନିୟର ଓ ପାଇଲଟ୍‌ମାନଙ୍କ ବେତନ ହ୍ରାସ କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ, ପାଇଲଟ୍‌ମାନେ ତାହାକୁ ବିରୋଧ କରିବାକୁ କଂପାନି ନିଷ୍ପତ୍ତିକୁ ପ୍ରତ୍ୟାହାର କରିଥିଲା। କାହିଁକି ଜେଟ୍‌ ଏହାର ଆର୍ଥିକ ଫଳାଫଳ ଘୋଷଣା କରିବାରେ ବିଳମ୍ବ କଲା ତାହା ଜାଣିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ତଦନ୍ତ ଜାରି ରଖିଛି।

ଆଜି ଜେଟ୍‌ର କର୍ମଚାରୀ ସଂଘ ପକ୍ଷରୁ କଂପାନି କର୍ତୃପକ୍ଷଙ୍କୁ ଏକ ଚିଠି ଲେଖାଯାଇଛି। କଂପାନିର ପ୍ରକୃତ ସ୍ଥିତି କ’ଣ ତାହା ଜଣାଇବାକୁ କର୍ମଚାରୀମାନେ ଦାବି କରିଛନ୍ତି। କଂପାନିର ସିଇଓ ବିନୟ ଦୁବେଙ୍କୁ ସଂଘ ପକ୍ଷରୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ କେତେକ ଅଯଥା କାମରେ କଂପାନି ଅର୍ଥ ଖର୍ଚ କରୁଛି। ବିଦେଶୀ ପାଇଲଟ୍‌ଙ୍କୁ ମୋଟା ଅଙ୍କ ଦରମାରେ ନିଯୁକ୍ତି ଦିଆଯାଉଛି। ସଂଘର ପ୍ରତିନିଧିମାନେ ସିଇଓଙ୍କୁ ଭେଟି ଆଲୋଚନା କରିବାକୁ ଚାହୁଛନ୍ତି। କିନ୍ତୁ ସେଥିପାଇଁ ସିଇଓ ଉପଲବ୍ଧ ହେଉନାହାନ୍ତି ଯାହା କର୍ମଚାରୀ ଓ ଅଧିକାରୀମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

ଉଲ୍ଲେଖଯୋଗ୍ୟ ଯେ ଭାରତରେ ଏବେ ପାଖାପାଖି ୨୬ଟି ସଂସ୍ଥା ଯାତ୍ରୀବାହୀ ବିମାନ ସେବା ପ୍ରଦାନ କରୁଛନ୍ତି। ସେଥି ମଧ୍ୟରୁ ଜାତୀୟ ସ୍ତରରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଜେଟ୍‌ ଏୟାରେଓ୍ଵଜ୍‌, ସ୍ପାଇଟ୍‌ ଜେଟ୍‌, ଗୋଏୟାର, ଭିସ୍ତାରା ଓ ଏୟାରଏସିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଅନ୍ୟ କଂପାନିଗୁଡ଼ିକ ଆକାରରେ ଛୋଟ ଓ ସେଗୁଡ଼ିକ ନିର୍ଦିଷ୍ଟ କିଛି ରାଜ୍ୟ ଓ ରୁଟ୍‌ରେ ବିମାନ ସେବା ପ୍ରଦାନ କରୁଛନ୍ତି। ସେମାନଙ୍କ ସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ କାରବାର ସୀମିତ।

ସମ୍ବନ୍ଧିତ ଖବର