୧ରୁ ଡାକ ଘରେ ମିଳିବ ବ୍ୟାଙ୍କିଙ୍ଗ୍‌ ସେବା: ୩୩ ଶାଖା, ୧୬୫ଟି ଆକ୍ସେସ ପଏଣ୍ଟ୍‌ରୁ ଆରମ୍ଭ

ଭୁବନେଶ୍ୱରରେ ଧର୍ମେନ୍ଦ୍ର, ସୁନ୍ଦରଗଡ଼ରେ ଜୁଏଲ ଉଦ୍‌ଘାଟନ କରିବେ

ଭୁବନେଶ୍ୱର: ଆସନ୍ତା ମାସ ପହିଲାରୁ ଦେଶରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (ଆଇପିପିବି) ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ଦିନ ଦେଶ ଉଦ୍ଦେଶ୍ୟରେ ଏହି ସେବାର ଶୁଭାରମ୍ଭ କରିବେ। ୧ ତାରିଖରେ ପ୍ରଧାନମନ୍ତ୍ରୀ ଦେଶର ୬୫୦ ଡାକଘରେ ଏବଂ ୩୨୫୦ଟି ଆକ୍ସେସ ପଏଣ୍ଟ୍‌ରେ ଆଇପିପିବି ସେବା ଆରମ୍ଭ କରିବେ। ଡିସେମ୍ବର ୩୧ ସୁଦ୍ଧା ଏହି ସେବା ସମସ୍ତ ୧.୫୫ ଲକ୍ଷ ଡାକଘର ମାଧ୍ୟମରେ ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି। ଓଡ଼ିଶାରେ ଏହି ସେବା ୧ ତାରିଖରୁ ୩୩ଟି ଶାଖା ଏବଂ ୧୬୫ଟି ଆକ୍ସେସ ପଏଣ୍ଟ୍‌ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଡିସେମ୍ବର ୩୧ ସୁଦ୍ଧା ଏହି ସେବା ରାଜ୍ୟର ଅବଶିଷ୍ଟ ୮୦୫୦ ଡାକଘରେ ଉପଲବ୍ଧ ହେବ। ୧୩୬୭ ଜଣ ପୋଷ୍ଟମ୍ୟାନ୍‌ ଏବଂ ୭୦୦୯ ଜଣ ଡାକ ବିତରକଙ୍କ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ମଣ୍ଡଳର ମୁଖ୍ୟ ମହାଡାକପାଳ ଏସ. କେ. କାମିଲା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଏବଂ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍‌ ସୁନ୍ଦରଗଡ଼ଠାରେ ଏହି ସେବାର ଉଦ୍‌ଘାଟନ କରିବେ ବୋଲି କାମିଲା ସୂଚନା ଦେଇଛନ୍ତି। ଏହି ସେବା ଦ୍ୱାରା ଲୋକମାନେ ଡାକ ବିଭାଗର ବିଶାଳ ନେଟଓ୍ଵାର୍କ ମାଧ୍ୟମରେ ସେମାନଙ୍କ ଘର ଦୁଆରରେ ବ୍ୟାଙ୍କିଙ୍ଗ ସେବା ପାଇପାରିବେ। ଜମା ଖାତା ଖୋଲିବା, ଟଙ୍କା ସ୍ଥାନାନ୍ତରଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ବିଲ୍‌ ଏବଂ ବ୍ୟବସାୟୀଙ୍କୁ ଅର୍ଥ ପୈଠ ଇତ୍ୟାଦି ସେବା ପାଇପାରିବେ।

ସମ୍ବନ୍ଧିତ ଖବର