ନୂଆଦିଲ୍ଲୀ: ଡାକ ପେମେଣ୍ଟ୍ ବ୍ୟାଙ୍କ ସେବା ସେପ୍ଟେମ୍ବର ୧ରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିବେ। ଚଳିତ ମାସ ୨୧ରେ ଡାକ ପେମେଣ୍ଟ୍ ବ୍ୟାଙ୍କ ଉନ୍ମୋଚନ ହେବାର ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ପରେ ଘୋଷଣା କରାଯାଇଥିବା ସାତ ଦିନିଆ ଶୋକ ପାଳନ ଯୋଗୁଁ ଡାକ ପେମେଣ୍ଟ୍ ବ୍ୟାଙ୍କ ଉନ୍ମୋଚନ କାର୍ଯ୍ୟକ୍ରମକୁ ଟାଳି ଦିଆଯାଇଥିଲା। ଏହାକୁ ସେପ୍ଟେମ୍ବର ୧ରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଡାକ ପେମେଣ୍ଟ୍ ବ୍ୟାଙ୍କ ଆରମ୍ଭ ହେବା ପରେ ଦେଶର କୋଣ ଅନୁକୋଣରେ ବ୍ୟାଙ୍କ ସେବା ପହଞ୍ଚିପାରିବ। ଦେଶରେ ଥିବା ୧.୫୫ ଲକ୍ଷ ଡାକ ଘର ଜରିଆରେ ବ୍ୟାଙ୍କ କାମ ହୋଇପାରିବ। ସବୁ ଡାକ ଘରକୁ ଡାକ ପେମେଣ୍ଟ୍ ବ୍ୟାଙ୍କ ସହ ଯୋଡ଼ିବାକୁ ସରକାର ପ୍ରୟାସ କରୁଛନ୍ତି। ବର୍ଷକ ଭିତରେ ଏହି କାମ ଶେଷ ହୋଇଯିବ ବୋଲି ଆଶା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଦିନରୁ ୬୫୦ ଶାଖା ଓ ୩୨୫୦ ଟଚ୍ ପଏଣ୍ଟ୍କୁ ନେଇ ଡାକ ପେମେଣ୍ଟ୍ ବ୍ୟାଙ୍କ ଏହାର ଯାତ୍ରା ଆରମ୍ଭ କରିବ ବୋଲି ଏହାର ସିଇଓ ସୁରେଶ ସେଠୀ କହିଛନ୍ତି। ଏହି ବ୍ୟାଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରାଯିବ। ଏୟାରଟେଲ୍ ଓ ପେଟିଏମ୍ ପରେ ଇଣ୍ଡିଆନ୍ ପୋଷ୍ଟ୍କୁ ପେମେଣ୍ଟ୍ ବ୍ୟାଙ୍କ ଲାଇସେନ୍ସ ମିଳିଥିଲା। ଡାକ ପେମେଣ୍ଟ୍ ବ୍ୟାଙ୍କରେ ଲୋକମାନେ ଓ କ୍ଷୁଦ୍ର ବ୍ୟବସାୟୀ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ। ସେହି ଖାତା ଜରିଆରେ ଏନ୍ଇଏଫ୍ଟି, ଆର୍ଟିଜିଏସ୍ ଓ ଆଇଏମ୍ପିଏସି୍ ଭଳି ଡିଜିଟାଲ୍ ପେମେଣ୍ଟ୍ ସୁବିଧା ହାସଲ କରିପାରିବେ।