ବ୍ୟାଙ୍କ ଠକେଇ: ଛୋଟ ଭୁଲ୍‌ରୁ ବଡ଼ ଠକେଇ

ନୂଆଦିଲ୍ଲୀ: ସାତ ବର୍ଷ ଧରି ଚାଲିିଥିଲା ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଠକେଇ। କିନ୍ତୁ ଏ ବିଷୟରେ ରିଜର୍ଭ ବ୍ୟାଙ୍କ କିମ୍ବା ଅର୍ଥ ମନ୍ତ୍ରଣାଳୟ କେହି କିଛି ବି ଜାଣିପାରିନଥିଲେ। କିନ୍ତୁ, ଏହି ଠକେଇକୁ ଆଗୁଆ ରୋକାଯାଇପାରିଥାନ୍ତା। ରିଜର୍ଭ ବ୍ୟାଙ୍କ ଦେଇଥିବା ଏକ ପରାମର୍ଶକୁ ଯଦି ପିଏନ୍‌ବି ପାଳନ କରିଥାନ୍ତା, ତେବେ ଠକେଇ ଏତେ ବଡ଼ ହୋଇନଥାନ୍ତା। ୨୦୧୬ରେ ବାଲାଂଦେଶ କେନ୍ଦ୍ରୀୟ ବ୍ୟାଙ୍କରେ ସାଇବର୍‌ ଆକ୍ରମଣ ହୋଇଥିଲା। ହ୍ୟାକର୍‌ମାନେ ସ୍ୱିଫ୍‌ଟ ପ୍ରଯୁକ୍ତିକୁ ହ୍ୟାକ୍‌ କରି ୫୨୫ କୋଟି ଟଙ୍କା ଉଡ଼ାଇ ନେଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏକଥା ଜାଣିବା ପରେ ଦେଶର ସବୁ ବ୍ୟାଙ୍କଗୁଡ଼ିକୁ ଏବିଷୟରେ ଅବଗତ କରିଥିଲା। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପରେ ନିଜର ନେଟ୍‌ଓ୍ଵର୍କକୁ ସ୍ୱିଫ୍ଟ ପ୍ରଯୁକ୍ତି ସହ ଯୋଡ଼ିବା ପାଇଁ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଥିଲା। ଯଦି ରିଜର୍ଭ ବ୍ୟାଙ୍କର ସେହି ଛୋଟିଆ ପରାମର୍ଶକୁ ମାନି ପିଏନ୍‌ବି ନିଜର ବ୍ୟବସ୍ଥା ସୁଦୃଢ଼ କରିଥାନ୍ତା, ତେବେ ନିରବ ମୋଦି ଏତେ ବଡ଼ ଠକେଇ କରିପାରିନଥାନ୍ତେ। ସ୍ୱିଫ୍ଟ ପ୍ରଯୁକ୍ତିକୁ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ତିନି ତିନି ଥର ସତର୍କ କରାଯାଇଥିଲା। ପିଏନ୍‌ବି ତାହାକୁ ଗମ୍ଭୀରତାର ସହ ନେଇନଥିଲା। ତାହାର ପରିଣାମ ହେଉଛି ଏତେ ବଡ଼ ଠକେଇ। ବ୍ୟାଙ୍କର ସଫ୍ଟଓୟାର ଏବଂ ପ୍ରଯୁକ୍ତିରେ ଯେଉଁ ଫାଙ୍କା ସ୍ଥାନ ରହିଥିଲା ତାହାକୁ ବ୍ୟାଙ୍କର ଷ୍ଟାଫ୍‌ମାନେ ଏହି ଠକେଇ ପାଇଁ ବ୍ୟବହାର କରିଥିଲେ। ସ୍ୱିଫ୍ଟ ପ୍ରଯୁକ୍ତି ଏବଂ ବ୍ୟାଙ୍କର ସଫ୍ଟଓୟାର ଭିତରେ କୌଣସି ତାଳମେଳ ନଥିଲା ବୋଲି ଜଣାପଡ଼ିଛି। ଯଦି ବର୍ଷକ ପୂର୍ବରୁ ଏକଥା ଜଣାପଡ଼ିଥାନ୍ତା ତେବେ ନିରବ ମୋଦି କରିଥିବା ଠକେଇ ପରିମାଣ ଅତିବେଶିରେ ୫୦୦୦ କୋଟି ଟଙ୍କା ଭିତରେ ସୀମିତ ରହିଥାନ୍ତା। ପିଏନ୍‌ବି ପକ୍ଷରୁ କୁହାଯାଇଛି ଯେ, ନିରବ ମୋଦିଙ୍କୁ ୨୦୧୧ରୁ ୨୦୧୬ ଭିତରେ ୬୫୦୦ କୋଟି ଟଙ୍କାର ଲେଟର ଅଫ୍‌ ଅଣ୍ଡରଟେକିଂ (ଏଲ୍‌ଓୟୁ) ପ୍ରଦାନ କରାଯାଇଥିଲା। ୨୦୧୭ର ମାର୍ଚରୁ ମେ’ ମାସ ଭିତରେ ୪୯୦୦ କୋଟି ଟଙ୍କାର ଏଲ୍‌ଓୟୁ ଜାରି କରାଯାଇଥିଲା। ଅର୍ଥାତ ୨୦୧୭ରେ ତରବରିଆ ଭାବେ ଅନେକ ଏଲ୍‌ଓୟୁ ଜାରି କରାଯାଇଥିଲା। ଅନ୍ୟ ପକ୍ଷରେ, ଏକ ସ୍ୱତନ୍ତ୍ର ଅଦାଲତରେ ସିବିଆଇ ପକ୍ଷରୁ କୁହାଯାଇଛି ଯେ, ୨୦୦୮ରୁ ବେଆଇନ ଭାବେ ଏଲ୍‌ଓୟୁ ଜାରି କରାଯାଉଥିଲା। ସିବିଆଇ ଗରିଫ କରିଥିବା ବ୍ୟାଙ୍କ ଷ୍ଟାଫ୍‌୍‌ମାନଙ୍କୁ ପଚରାଉଚୁରା କରି ଏହି ତଥ୍ୟ ଜାଣିବାକୁ ପାଇଛି।

ନିରବଙ୍କ ୧୪୧ ଖାତା ଜବତ
ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ମାମଲାରେ ଆୟକର ବିଭାଗ ପକ୍ଷରୁ ନିରବଙ୍କ ୧୪୧ଟି ଖାତା ଜବତ କରାଯାଇସାରିଲାଣି। ବୁଧବାର ଆୟକର ବିଭାଗ ନିରବଙ୍କ ୧୪୫.୭୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ବିଭିନ୍ନ ବ୍ୟାଙ୍କ ଖାତାରେ ଏହି ସବୁ ଜମା ରାଶି ରହିଥିଲା।

ସରକାର ହରାଇଲେ ୩୦ ହଜାର କୋଟି
ମୁମ୍ବାଇ: ପିଏନ୍‌ବି ଓ ରୋଟୋମ୍ୟାକ୍‌ ଠକେଇର ପର୍ଦାଫାସ ହେବା ପରେ ନିବେଶକମାନେ ଷ୍ଟକ ବଜାରରେ ସରକାରୀ ବ୍ୟାଙ୍କଗୁଡ଼ିକର ସେୟାର ବିକ୍ରି କରିଦେଉଛନ୍ତି। ଏହାର ପ୍ରଭାବରେ ବିଗତ ସାତ ଦିନ ଭିତରେ ସରକାର ୩୦ ହଜାର କୋଟି ଟଙ୍କା ଷ୍ଟକ୍‌ ବଜାରରେ ହରାଇଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକର ବଜାର ପୁଞ୍ଜି ପରିମାଣ ୩୦ ହଜାର କୋଟି ଟଙ୍କା ହ୍ରାସ ପାଇଛି। ସରକାରୀ ବ୍ୟାଙ୍କଗୁଡ଼ିକରେ ସରକାରଙ୍କ ଥିବା ଅଂଶଧନର ମୂଲ୍ୟ ଏହି ଦୁଇ ଠକେଇ ପୂର୍ବରୁ ୨.୯ ଲକ୍ଷ କୋଟି ଟଙ୍କା ଥିଲା। ଏବେ ତାହା ୨.୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି।

ଗ୍ରାହକଙ୍କୁ କହିଲା ପିଏନ୍‌ବି: ନିଶ୍ଚିତ ରୁହ
ନୂଆଦିଲ୍ଲୀ: ଠକେଇକୁ ନେଇ ଗ୍ରାହକଙ୍କ ମନରେ ଯେଉଁ ଭୟ ସୃଷ୍ଟି ହୋଇଛି ତାହାକୁ ଦୂର କରିବା ପାଇଁ ପିଏନ୍‌ବି ପକ୍ଷରୁ ଆଜି ସବୁ ଗ୍ରାହକଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି। ଆମ ପାଖରେ ଯଥେଷ୍ଟ ପରିମାଣର ପୁଞ୍ଜି ରହିଛି। ଏଭଳି ସ୍ଥିତିର ମୁକାବିଲା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେଣୁ ନିଶ୍ଚିତ ରୁହନ୍ତୁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ପିଏନ୍‌ବି ଟଙ୍କା ଉଠାଣ ଉପରେ କଟକଣା ଜାରି କରିବ ବୋଲି ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା।

ସମ୍ବନ୍ଧିତ ଖବର