ବ୍ୟାଙ୍କ ଠକେଇ:୩ ବର୍ଷରେ ୧୩ ହଜାର ଥର

ବର୍ଷକରେ ବ୍ୟାଙ୍କ ହରାଇଛନ୍ତି ୧୭ ହଜାର କୋଟି:ମାଲ୍ୟା, ନିରବଙ୍କ ଭଳି ଅପରାଧୀଙ୍କ ପାଇଁ ଆସିବ ନୂଆ ଆଇନ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପିଏନ୍‌ବିରୁ ହୀରା ବ୍ୟବସାୟୀ ନିରବ ମୋଦି ୧୧,୪୦୦ କୋଟି ଲୁଟି ନେବା ପରେ ଏବେ ବ୍ୟାଙ୍କ ଠକେଇ ସଂପର୍କରେ ନୂଆ ନୂଆ ରୋଚକ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଭାରତରେ ପ୍ରତିବର୍ଷ ବହୁ ସଂଖ୍ୟାରେ ବ୍ୟାଙ୍କ ଠକେଇ ହେଉଛି। ଏହି ଠକେଇ ବାବଦରେ ବ୍ୟାଙ୍କ ଗୁଡ଼ିକ ମଧ୍ୟ ଆଖି ଖୋସି ହୋଇଗଲା ଭଳି କ୍ଷତି ସହୁଛନ୍ତି। ସଂସଦରେ ସରକାର ରଖିଥିବା ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୧୭ ମଧ୍ୟରେ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାରେ ୧୨,୭୮୭ଟି ଠକେଇ ଧରାପଡ଼ିଛି। କେବଳ ପିଏନ୍‌ବି ଭଳି ସରକାରୀ ବ୍ୟାଙ୍କ ନୁହେଁ ଘରୋଇ ବ୍ୟାଙ୍କ ଗୁଡ଼ିକ ମଧ୍ୟ ଏ ଠକାମୀର ଶିକାର ହୋଇଛନ୍ତି। ଗୋଟିଏ ଆର୍ଥିକ ବର୍ଷ ୨୦୧୬-୧୭ରେ ଭାରତୀୟ ବ୍ୟାଙ୍କ ଗୁଡ଼ିକ ଏହି ଠକେଇ ଯୋଗୁଁ ୧୬,୭୮୯ କୋଟି ଟଙ୍କା ହରାଇଛନ୍ତି। ୨୦୧୪ ମସିହାରୁ ଦେଶରେ ବର୍ଷକୁ ହାରାହାରି ୪୦୦୦ ବ୍ୟାଙ୍କ ଠକେଇ ଧରାପଡ଼ୁଛି। ୨୦୧୪ରୁ ୨୦୧୭ ମଧ୍ୟରେ ହୋଇଥିବା ବ୍ୟାଙ୍କ ଠକେଇକୁ ବର୍ଷବ୍ୟାପୀ ଦେଖିଲେ ୨୦୧୪-୧୫ରେ ସବୁଠୁ ଅଧିକ ଠକେଇ ହୋଇଛି। ୨୦୧୫-୧୬ରେ ଠକେଇ ସଂଖ୍ୟା କିଛିଟା ହ୍ରାସ ପାଇଥିବାବେଳେ ୨୦୧୬-୧୭ରେ ଏହା ପୁଣି ବୃଦ୍ଧି ଘଟିଛି। ସେହିଭଳି ଉପରୋକ୍ତ ୩ ବର୍ଷରେ ହୋଇଥିବା ସମୁଦାୟ ୧୨,୭୮୭ ବ୍ୟାଙ୍କ ଠକେଇ ମଧ୍ୟରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକରେ ୮୬୨୨ଟି ଠକେଇ ହୋଇଥିବାବେଳେ ଘରୋଇ ବ୍ୟାଙ୍କ ଗୁଡ଼ିକରେ ୪୧୫୬ଟି ଠକେଇ ହୋଇଛି। ଠକେଇ କେବଳ ସରକାରୀ ବ୍ୟାଙ୍କରେ ହେଉଛି ଏବଂ ଘରୋଇ ବ୍ୟାଙ୍କରେ ହେଉନାହିଁ ଯାହା କୁହାଯାଉଛି ତାହା ଭୁଲ। ସରକାରୀ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଷ୍ଟେଟ ବ୍ୟାଙ୍କର ଠକେଇ ସଂଖ୍ୟା ସବୁଠୁ ଅଧିକ ରହିଛି। ଷ୍ଟେଟ ବ୍ୟାଙ୍କ ପଛକୁ ୫ଟି ବୃହତ୍‌ ବ୍ୟାଙ୍କ ମଧ୍ୟରେ ରହିଥିବା ବ୍ୟାଙ୍କ ଅଫ୍‌ ବରୋଦା ଦ୍ୱିତୀୟ ସ୍ଥାନରେ ରହିଛି।

ନୂଆଦିଲ୍ଲୀ: ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇ ପରିଶୋଧ ନକରି ବିଦେଶ ପଳାଉଥିବା ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ଭଳି ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ନୂଆ ଆଇନ ଆଣିବେ। ଯେତେବେଳ ପର୍ଯ୍ୟନ୍ତ ଏଭଳି ବ୍ୟକ୍ତିମାନେ ତଦନ୍ତକାରୀ ଏଜେନ୍ସି ଗୁଡ଼ିକ ସମ୍ମୁଖରେ ହାଜର ନହେବେ ସେପର୍ଯ୍ୟନ୍ତ ଏହିସବୁ ବ୍ୟକ୍ତିଙ୍କର ସମ୍ପତ୍ତିକୁ ସରକାର ଜବତ କରିନେବେ। ଏହି କଠୋର ଆଇନ ପ୍ରସ୍ତୁତି ଲାଗି ମୋଦି ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ବର୍ତମାନ ସୁଦ୍ଧା ପ୍ରସ୍ତାବିତ ଏହି ବିଲ୍‌ଟି ପବ୍ଲିକ୍‌ ଡୋମେନ୍‌ରେ ରହିଛି ଏବଂ ଏହା ଉପରେ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି। ପ୍ରସ୍ତାବିତ ଆଇନ ଅନୁଯାୟୀ ‘ପଳାତକ ଆର୍ଥିକ ଅପରାଧୀ’ ସେହି ବ୍ୟକ୍ତିମାନଙ୍କୁ କୁହାଯିବ ଯେଉଁମାନଙ୍କ ବିରୋଧରେ ଆର୍ଥିକ ଅପରାଧକୁ ନେଇ ଗରିଫ ପରଓ୍ଵାନା ଜାରି ହୋଇଛି ଏବଂ ଆଇନକୁ ଫାଙ୍କିଆ ଲାଗି ସେମାନେ ଦେଶ ଛାଡ଼ି ବିଦେଶ ପଳାଇଛନ୍ତି। ଆସନ୍ତାମାସ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହି ବିଲ୍‌କୁ ଆଗତ କରାଯିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର