ପନିପରିବା ବିକିବେ ବେଜୋସ୍‌, ଅମ୍ବାନି, ଜ୍ୟାକ୍‌ ମା’

ନୂଆଦିଲ୍ଲୀ: ଭାରତରେ ପନିପରିବା ବିକ୍ରି କରିବା ପାଇଁ ବିଶ୍ୱର ତିନି ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଆରମ୍ଭ ହୋଇଛି କଥାବାର୍ତା। ସେମାନେ ହେଉଛନ୍ତି ମୁକେଶ ଅମ୍ବାନି, ଜେଫ୍‌ ବେଜୋସ୍‌ ଓ ଜ୍ୟାକ୍‌ ମା’। ମୁକେଶ ଅମ୍ବାନି ଭାରତର ଏକ ନମ୍ବର ଧନୀ ହୋଇଥିବା ବେଳେ ବେଜୋସ୍‌ ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ ଧନୀ। ସେ ହେଉଛନ୍ତି ଆମାଜନ୍‌ର ମାଲିକ। ଜ୍ୟାକ୍‌ ମା’ ହେଉଛନ୍ତି ଚୀନ୍‌ର ଅନ୍ୟତମ ଶ୍ରେଷ୍ଠ ଧନୀ ଓ ଆଲିବାବାର ମାଲିକ।
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପରେ ପନିପରିବା ହିଁ ଅନଲାଇନ୍‌ ସପିଙ୍ଗ୍‌ରେ ବଡ଼ ବଜାର ଉାବେ ଉଭା ହେବ। ଏହି ଅଭିବୃଦ୍ଧିର ଅଂଶ ହେବା ପାଇଁ ବିଶ୍ୱର ଅନେକ ବଡ଼ କଂପାନି ଚାହୁଁଛନ୍ତି। କିନ୍ତୁ ସେମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଭାରତର କଠୋର ନିୟମ। ବିଶ୍ୱର ଏହି ବଡ଼ କଂପାନି ଚାହିଁଲେ ମଧ୍ୟ ଭାରତରେ ବହୁ ସଂଖ୍ୟାରେ ଷ୍ଟୋର୍‌ ଖୋଲି ପନିପରିବା ବିକ୍ରି କରିପାରିବେ ନାହିଁ। ତେଣୁ, ସେମାନେ ଭାରତୀୟ କଂପାନିଗୁଡ଼ିକ ସହିତ ହାତ ମିଳାଇବାକୁ ଆଗେଇ ଆସିଛନ୍ତି।
ଆମାଜନ୍‌ର ଜେଫ୍‌ ବେଜୋସ୍‌ ଆଦିତ୍ୟ ବିର୍ଲା ଗ୍ରୁପ୍‌ ସହିତ କଥାବାର୍ତା ଆରମ୍ଭ କରିଛନ୍ତି। ଆଦିତ୍ୟ ବିର୍ଲାର ‘ଚେନ୍‌ ମୋର୍‌’ ସଂସ୍ଥାକୁ ୪୫୦୦ କୋଟି ଟଙ୍କାରେ କିଣିବା ପାଇଁ ଆମାଜନ୍‌ ଯୋଜନା ପ୍ରସ୍ତୁତ କରିଛି। ଆଲିବାବାର ମୁଖ୍ୟ ଜ୍ୟାକ୍‌ ମା’ ଓ ରିଲାଏନ୍ସ ଗ୍ରୁପ୍‌ ମୁଖ୍ୟ ମୁକେଶ ଅମ୍ବାନିଙ୍କ ମଧ୍ୟରେ କଥାବାର୍ତା ଚାଲିଥିବା ଜଣାପଡ଼ିଛି। ଉଭୟ ଶିଳ୍ପପତି ମୁମ୍ବାଇରେ ପରଷ୍ପରକୁ ଭେଟି ଆଲୋଚନା କରିଛନ୍ତି। ରିଲାଏନ୍ସ ରିଟେଲ୍‌ର ଅଧା ଅଂଶଧନ କିଣିବାକୁ ଆଲିବାବା ଆଗ୍ରହ ପ୍ରକାଶ କରିଛି। ଦୁଇ ଭାରତୀୟ ସଂସ୍ଥା ପେଟିଏମ୍‌ ଓ ବିଗ୍‌ବାସ୍କେଟ୍‌ରେ ଆଲିବାବାର ଅଂଶଧନ ରହିଛି। ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ବେଜୋସ୍‌ଙ୍କ ମୁକାବିଲା କରିବା ପାଇଁ ଏସିଆର ଦୁଇ ଶ୍ରେଷ୍ଠ ଧନୀ ମୁକେଶ ଓ ଜ୍ୟାକ୍‌ ମା’ ପରଷ୍ପର ସହ ହାତ ମିଳାଇବା ପାଇଁ ବିଚାର କରୁଛନ୍ତି। ବିଗ୍‌ ବଜାରର ମୁଖ୍ୟ କିଶୋର ବିୟାନିଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ପାଇଁ ଉଭୟ ଆଲିବାବା ଓ ଆମାଜନ୍‌ କଥାବାର୍ତା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର