ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ୩୨୮ଟି ଔଷଧର ଉତ୍ପାଦନ, ବିପଣନ ଏବଂ ବିକ୍ରିକୁ ନିଷିଦ୍ଧ କରିଛି। ଏସବୁ ଔଷଧ ଗୁଡ଼ିକରେ ରୋଗନାଶକ ଯଥାର୍ଥତା ନଥିବାରୁ ଏଗୁଡ଼ିକୁ ନିଷିଦ୍ଧ କରାଯାଇଛି। ଉକ୍ତ ଔଷଧ ଗୁଡ଼ିକ ମଧ୍ୟରେ ଯନ୍ତ୍ରଣା ଉପଶମକାରୀ ଔଷଧ ସାରିଡନ୍ଠାରୁ ଆରମ୍ଭ କରି ତ୍ୱଚା କ୍ରିମ୍ ପାନ୍ଡର୍ମ ଆଦି ରହିଛି। ଔଷଧ ସେବନ ଦ୍ୱାରା ଲୋକଙ୍କୁ ଯେଉଁ ଲାଭ ମିଳିବା କଥା ଏସବୁ ଔଷଧ ଗୁଡ଼ିକରେ ଥିବା ଉପାଦାନ ସେଭଳି ଲାଭ ଦେଉନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଫଳରେ ଏସବୁ ଔଷଧର ଉତ୍ପାଦନ, ବିପଣନ ଏବଂ ବିକ୍ରିକୁ ତୁରନ୍ତ ବନ୍ଦ କରିଦିଆଯାଇଛି। ଯନ୍ତ୍ରଣା ଉପଶମକାରୀ ସାରିଡନ୍ଠାରୁ ଆରମ୍ଭ କରି ତ୍ୱଚା କ୍ରିମ୍ ପାନ୍ଡର୍ମ, ମଧୁମେହ ରୋଗର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଗ୍ଲକୋନର୍ମ ପିଜି, ଜୀବାଣୁନାଶକ ଲୁପିଡିକ୍ଲକ୍ସ ଏବଂ ବୀଜାଣୁନାଶକ ଟାକ୍ସିମ୍ ଏଜେଡ୍ ଆଦି ଔଷଧ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୬ ମାର୍ଚ୍ଚ ୧୦ ତାରିଖରେ ସରକାର ୩୪୪ଟି ଏଭଳି ଔଷଧକୁ ନିଷିଦ୍ଧ କରିଥିଲେ। ପରେ ଏହି ତାଲିକାରେ ଆଉ ୫ଟି ଔଷଧକୁ ମଧ୍ୟ ସାମିଲ କରାଯାଇଥିଲା। କିନ୍ତୁ ଏସବୁ ଔଷଧର ନିର୍ମାତାମାନେ ସରକାରଙ୍କର ଏହି ନିଷେଧାଦେଶକୁ ଦେଶର ବିଭିନ୍ନ ହାଇକୋର୍ଟ ଏବଂ ସର୍ବୋପରେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ତେବେ ୨୦୧୭ ଡିସେମ୍ବର ୧୫ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜାରି ବୋର୍ଡ (ଡିଟିଏବି)କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡିଟିଏବି ଏହାର ରିପୋର୍ଟରେ ଦର୍ଶାଇଥିଲା ଯେ, ଏସବୁ ଔଷଧର କୌଣସି ରୋଗନାଶକ ଯଥାର୍ଥତା ନାହିଁ। ଏପରିକି ଏସବୁ ଔଷଧ ଲୋକଙ୍କ ପାଇଁ ବିପଦ ବୋଲି ଦର୍ଶାଇ ବୋର୍ଡ ଏଗୁଡ଼ିକୁ ନିଷିଦ୍ଧ କରିବା ଲାଗି ସୁପାରିସ କରିଥିଲା। କେବଳ ନିଷିଦ୍ଧ ପାଇଁ କୁହାଯାଇଥିବା ଏହି ୩୨୮ଟି ଔଷଧ ନୁହେଁ, ଆଉ ୬ଟି ଔଷଧର ଉତ୍ପାଦନ ଓ ବିକ୍ରି ଉପରେ କଟକଣା ମଧ୍ୟ ଡିଟିଏବି ଲଗାଇଛି। ଏଗୁଡ଼ିକୁ ସୀମିତ ମାତ୍ରାରେ ଉତ୍ପାଦନ ଏବଂ ବିକ୍ରି ଲାଗି କହିଛି।
ଫିକ୍ସଡ୍ ଡୋଜ୍ କମ୍ବିନେସନ୍ ଔଷଧ କ’ଣ?
ଦୁଇ କିମ୍ବା ତା ଠାରୁ ଅଧିକ ଉପାଦାନ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ରହିଥିଲେ ତାହାକୁ ଫିକ୍ସଡ ଡୋଜ୍ କମ୍ବିନେସନ୍ ଔଷଧ କୁହାଯାଇଥାଏ। ଉଦାହରଣ ସ୍ୱରୂପ ନିଷିଦ୍ଧ ତାଲିକାରେ ରହିଥିବା ଏକ ଏଫ୍ଡିସି ମଧ୍ୟରେ ନାପ୍ରୋକ୍ସେନ ସହିତ ପାରାସିଟାମଲ୍ ରହିଛି। ଆମେରିକାରେ ପ୍ରାୟ ୫୦୦ ଏଫ୍ଡିସି ରହିଥିବା ବେଳେ ଭାରତରେ ୨୦୦୦ ପାଖାପାଖି ଏଫ୍ଡିସି ରହିଛି। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ର ପୂର୍ବତନ ସଭାପତି ଡା. କେ. କେ ଅଗରଓ୍ଵାଲା କହିଛନ୍ତି, ଦୁଇଟି ଔଷଧକୁ ମିଶାଇ ଏକ ନୂଆ ଔଷଧ ପ୍ରସ୍ତୁତ କରାଯାଇଥାଏ। ଯଦି ଏହା ଏକ ନୂଆ ଔଷଧ ହୋଇଥାଏ ତାହେଲେ ଔଷଧ ନିର୍ମାତାମାନେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆଙ୍କୁ ଏ ନେଇ ନୂତନଭାବେ ଆବେଦନ କରିବା ଉଚିତ। ଏଥିସହିତ ଏହାର ପରୀକ୍ଷଣ, ନିରାପତ୍ତା ପ୍ରମାଣ ମଧ୍ୟ କରିବା ଆବଶ୍ୟକ। ଏହାପରେ ହିଁ ସେସବୁ ଔଷଧ ବଜାରକୁ ଯିବା ଉଚିତ ବୋଲି ଡା ଅଗରଓ୍ଵାଲ କହିଛନ୍ତି। ସେହିଭଳି ଇଣ୍ଡିଆନ୍ ଫାର୍ମାସ୍ୟୁଟିକାଲ ଆଲାଏନ୍ସର ଦିଲ୍ଲୀପ ଶାହ କୁହନ୍ତି, ଅଧିକାଂଶ ଏଫ୍ଡିସିର ଉତ୍ପାଦନ କମ୍ପାନି ଗୁଡ଼ିକ ବନ୍ଦ କରିଦେଇଛନ୍ତି। ସେମାନଙ୍କ ନିକଟରେ ବିକ୍ରି ନିମନ୍ତେ ମଧ୍ୟ କମ୍ ଔଷଧ ରହିଛି।