ଭାରତ ମସଲାର ନୂଆ ପାସ୍ତା ପ୍ଲାଣ୍ଟ୍
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ, ୪୫ କୋଟି ନିବେଶ, ୧୫୦ କର୍ମନିଯୁକ୍ତି ସୃଷ୍ଟି ହେବ
କଟକ: କଟକର ଜଗତପୁର ଶିଳ୍ପାଞ୍ଚଳ ଫେଜ-୨ ସ୍ଥିତ ଭାରତ ମସଲା କଂପାନିର ନୂଆ ପାସ୍ତା ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମେକ ଇନ ଓଡ଼ିଶା ସ୍ବପ୍ନ ସାକାର ପାଇଁ ଭାରତ ମସଲାର ଏହା ଅନ୍ୟ ଏକ ପ୍ରୟାସ। ଭାରତ ମସଲା ପକ୍ଷରୁ ଏହି ପ୍ରକଳ୍ପରେ ୪୫ କୋଟି ଟଙ୍କା ବିନିଯୋଗ କରାଯିବ। କାରଖାନାରେ ଘଣ୍ଟା ପିଛା ୩ ମେଟ୍ରିକ୍ ଟନ୍ ପାସ୍ତା ଉତ୍ପାଦନ କରାଯାଇପାରିବ ବୋଲି ଜଣାପଡ଼ିଛି। ଏହି କାରଖାନାରେ ୧୫୦ ଜଣ ଲୋକଙ୍କୁ କର୍ମନିଯୁକ୍ତି ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କାର୍ଯ୍ୟକ୍ରମରେ କଟକର ଏଡିଏମ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନମିତା ପଣ୍ଡା, ନନ୍ଦିତା ପଣ୍ଡା, ଆଶୁତୋଷ ପଣ୍ଡା, ଅର୍ଥ ବିଭାଗ ମହା ପ୍ରବନ୍ଧକ ଅଶ୍ବିନୀ କୁମାର ଦାସ, ମହା ପ୍ରବନ୍ଧକ (ଅପରେସନ) ଅରୁଣ କୁମାର ନାୟକ, ପ୍ରଡକ୍ସନ ମ୍ୟାନେଜର ନବକୃଷ୍ଣ ପ୍ରଧାନ, ମାନବ ସମ୍ବଳ ମୁଖ୍ୟ ସୁଲଗ୍ନା ବାରିକ, ଜୟସ୍ମିତା ପଣ୍ଡା ଏବଂ ଅନ୍ୟ ବରିଷ୍ଠ କର୍ମଚାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଭାରତ ମସଲା ପକ୍ଷରୁ ମସଲା, ପାସ୍ତା, ମାକାରୋନି, ସିମାଇ, ପାମ୍ପଡ଼, ଅଟା, ବେସନ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରାଯାଉଛି। ଏହା ୧୦୦ ପ୍ରକାର ସାମଗ୍ରୀକୁ ୫୦୦ ପ୍ରକାରର ଭିନ୍ନ ଭିନ୍ନ ପ୍ୟାକେଟ୍ରେ ଗ୍ରାହକଙ୍କ ପାଖରେ ପହଞ୍ଚାଉଛି। ଦେଶର ବିଭିନ୍ନ ସ୍ଥାନ ବ୍ୟତୀତ ଭାରତ ମସଲାର ସାମଗ୍ରୀ ଦୁବାଇ, ଓମାନ, ମାଲେସିଆ, କୁଏତ, ନେପାଳ, ବାଲାଂଦେଶ, ଶ୍ରୀଲଙ୍କା ଏବଂ ସିଙ୍ଗାପୁରରେ ବିକ୍ରି ହେଉଛି। ୧୯୯୯ରୁ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ ମସଲା କଂପାନି ପାଖରେ ତିନିଟି କାରଖାନା ରହିଛି ଏବଂ ସେଥିରେ ୧୦୦୦ରୁ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ମିଳିଛି। ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଭାରତ ମସଲାକୁ ବିଭିନ୍ନ ସମୟରେ ଅନେକ ପ୍ରତିଷ୍ଠିତ ମଞ୍ଚରେ ପୁରସ୍କୃତ ଓ ସମ୍ମାନିତ କରାଯାଇଛି। ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂପାନିକୁ ରାଜ୍ୟ ରପ୍ତାନି ପୁରସ୍କାର ୨୦୧୫-୧୬ ପ୍ରଦାନ କରିଥିଲେ।