ବ୍ୟାଙ୍କ ଠକେଇ ତଦନ୍ତ ପାଇଁ ବିଶେଷଜ୍ଞ ଖୋଜୁଛି ସିବିଆଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ୧୩ କୋଟି ଟଙ୍କାରୁ ଊର୍ଧ୍ୱ ଠକେଇ ସମେତ ଅନ୍ୟ ବ୍ୟାଙ୍କ ଠକେଇ ଗୁଡ଼ିକର ତଦନ୍ତ କରୁଛି। ତେବେ ଏହି ଠକେଇର ତଦନ୍ତ ଉପଯୁକ୍ତ ଭାବେ କରିବା ଲାଗି ସିବିଆଇ ବ୍ୟାଙ୍କ ଏବଂ ଟିକସ ବିଶେଷଜ୍ଞଙ୍କ ସହାୟତା ନେବ ବୋଲି ଜଣାପଡ଼ିଛି। ବିଭିନ୍ନ ମନ୍ତ୍ରାଳୟରୁ ସିବିଆଇ ଡେପୁଟେସନ୍‌ରେ ଏହି ବିଶେଷଜ୍ଞମାନଙ୍କୁ ଆଣିବ ଏବଂ ଏଥିପାଇଁ ସେମାନଙ୍କୁ ଭଲ ଆର୍ଥିକ ପ୍ରୋତ୍ସାହନ ଦେବ। ସିବିଆଇ ପକ୍ଷରୁ ଏ ନେଇ ଅର୍ଥ ଓ ଅନ୍ୟ କେତେକ ପ୍ରମୁଖ ମନ୍ତ୍ରାଳୟକୁ ଚିଠି ଦିଆଯାଇଛି। ଏଥିରେ ସିବିଆଇ ବ୍ୟାଙ୍କିଙ୍ଗ୍‌ ଉପଦେଷ୍ଟା, ବହିର୍ବାଣିଜ୍ୟ କିମ୍ବା ବୈଦେଶିକ ମୁଦ୍ରା ବିଭାଗର ବରିଷ୍ଠ ଉପଦେଷ୍ଟା ଏବଂ ଟିକସ କ୍ଷେତ୍ରରେ ବରିଷ୍ଠ ଉପଦେଷ୍ଟାଙ୍କୁ ମାଗିଛି। ଯେଉଁମାନେ ଚୟନ ହେବେ ସେମାନଙ୍କୁ ସିବିଆଇରେ ପ୍ରଥମେ କିଛିଦିନ ପାଇଁ କାର୍ଯ୍ୟ କରିବାର ସୁଯୋଗ ମିଳିବ। ସିବିଆଇର ତଦନ୍ତକାରୀ ଅଧିକାରୀମାନଙ୍କୁ ଏହି ବିଶେଷଜ୍ଞମାନେ ବ୍ୟାଙ୍କିଙ୍ଗ, ବୈଦେଶିକ ମୁଦ୍ରା, ଟିକସ ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରସଙ୍ଗରେ ପରାମର୍ଶ ଦେବେ। ସିବିଆଇକୁ ଆସିବାକୁ ଥିବା ଏହି ଅଧିକାରୀମାନଙ୍କୁ ବେତନ ଉପରେ ୨୦ ପ୍ରତିଶତ ପ୍ରୋତ୍ସାହନ ଦିଆଯିବ। ବ୍ୟାଙ୍କିଙ୍ଗ ଓ ଆର୍ଥିକ ଠକେଇର ତଦନ୍ତରେ ସିବିଆଇର ଅଧକାରୀମାନଙ୍କୁ ଏହି ବିଶେଷଜ୍ଞମାନେ ସହାୟତା ପ୍ରଦାନ କରିବେ। ଫଳରେ ତଦନ୍ତର ଗତି ଅଗ୍ରସର ହୋଇପାରିବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର