ବ୍ୟାଙ୍କ ଠକେଇର ସିବିଆଇ ତନାଘନା

ଏଚ୍‌ ଆର୍‌ ଖାନ୍‌ଙ୍କୁ ପଚରାଉଚୁରା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ର ଠକେଇ ମାମଲାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ତଥା ଓଡ଼ିଆ ବ୍ୟାଙ୍କର ହାରୁନ୍‌ ରସିଦ୍‌ ଖାନ୍‌ଙ୍କୁ ସିବିଆଇ ଆଜି ପଚରାଉଚୁରା କରିଛି। ୨୦୧୧ରୁ ୨୦୧୬ ମଧ୍ୟରେ ଶ୍ରୀ ଖାନ୍‌ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଥିଲେ। ସେହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କର ଅଡିଟ୍‌ ବ୍ୟବସ୍ଥା କିଭଳି ବିଫଳ ହେଲା ଯାହାଦ୍ୱାରା ପିଏନ୍‌ବିରୁ ନିରବ ମୋଦି ଓ ମେହୁଲ ଚୋକ୍‌ସି ପ୍ରାୟ ୧୩ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଠକିନେଇ ପାରିଲେ ସେ ସମ୍ପର୍କରେ ଜାଣିବା ପାଇଁ ଶ୍ରୀ ଖାନ୍‌କୁ ସିବିଆଇ ପଚରାଉଚୁରା କରୁଛି। ସ୍ୱିଫ୍‌ଟ ମେସେଜିଂ ବ୍ୟବସ୍ଥାର ଦୁରୁପଯୋଗ କରାଯାଇ କିଭଳି ଦୀର୍ଘଦିନ ଧରି ଏହି ଠକେଇ ଚାଲିଥିଲା ତାହାର ଖୋଳତାଡ଼ ସିବିଆଇ କରୁଛି। ରିଜର୍ଭ ବ୍ୟାଙ୍କ ସାଧାରଣତଃ ବ୍ୟାଙ୍କ ଗୁଡ଼ିକର ଅଡ଼ିଟ କରିବାବେଳେ କୌଣସି ଥିରେ ହସ୍ତକ୍ଷେପ କରି ନଥାଏ। ଗୋଟିଏ ଶାଖାରେ କ’ଣ ଚାଲିଛି ତାହାକୁ ନଦେଖି ରିଜର୍ଭ ବ୍ୟାଙ୍କ ସେହି ବ୍ୟାଙ୍କର ବ୍ୟବସ୍ଥା କିଭଳି ଚାଲିଛି ତାହାର ଅନୁଧ୍ୟାନ କରିଥାଏ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ ସାଧାରଣ ନିର୍ବାଚନର ଭୋଟ ଗଣତି ହେବାର ୩ ଦିନ ପୂର୍ବରୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ ଆରମ୍ଭ କରିଥିବା ୮୦:୨୦ ସୁନା ଆମଦାନି ସ୍କିମ୍‌ ସମ୍ପର୍କରେ ଶ୍ରୀ ଖାନ୍‌ଙ୍କୁ ପଚରାଉଚୁରା କରାଯାଇଛି। ଏହି ଠକେଇ ମାମଲାରେ ଗତକାଲି ସିବିଆଇ ରିଜର୍ଭ ବ୍ୟାଙ୍କର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚୁରା କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ସିଜିଏମ୍‌ ଥିବାବେଳେ ଅନ୍ୟ ୩ ଜଣ ସାଧାରଣ ପରିଚାଳକ ରହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୮୦: ୨୦ ସୁନା ସ୍କିମ୍‌ ନୀତିକୁ କାର୍ଯ୍ୟକାରୀ କରିବା ସହିତ କୋହଳ କରିବା ଯୋଗୁ ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟବସାୟୀମାନେ ଏଥିରୁ ବିପୁଳ ଲାଭ ଉଠାଇଥିଲେ। ଉପା ସରକାରଙ୍କ ଏହି ସ୍କିମ୍‌ ଯୋଗୁଁ ୬ ମାସ ମଧ୍ୟରେ ୧୩ଟି ଟ୍ରେଡିଂ ହାଉସ୍‌ ୪୫୦୦ କୋଟି ଟଙ୍କାର ମୁନାଫା କମାଇଥିଲେ ବୋଲି ସରକାର କହୁଛନ୍ତି। ମେହୁଲ୍‌ ଚୋକ୍‌ସିଙ୍କ ମାଲିକାନାରେ ଥିବା ଗୀତାଞ୍ଜଳି ଜେମ୍‌ସ ୨୦୧୩ ଜୁନ୍‌ରୁ ନଭେମ୍ବର ମଧ୍ୟରେ ୩ କ୍ୱିଣ୍ଟାଲ ସୁନା ଆମଦାନି କରିଥିଲା। ଏତଦ୍‌ବ୍ୟତୀତ ୨୦୧୪ ଜୁନ୍‌ରୁ ନଭେମ୍ବର ମଧ୍ୟରେ ୪ କ୍ୱିଣ୍ଟାଲ ସୁନା ଆମଦାନି କରିଥିଲା। ପୂର୍ବ ସରକାରଙ୍କ ଅମଳରେ ଘରୋଇ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡ଼ିକ ପାଇଁ ଯେଉଁମାନେ ଏହି ସୁନା ଆମଦାନି ସ୍କିମ୍‌କୁ କୋହଳ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିବାର ପ୍ରାୟ ମାସକ ପରେ ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ସିବିଆଇ ପଚରାଉଚୁରା କରୁଛି। ୨୦୧୪ ମସିହା ମେ ୨୧ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ଏକ ନୂଆ ସର୍କୁଲାର ଜାରି କରାଯାଇଥିଲା ଯେଉଁଥିରେ ମୂଳ ସର୍କୁଲାରରେ କିଛିଟା ପରିବର୍ତନ କରାଯାଇଥିଲା। ମେ ୨୧ ତାରିଖ ବେଳକୁ ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ସରିଥିଲା। ଯଦିଓ ଏଥିରେ ବିଜେପି ବିପୁଳ ବିଜୟ ହାସଲ କରିଥିଲା କିନ୍ତୁ ମୋଦିଙ୍କ ଶପଥ ଗ୍ରହଣ ହୋଇ ନଥିଲା। ମେ ୨୧ ତାରିଖର ସର୍କୁଲାର ଠିକ୍‌ ନଥିଲା। ବ୍ୟାଙ୍କ ପରିବର୍ତେ କେତୋଟି ଘରୋଇ ସଂସ୍ଥାକୁ ସୁନା ଆମଦାନିର ଲାଭ ଦେବା ପାଇଁ ଏହି ସର୍କୁଲାର ଜାରି କରାଯାଇଥିଲା ବୋଲି ଭାରତୀୟ ଗହଣା ବ୍ୟବସାୟୀ ସଂଘ ଆଇବିଜେଏ ଅଭିଯୋଗ କରିଥିଲା। ଏପରିକି ଗହଣା ବ୍ୟବସାୟ ସହ ଜଡ଼ିତ ନଥିବା ରପ୍ତାନିକାରୀମାନେ ମଧ୍ୟ ୨ ଟନ୍‌ ସୁନା ଆମଦାନି କରିଥିଲେ ବୋଲି କୁହାଯାଇଛି। ଭାରତ ଏବଂ ବିଦେଶ ବଜାରରେ ସୁନା ମୂଲ୍ୟରେ ଥିବା ପାର୍ଥକ୍ୟରୁ ଲାଭ ଉଠାଇବା ପାଇଁ ରପ୍ତାନିକାରୀ ସଂସ୍ଥା ଗୁଡ଼ିକ ସୁନା ଆମଦାନି କରିଥିଲେ। ବାସ୍ତବରେ ଗହଣାର କୌଣସି ରପ୍ତାନି ହୋଇ ନଥିଲା। ତେବେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍‌ ରାଜନ୍‌ ରିଜର୍ଭ ବ୍ୟାଙ୍କର ପଦକ୍ଷେପକୁ ସମର୍ଥନ କରିସାରିଛନ୍ତି। ସେ କହିଛନ୍ତି ଯେ ଯଦି ସେହି ପଦକ୍ଷେପଟି ଠିକ୍‌ ନଥିଲା ବୋଲି ନୂଆ ସରକାର ଅନୁଭବ କରିଥିଲେ ତାହେଲେ ତାହାକୁ ତୁରନ୍ତ ବନ୍ଦ କରିଦେଇ ପାରିଥାନ୍ତେ ।

ହଂକଂରୁ ନିରବଙ୍କୁ ଭାରତ ଆଣିବାକୁ ଉଦ୍ୟମ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇ ମାମଲାର ମୁଖ୍ୟ ଖଳନାୟକ ନିରବ ମୋଦିଙ୍କୁ ଗିରଫ କରିବା ପାଇଁ ଭାରତ ସରକାର ହଂକଂ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଠକେଇ ଜଣାପଡ଼ିବା ପୂର୍ବରୁ ଯଦିଓ ନିରବ ମୋଦି ଓ ଅନ୍ୟତମ ଅଭିଯୁକ୍ତ ତଥା ନିରବ ମୋଦିଙ୍କ ମାମୁ ମେହୁଲ ଚୋକ୍‌ସି ଦେଶ ଛାଡ଼ି ବିଦେଶ ପଳାଇଛନ୍ତି ତଥାପି ସେମାନେ କେଉଁଠି ଅଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏହାସତ୍ତ୍ୱେ ନିରବ ଓ ମେହୁଲ ହଂକଂରେ ଥିବା ଅନୁମାନ କରି ହଂକଂ ସରକାରଙ୍କୁ ସେମାନଙ୍କୁ ଗିରଫ ପାଇଁ ଅନୁରୋଧ କରିଛନ୍ତି। ଗତମାସ ୨୩ ତାରିଖରେ ଏ ନେଇ ଅନୁରୋଧ ପଠାଯାଇଛି ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. କେ. ସିଂହ ଗୁରୁବାର ସଂସଦରେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସେମାନଙ୍କର ପାସପୋର୍ଟକୁ ମଧ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି।

ଚନ୍ଦାଙ୍କୁ ଦିଅରଙ୍କୁ ପଚରାଉଚୁରା ଜାରି

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ଦିଅର ରାଜୀବ କୋଚ୍ଚରଙ୍କୁ ସିବିଆଇ ଆଜି ଦ୍ୱିତୀୟ ଦିନ ପାଇଁ ପଚରାଉଚୁରା କରିଛି। ଭିଡିଓକନ୍‌ ଗ୍ରୁପ୍‌କୁ ୨୦୧୨ ମସିହାରେ ଆଇସିଆଇସିଆଇ ବ୍ୟାଙ୍କର ୩୨୫୦ କୋଟି ଟଙ୍କାର ଋଣ ମଞ୍ଜୁର ଘଟଣାରେ ସିବିଆଇ ଏହି ପଚରାଉଚୁରା କରୁଛି। ଗତକାଲି ମୁମ୍ବାଇ ବିମାନ ବନ୍ଦରରୁ ତାଙ୍କ ଆପ୍ରବାସନ କାର୍ଯ୍ୟାଳୟର ଅଧିକାରୀମାନେ ଅଟକ ରଖି ସିବିଆଇକୁ ହସ୍ତାନ୍ତର କରିଥିଲେ। ସିବିଆଇ ଗତକାଲି ତାଙ୍କୁ ପଚରାଉଚୁରା କରିଥିଲା। ଆଜି ମଧ୍ୟ ତାଙ୍କୁ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ଲାଗି ସିବିଆଇ କହିଥିଲା। ଭିଡିଓକନ୍‌କୁ ଋଣ ପ୍ରଦାନରେ ହୋଇଥିବା ଅନିୟମିତତା ମାମଲାରେ ସିବିଆଇ ଏହାର ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର