ପତିଆରା ଲଢ଼େଇ: ଫ୍ଲିପ୍‌କାର୍ଟକୁ କିଣିବ ଆମାଜନ୍‌

ନୂଆଦିଲ୍ଲୀ: ବ୍ୟବସାୟରେ ପତିଆରା ବଜାୟ ରଖିବା ପାଇଁ କଂପାନିଗୁଡ଼ିକ ଭିତରେ ପ୍ରତିଦ୍ୱନ୍ଦ୍ୱୀତା ଲାଗି ରହିଥାଏ। ଏବେ ଦୁଇଟି କ୍ଷେତ୍ରରେ ଏଭଳି ଲଢ଼େଇ ଆରମ୍ଭ ହେବାକୁ ଯାଉଛି। ଟେଲିକମ୍‌ କ୍ଷେତ୍ରରେ ମୁକେଶ ଅମ୍ବାନିଙ୍କ ରିଲାଏନ୍‌ସ ଜିଓ ଓ ସୁନୀଲ ମିତ୍ତଲଙ୍କ ଏୟାରଟେଲ୍‌ ଭିତରେ ଆଗକୁ ଜୋରଦାର ଲଢ଼େଇ ହେବ ବୋଲି ଆଭାସ ମିଳିଛି। ଉଭୟ କଂପାନି ଭବିଷ୍ୟତର ଆହ୍ଵାନକୁ ସାମ୍ନା କରିବା ପାଇଁ ଏବେଠାରୁ ବିପୁଳ ପରିମାଣର ପାଣ୍ଠି ଯୋଗାଡ଼ କରି ଗଚ୍ଛିତ ରଖିଲେଣି। ସେହିପରି ଇ-କମର୍ସ ବଜାରରେ ମଧ୍ୟ ଏକ ବଡ଼ ଧରଣର ଲଢ଼େଇ ହେବାର କ୍ଷେତ୍ର ପ୍ରସ୍ତୁତ ହେଉଛି। ଫ୍ଲିପ୍‌କାର୍ଟକୁ ନେଇ ଏହି ଲଢ଼େଇ ହେବ। ଫ୍ଲିପ୍‌କାର୍ଟକୁ କିଣିବା ପାଇଁ ଓ୍ଵାର୍ଲମାର୍ଟ ପ୍ରସ୍ତୁତ ହେଉଥିବା ବେଳେ ଆମାଜନ୍‌ ପକ୍ଷରୁ ଏଥିପାଇଁ ବିଡ୍‌ ଦାଖଲ କରାଯିବ ବୋଲି ଖବର ପ୍ରକାଶ ପାଇଛି।

ଫ୍ଲିପ୍‌କାର୍ଟକୁ କିଣିବ ଆମାଜନ୍‌
ଭାରତୀୟ ଇ-କମର୍ସ ବଜାରରେ ଏକ ବଡ଼ ଧରଣର ଲଢ଼େଇ ହେବାକୁ ଯାଉଛି। ଲଢ଼େଇର କେନ୍ଦ୍ର ବିନ୍ଦୁ ହେବ ଫ୍ଲିପ୍‌କାର୍ଟ। ଫ୍ଲିପ୍‌କାର୍ଟ ହେଉଛି ଭାରତରୁ ସୃଷ୍ଟି ହୋଇଥିବା ବଡ଼ ଇ-କମର୍ସ କଂପାନି। ଏଥିରେ ବିଶ୍ୱର ଅନେକ ସଂସ୍ଥା ବିପୁଳ ପରିମାଣର ନିବେଶ କରିଛନ୍ତି। କିନ୍ତୁ ସେମାନେ ଯେଉଁ ରିଟର୍ଣ୍ଣ ପାଇବାକୁ ଆଶା ରଖିଥିଲେ ତାହା ପାଉନାହିଁ। ସେଥିପାଇଁ ସେମାନେ ନିଜର ସେୟାର ବିକ୍ରି କରିଦେବାକୁ ଚାହୁଁଛନ୍ତି। ଏହି ସୁଯୋଗର ଲାଭ ଉଠାଇବାକୁ ଆଗେଇ ଆସିଛି ଆମାଜନ୍‌। ଯଦି ଫ୍ଲିପ୍‌କାର୍ଟକୁ ଆମାଜନ୍‌ କିଣିନେବ ତେବେ ଭାରତର ଇ-କମର୍ସ ବଜାରରେ ଯେଉଁ ପ୍ରତିଦ୍ୱନ୍ଦ୍ୱୀତା ଲାଗି ରହିଛି ତାହା ଶେଷ ହୋଇଯିବ। ଆମାଜନ୍‌ ଏକ ବୃହତ କଂପାନି ଭାବେ ଉଭା ହେବ ଓ ଭାରତୀୟ ଇ-କମର୍ସ ବଜାରର ସିଂହ ଭାଗ ଏହା କବ୍‌ଜାରେ ରହିଛି। ପ୍ରତିଦ୍ୱନ୍ଦ୍ୱୀତା ଶେଷ ହୋଇଗଲେ ଭାରତୀୟ ଇ-ବଜାରର ସମ୍ରାଟ ହୋଇଯିବ ଆମାଜନ୍‌। ଆମାଜନ୍‌ର ଏହି ସ୍ୱପ୍ନ ଏତେ ସହଜରେ ପୂରଣ ହୋଇପାରିବନି। କାରଣ ଫ୍ଲିପ୍‌କାର୍ଟକୁ କିଣିବା ପାଇଁ ଅନ୍ୟ ଏକ ଆମେରିକୀୟ କଂପାନି ଓ୍ଵାଲମାର୍ଟ ଉଦ୍ୟମ କରୁଛି। ଦୁଇ ସଂସ୍ଥା ମଧ୍ୟରେ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଗଲାଣି। କିନ୍ତୁ କୌଣସି ବୁଝାମଣା ସ୍ୱାକ୍ଷରିତ ହୋଇନାହିଁ। ଏଭଳି ଏକ ସମୟରେ ଯଦି ଆମାଜନ୍‌ ବଡ଼ ଅଫର ଦେବ ତେବେ ଫ୍ଲିପ୍‌କାର୍ଟର ନିବେଶକମାନେ ଓ୍ଵାଲମାର୍ଟ ଅଫର୍‌ର ପୁନର୍ବିଚାର କରିପାରନ୍ତି। କାରଣ ନିବେଶକମାନେ ଯେଉଁଠାରୁ ଅଧିକ ଲାଭ ପାଇବେ ସେହି ସଂସ୍ଥା ହାତକୁ ଫ୍ଲିପ୍‌କାର୍ଟକୁ ଟେକିଦେବେ। ଫ୍ଲିପ୍‌କାର୍ଟକୁ ପାଇବା ପାଇଁ ଆଗାମୀ ଦିନରେ ଓ୍ଵାଲମାର୍ଟ ଓ ଆମାଜନ୍‌ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱୀତା ହେବାର ସମ୍ଭାବନା ରହିଛି।

ଜିଓ ବନାମ ଏୟାରଟେଲ୍‌

Gizbot

ଟେଲିକମ୍‌ ଶିଳ୍ପରେ ଅଗ୍ରଣୀ ରହିବା ପାଇଁ ଏୟାରଟେଲ୍‌ ଓ ଜିଓ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱୀତା ହେବ। ସେଥିପାଇଁ ଦୁଇ କଂପାନି ପ୍ରସ୍ତୁତ ହେଉଛନ୍ତି। ବଣ୍ଡ୍‌ ବିକ୍ରି କରି ଏହି ଦୁଇ କଂପାନି ୩୬,୫୦୦ କୋଟି ଟଙ୍କାର ଯୋଗାଡ଼ କରିଛନ୍ତି। ସେହି ପାଣ୍ଠିକୁ ଗଚ୍ଛିତ ରଖିଛନ୍ତି। ଏୟାରଟେଲ୍‌ ୧୬,୫୦୦ କୋଟି ଟଙ୍କା ଯୋଗାଡ଼ କରି ରଖିଥିବା ବେଳେ ଜିଓ ୨୦,୦୦୦ କୋଟି ଟଙ୍କା ପାଖରେ ରଖିଛି। ଦେଶରେ ୫ଜି ମୋବାଇଲ୍‌ ସେବା ଆରମ୍ଭ ହେବାକୁ ଯାଉଛି। ୫ଜିରେ ଆଗୁଆ ରହିବା ପାଇଁ ଏହି ଦୁଇ କଂପାନି ପାଖରେ ରଖିଥିବା ପାଣ୍ଠିକୁ ନିବେଶ କରିବାର ସମ୍ଭାବନା ରହିଛି। ଏହି ଅର୍ଥ କେଉଁ କାରଣ ପାଇଁ ଦୁଇ କଂପାନି ହାସଲ କରିଛନ୍ତି ତାହା ଜଣାପଡ଼ୁନାହିଁ। ମୋବାଇଲ୍‌ ବଜାରରେ ଜିଓ ପ୍ରବେଶ କରିବା ପରେ ମାଗଣା କଲ୍‌ ସୁବିଧା ଓ କମ୍‌ ମୂଲ୍ୟରେ ଡାଟା ପ୍ରଦାନ କରି ଝଡ଼ ସୃଷ୍ଟି କରିଥିଲା। ସେହି ଝଡ଼ରେ ଅନେକ ଛୋଟ କଂପାନି ବନ୍ଦ ହୋଇଗଲେ। ଆଉ କିଛି ସଂସ୍ଥା ବ୍ୟବସାୟରେ ତିଷ୍ଠି ରହିବାକୁ ମିଶ୍ରଣ ବାଟ ଆପଣେଇ ନେଲେ। ବର୍ତ୍ତମାନ ଟେଲିକମ୍‌ ଶିଳ୍ପରେ ଅଗ୍ରଣୀ ସ୍ଥାନ ଦଖଲ କରିବା ପାଇଁ ଏୟାରଟେଲ୍‌ ଓ ଜିଓ ମଧ୍ୟରେ ଲଢ଼େଇ ଚାଲିଛି। ସେଥିରେ କାହାର ବିଜୟ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର