ଅଧିକ ଅଗ୍ରାଧିକାର ଋଣ ଦେବ ବ୍ୟାଙ୍କ ଅଫ୍‌ ଇଣ୍ଡିଆ

ଭୁବନେଶ୍ବର: ଚଳିତ ବର୍ଷ ଋଣ ପ୍ରଦାନ କ୍ଷେତ୍ରରେ ୨୫-୩୦% ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖିଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଗ୍ରାଧିକାର କ୍ଷେତ୍ରକୁ ଅଧିକ ଋଣ ପ୍ରଦାନ କରିବ। ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏସ୍‌ଏମ୍ଇ), କୃଷି ଓ ଖୁଚୁରା କ୍ଷେତ୍ରକୁ ଅଧିକ ଋଣ ଦେବା ଉପରେ ଏହି ସରକାରୀ ବ୍ୟାଙ୍କ ଗୁରୁତ୍ବ ଦେବ। ଏହା ବାଦ ଡିଜିଟାଲ୍ କାରବାର ପରିମାଣ ବଢ଼ାଇବା ପ୍ରତି ମଧ୍ୟ ବ୍ୟାଙ୍କ ଧ୍ୟାନ ଦେବ। ବର୍ତ୍ତମାନ ବ୍ୟାଙ୍କର ୫୪% କାରବାର ଡିଜିଟାଲ୍ ମାଧ୍ୟ୍ୟମରେ ହେଉଛି।
ଓଡ଼ିଶା ଆସିଥିବା ବ୍ୟାଙ୍କର ଏମ୍‌ଡି ଓ ସିଇଓ ଦିନବନ୍ଧୁ ମହାପାତ୍ର କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଲୋକମାନଙ୍କୁ ବ୍ୟାଙ୍କ ସହାୟତା ପ୍ରଦାନ କରିବାକୁ ଉଦ୍ୟମ କରୁଛି। ଗ୍ରାହକମାନେ ଯେଭଳି ସୁବିଧାରେ ଋଣ ପରିଶୋଧ କରିପାରିବେ ସେଥିପାଇଁ ନନ୍ଦିଘୋଷ ରିକଭରି ସ୍କିମ୍ ଘୋଷଣା କରାଯାଇଛି। ଏହା ଜରିଆରେ ବ୍ୟାଙ୍କ ଏହାର ଓଡ଼ିଶାରେ ଥିବା ୩୯୮ କୋଟି ଟଙ୍କାର ଅନାଦେୟ ଋଣ ବୋଝ ହାଲୁକା କରିବାକୁ ଚାହୁଛି। ସାରା ଓଡ଼ିଶାରେ ଦୁଇଟି ଜୋନ୍ ଜରିଆରେ ୨୪ ହଜାର କୋଟି ଟଙ୍କାର କାରବାର କରୁଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୋଟ କାରବାରର ୫୪% ଅର୍ଥ ଜମା ରାଶି ଆକାରରେ ରହିଥିବା ବେଳେ ୪୬% ଅଗ୍ରୀମ ଭାବେ ପ୍ରଦାନ କରାଯାଇଛି। ଅଗ୍ରାଧିକାର ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ୧୨-୧୫% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ବ୍ୟାଙ୍କର ଜୋନାଲ୍ ପ୍ରବନ୍ଧକ ୱାଇ ଏନ୍ ଦ୍ବିବେଦୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର