ବ୍ୟାଙ୍କ୍‌ ଏସ୍‌ଏମ୍‌ଏସ୍‌ ଆଲର୍ଟ ପାଇଁ ଗ୍ରାହକ ଗଣୁଛନ୍ତି ଅଧିକ ଟଙ୍କା

କୋଲକାତା: ଏସ୍‌ଏମ୍‌ଏସ୍‌ ଆଲର୍ଟ ପାଇଁ ଅଧିକାଂଶ ବ୍ୟାଙ୍କ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି। ଯଦିଓ ଗ୍ରାହକଙ୍କ ପାଇଁ ସେହି ବୋଝ ଏତେ ବଡ଼ ନୁହେଁ, କିନ୍ତୁ ବ୍ୟାଙ୍କଗୁଡ଼ିକ ମୋଟା ଅଙ୍କର ଆୟ କରିପାରୁଛନ୍ତି। ଏସ୍‌ଏମ୍‌ଏସ୍‌ ଆଲର୍ଟ ଚାର୍ଜ ପାଇଁ ରିଜର୍ଭ ବ୍ୟାଙ୍କର ଯେଉଁ ଗାଇଡ୍‌ଲାଇନ୍‌ ରହିଛି ତାହାକୁ ବ୍ୟାଙ୍କଗୁଡ଼ିକ ପାଳନ କରୁନଥିବା ଅଭିଯୋଗ ହୋଇଛି। ଆର୍ଥିକ ଠକେଇ ରୋକିବା ପାଇଁ ପ୍ରତି କାରବାର ବିଷୟରେ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କହିଛନ୍ତି। ଯେଉଁ ଗ୍ରାହକଙ୍କୁ ଯେତିକି ପରିମାଣର ଏସ୍‌ଏମ୍‌ଏସ୍‌ ପଠାଯାଉଛି ସେହି ଆଧାରରେ ସେମାନଙ୍କଠାରୁ ଶୁଳ୍କ ଆଦାୟ କରିବାକୁ ରିଜର୍ଭ ବ୍ୟାଙ୍କ କହିଛନ୍ତି। କିନ୍ତୁ ଅଧିକାଂଶ ବ୍ୟାଙ୍କ ପ୍ରତି ଗ୍ରାହକଙ୍କଠାରୁ ତିନି ମାସକୁ ୧୫ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି। ଏଥିରେ ଅନ୍ୟାନ୍ୟ ଟିକସ ଆଦି ମିଶିବା ପରେ ଗ୍ରାହକଙ୍କୁ ୧୭ ଟଙ୍କା ୭୦ ପଇସା ଗଣିବାକୁ ପଡ଼ୁଛି। ବ୍ୟାଙ୍କିଙ୍ଗ କୋଡସ୍‌ ଆଣ୍ଡ ଷ୍ଟାଣ୍ଡାର୍ଡ ବୋର୍ଡ ଅଫ୍‌ ଇଣ୍ଡିଆର (ବିସିଏସ୍‌ବିଆଇ)ର ଅଧ୍ୟକ୍ଷ ଏ ସି ମହାଜନ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କ ପରାମର୍ଶକୁ ପାଳନ କରୁନାହାନ୍ତି। ସେମାନେ ଏହାର ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି।

ଏହି ସଂସ୍ଥା ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଦେଶର ୪୮ଟି ବ୍ୟାଙ୍କ ମଧ୍ୟରୁ ୧୯ଟି ବ୍ୟାଙ୍କ ଗ୍ରାହକଙ୍କଠାରୁ ତିନି ମାସରେ ୧୫ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି। ଶ୍ରୀ ମହାଜନ କହିଛନ୍ତି ଯେ ଯେଉଁ ଗ୍ରାହକମାନେ ଅଧିକ କାରବାର କରୁଛନ୍ତି ସେମାନଙ୍କଠାରୁ ୧୫ ଟଙ୍କା ଲେଖାଏଁ ଆଦାୟ କରିବା ଭୁଲ ନୁହେଁ। କିନ୍ତୁ ଯେଉଁମାନେ ବହୁତ କମ୍‌ କାରବାର କରୁଛନ୍ତି ସେମାନଙ୍କଠାରୁ ଏତେ ଟଙ୍କା ଆଦାୟ କରିବା ଅନୁଚିତ। ଦେଶର ୨୬ଟି ବ୍ୟାଙ୍କ ତିନି ମାସ ପିଛା ୧୫ ଟଙ୍କାରୁ କମ୍‌ ଆଦାୟ କରୁଛନ୍ତି। କିଛି ବ୍ୟାଙ୍କ ଏସ୍‌ଏମ୍‌ଏସ୍‌ ଆଲର୍ଟ ପାଇଁ ଗ୍ରାହକଙ୍କଠାରୁ କିଛି ଶୁଳ୍କ ଆଦାୟ କରୁନାହାନ୍ତି। ବ୍ୟାଙ୍କଗୁଡ଼ିକ ସାଧାରଣତଃ ଏସ୍‌ଏମ୍‌ଏସ୍‌ ଆଲର୍ଟ କାମ ବାହାର ଏଜେନ୍ସିକୁ ଦେଇଛନ୍ତି। ପ୍ରଯୁକ୍ତିର ବ୍ୟବହାର ଜରିଆରେ ଏହି କାମ ହେଉଛି। ଏସ୍‌ଏମ୍‌ଏସ୍‌ ପିଛା ୮ରୁ ୧୦ ପଇସା ଖର୍ଚ ହେଉଛି। ଯଦି ଏକ ବ୍ୟାଙ୍କ ତିନି ମାସରେ ଜଣେ ଗ୍ରାହକଙ୍କୁ ୧୦୦ ଏସ୍‌ଏମ୍‌ଏସ୍‌ ପଠାଇବ ତେବେ ସେହି ଗ୍ରାହକଙ୍କଠାରୁ ୮ ଟଙ୍କା କିମ୍ବା ୧୦ ଟଙ୍କା ଆଦାୟ କରିବା କଥା।

ସମ୍ବନ୍ଧିତ ଖବର