ବ୍ୟାଙ୍କ ଧର୍ମଘଟରେ ଗ୍ରାହକ ହନ୍ତସନ୍ତ: ଏଟିଏମ୍‌ ଖାଲି, ପଡ଼ିରହିଛି ୮୦ ଲକ୍ଷ ଚେକ୍‌

ଭୁବନେଶ୍ୱର: ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଗ୍ରାହକଙ୍କ ଅବସ୍ଥା ବେହାଲ ହୋଇଛି। ଲୋକେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ୍‌ ସେବାରୁ ବଞ୍ଚିତ ହୋଇଛନ୍ତି। ଇଣ୍ଡିଆନ୍‌ ବ୍ୟାଙ୍କସ୍‌ ଆସୋସିଏସ୍‌ (ଆଇବିଏ) ପକ୍ଷରୁ ମାତ୍ର ୨ ପ୍ରତିଶତ ବେତନ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରି ଦେଶରେ ୧୦ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଏହି ଧର୍ମଘଟରେ ସାମିଲ ହୋଇଥିଲେ। ଏଥିଯୋଗୁ ବ୍ୟାଙ୍କରେ ଜମା, ମିଆଦି ଜମାର ନବୀକରଣ, ସରକାରୀ ଟ୍ରେଜେରି, ମନି ମାର୍କେଟ ପରିଚାଳନା ଭଳି ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ସେହିଭଳି ଅଧିକାଂଶ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ହୋଇ ନ ପାରିବାରୁ ସେଗୁଡ଼ିକ ଖାଲି ହୋଇଯାଇଛି। ଟଙ୍କା ନମିଳିବା ଯୋଗୁଁ ଲୋକେ ବହୁମାତ୍ରାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୟୁଏଫବିୟୁର କହିବାନୁଯାୟୀ ଦେଶରେ ପ୍ରାୟ ୮୦ ଲକ୍ଷ ଚେକ୍‌ କ୍ଲିୟର ନହୋଇ ପଡ଼ି ରହିଛି। ସରକାରୀ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡ଼ିକରେ ଏହି ଚେକ୍‌ ପଡ଼ି ରହିଛି ବୋଲି ୟୁଏଫବିୟୁ ପକ୍ଷରୁ ଦାବି କରାଯାଇଛି। ଏହି ୪୮ ଘଣ୍ଟିଆ ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ମଧ୍ୟ ସଂଘ ଦାବି କରିଛି। କର୍ମଚାରୀ ଓ ଅଧିକାରୀମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ଏହି ଧର୍ମଘଟରେ ଯୋଗ ଦେଇଥିଲେ। ୨୧ଟି ସରକାରୀ ବ୍ୟାଙ୍କର ଦେଶରେ ପ୍ରାୟ ୮୫ ହଜାର ଶାଖା ରହିଛି। ପ୍ରାୟ ୭୦ ପ୍ରତିଶତ ବ୍ୟାଙ୍କିଙ୍ଗ କାରବାର ଏହି ବ୍ୟାଙ୍କ ଗୁଡ଼ିକ କରିଥାନ୍ତି। ତେବେ ଚେକ୍‌ କ୍ଲିୟରାନ୍ସକୁ ବାଦ୍‌ ଦେଲେ ନୂଆ ପିଢ଼ିର ଘରୋଇ ବ୍ୟାଙ୍କରେ ସେବା ସ୍ୱାଭାବିକ ଥିଲା। ୨୧ଟି ସରକାରୀ ବ୍ୟାଙ୍କ, ୧୩ଟି ପୁରୁଣା ପିଢ଼ିର ଘରୋଇ ବ୍ୟାଙ୍କ, ୬ଟି ବିଦେଶୀ ବ୍ୟାଙ୍କ ଏବଂ ୫୬ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଏହି ଧର୍ମଘଟରେ ସାମିଲ ହୋଇଥିଲେ ବୋଲି ଏଆଇବିଇଏ ପକ୍ଷରୁ କୁହାଯାଇଛି।

ଏଆଇବିଓସିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ କହିଛନ୍ତି, ରାଜ୍ୟରେ ପ୍ରାୟ ୫୦୦୦ ବ୍ୟାଙ୍କ ଶାଖାର ୩୫ରୁ ୪୦ ହଜାର କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିଲେ। ଏଥିଯୋଗୁଁ ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୋଇଛି। ଅଧିକାଂଶ ଏଟିଏମ୍‌ରୁ ଟଙ୍କା ଖାଲି ହୋଇଯିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଆସନ୍ତାକାଲିଠାରୁ ବ୍ୟାଙ୍କ ସେବା ସ୍ୱାଭାବିକ ହୋଇଯିବ। କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନେ ସେମାନଙ୍କ ବେତନ ଓ ପେନସନ ଆସନ୍ତାକାଲି ପାଇଯିବେ। ତେବେ ତୃତୀୟ ପକ୍ଷକୁ ଏଟିଏମ୍‌ରେ ଟଙ୍କା ଭରିବା କାର୍ଯ୍ୟ ଦିଆଯାଇଥିବାରୁ କିଛିଟା ଏଟିଏମ୍‌ରେ ଟଙ୍କା ଭରିବା କାର୍ଯ୍ୟ ବିଳମ୍ବ ହୋଇପାରେ। ଦୁଇଦିନର ଧର୍ମଘଟ ପରେ ଯଦି ଆଇବିଏ ଦାବି ପୂରଣ ନକରେ ତାହେଲେ ଆଗାମୀ ଦିନରେ ଧର୍ମଘଟକୁ ଆହୁରି ବ୍ୟାପକ ଏବଂ ତୀବ୍ରତର କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଶିଳ୍ପ ସଂଘ ଆସୋଚାମର ଆକଳନ ଅନୁଯାୟୀ ଦୁଇ ଦିନର ବ୍ୟାଙ୍କ ଧର୍ମଘଟ ଯୋଗୁଁ ୨୦ ହଜାର କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଧର୍ମଘଟ ୪୮ ଘଣ୍ଟା ପାଇଁ କରାଯାଇଥିଲା। ବୁଧବାର ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ହୋଇଥିଲା।

ସମ୍ବନ୍ଧିତ ଖବର