ବ୍ୟାଙ୍କ ଏନ୍‌ପିଏ ୭ ଲକ୍ଷ କୋଟି ଟପିଲା

ମୁମ୍ବାଇ: ବ୍ୟାଙ୍କଗୁଡ଼ିକରେ ଏନ୍‌ପିଏ ସମସ୍ୟା ଅଧିକ ଗୁରୁତର ହେବାରେ ଲାଗିଛି। ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିମାଣ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୨୬ଟି ବ୍ୟାଙ୍କ ସେମାନଙ୍କର ଆର୍ଥିକ ଫଳାଫଳ ଘୋଷଣା କରିସାରିଲେଣି। ସେମାନଙ୍କର ମୋଟ୍‌ ଏନ୍‌ପିଏ ପରିମାଣ ୭ ଲକ୍ଷ ୩୧ ହଜାର କୋଟି ଟଙ୍କା ହୋଇଯାଇଛି। କେବଳ ୨୦୧୮ ଜାନୁଆରିରୁ ମାର୍ଚ ମଧ୍ୟରେ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିମାଣ ଅଢ଼େଇ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ମୋଟ ଏନ୍‌ପିଏ ମଧ୍ୟରୁ ସରକାରୀ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିମାଣ ୬ ଲକ୍ଷ ୧୬ ହଜାର କୋଟି ଟଙ୍କା। ଯଦି କୌଣସି ଋଣ ୯୦ ଦିନ ପର୍ଯ୍ୟନ୍ତ ପରିଶୋଧ ହୁଏ ନାହିଁ ତାହାକୁ ଏନ୍‌ପିଏ ବର୍ଗରେ ସାମିଲ କରାଯାଏ। ଋଣ ଅର୍ଥ ଆଦାୟ ହୋଇପାରୁନଥିବାରୁ ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ୨୦୧୭ ଅକ୍ଟୋବରରୁ ଡିସେମ୍ବର ଭିତରେ ସରକାରୀ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିମାଣ ୧ ଲକ୍ଷ କୋଟି ଟଙ୍କା ବଢ଼ିଥିଲା। ଏହା ପରେ ୨୦୧୮ର ଜାନୁଆରିରୁ ମାର୍ଚ ମଧ୍ୟରେ ଏନ୍‌ପିଏ ପରିମାଣ ଆଉ ୧ ଲକ୍ଷ ୧୧ ହଜାର କୋଟି ଟଙ୍କା ବୃଦ୍ଧି ପାଇଥିଲା ବୋଲି ରେଟିଂ ଏଜେନ୍ସି କେୟାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର