ବ୍ୟାଙ୍କ ଜମା, ଋଣ ସୁଧ କମିଲା

ମୁମ୍ବାଇ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହାର ମାର୍ଜିନାଲ୍ କଷ୍ଟ୍‌ ବେସଡ୍ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ଓ ଗୃହ ଋଣ ସୁଧ ହାରକୁ କମ୍ କରାଯାଇଛି। ସଂଶୋଧିତ ସୁଧ ହାର ଆସନ୍ତାକାଲି ଠାରୁ ଲାଗୁ ହେବ।
ଏମ୍‌ସିଏଲ୍‌ଆର୍‌କୁ ବ୍ୟାଙ୍କ ପକ୍ଷରୁ ୮.୫୦%କୁ ହ୍ରାସ କରାଯାଇଛି। ପୂର୍ବରୁ ତାହା ୮.୫୫% ଥିଲା। ବ୍ୟାଙ୍କ ଏହାର ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଗୃହ ଋଣ ସୁଧ ହାରରେ ୦.୧୦% ହ୍ରାସ ଘୋଷଣା କରିଛି। ଫଳରେ ଏହାର ଗୃହ ଋଣ ସୁଧ ହାର ପରିମାଣ ୮.୭୦-୯%ରୁ ହ୍ରାସ ପାଇ ୮.୬୦-୮.୯୦% ହୋଇଛି।
ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ଜମା ସୁଧ ହାରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବ୍ୟାଙ୍କର ଗ୍ରାହକମାନେ ଜମା ଉପରେ କମ୍ ସୁଧ ପାଇବେ। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଜମା ଉପରେ ବ୍ୟାଙ୍କ ବାର୍ଷିକ ୩.୫୦% ସୁଧ ପ୍ରଦାନ କରିବ। ଏକ ଲକ୍ଷ ଟଙ୍କାରୁ ଅଧିକ ଜମା ଉପରେ ଏହା ୩.୨୫% ସୁଧ ଦେବ। ଜମା ଉପରେ ନୂତନ ସୁଧ ହାର ମେ’ ୧ରୁ ଲାଗୁ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ରେପୋ ହାରରେ କିଛି ଦିନ ତଳେ ୦.୨୫% ହ୍ରାସ ଘୋଷଣା କରାଯାଇଥିଲା। ତାହାକୁ ବିଚାରକୁ ନେଇ ଷ୍ଟେଟ୍‌ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି। ଚଳିତ ବର୍ଷ ଫେବ୍ରୁଆରିରେ ଘରୋଇ ଓ ସରକାରୀ ବ୍ୟାଙ୍କଗୁଡ଼ିକ ନିଜର ଏମ୍‌ସିଏଲ୍‌ଆର୍‌ ହ୍ରାସ କରିଥିଲେ। ମାର୍ଚରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ କମାଇଥିଲା। ବ୍ୟାଙ୍କ ଅଫ୍ ବରୋଦା ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ମଧ୍ୟ ସେଭଳି ପଦକ୍ଷେପ ନେଇଥିଲେ। ସେହିପରି, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପକ୍ଷରୁ ମଧ୍ୟ ଋଣ ସୁଧ ହାରରେ ୦.୦୫% ହ୍ରାସ ଘୋଷଣା କରାଯାଇଛି। ବ୍ୟାଙ୍କ ଏହାର ଏମ୍‌ସିଏଲ୍‌ଆର୍‌ ଦରକୁ ୮.୬୫%କୁ ହ୍ରାସ କରିଛି।

ସମ୍ବନ୍ଧିତ ଖବର