ଅନ୍‌ଲାଇନ୍‌ରେ ବି ମିଳୁଛି ବିନ୍ଦି : ୫୦୦ କୋଟିର ବଜାର; ରଙ୍ଗ, ଆକୃତି ଓ ଆକାରରେ ଭିନ୍ନତା ହିଁ ଅାକର୍ଷଣ

ଫ୍ୟାନ୍‌ସି ଓ ଷ୍ଟୋନ୍‌ ବିନ୍ଦିର ବିକ୍ରି ବଢ଼ୁଛି

ବଜାରରେ ଉପଲବ୍ଧ ହେଉଥିବା ବିନ୍ଦିର ରଙ୍ଗ, ଆକୃତି ଏବଂ ଆକାରରେ ଭିନ୍ନତା ରହିଛି। ପୂର୍ବେ ପ୍ରାୟତଃ ଲାଲ୍‌ ରଙ୍ଗର ବିନ୍ଦି ମିଳୁଥିବାବେଳେ ଏବେ କଳା, ଧଳା, ମେରୁନ୍‌ ସମେତ ମଲ୍ଟି କଲର ବିନ୍ଦି ମିଳୁଛି। ସେହିଭଳି ବିନ୍ଦି କହିଲେ କେବଳ ଗୋଲାକାରରେ ସୀମିତ ନାହିଁ। ଅଣ୍ଡାକୃତି, ସର୍ପାକୃତି ଏବଂ ଅର୍ଦ୍ଧ ଚନ୍ଦ୍ରାକାର, ଠିକିରି ଭଳି ଆକୃତିର ବିନ୍ଦି ବିକ୍ରି ହେଉଛି। ଏସବୁର ଆକାର ପୁଣି ଭିନ୍ନ ଭିନ୍ନ ରହିଛି। ଛୋଟଠାରୁ ଆରମ୍ଭ କରି ମଧ୍ୟମ ଏବଂ ବୃହଦାକାର ବିନ୍ଦି ସୋ’ରୁମ୍‌ ଗୁଡ଼ିକରେ ମିଳୁଛି।

ବିନ୍ଦି ବଜାର ଏକ ଅସଙ୍ଗଠିତ ବଜାର ହୋଇଥିବାରୁ ଏହି ବଜାରର ଆକାର ନିର୍ଦ୍ଦିଷ୍ଟ ଭାବେ କେତେ ତାହା ଆକଳନ କରିବା କଷ୍ଟକର। ତଥାପି ପାଇକାରୀ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଓ ବଜାର ବିଶ୍ଳେଷକଙ୍କ କହିବା ଅନୁଯାୟୀ ଏହି ବଜାରର ଆକାର ଏବେ ଦେଶରେ ୫୦୦ କୋଟି ଟଙ୍କାରୁ ଅଧିକ ହୋଇସାରିଛି। ଆଗାମୀ କିଛିବର୍ଷ ମଧ୍ୟରେ ଏହି ବଜାର ଆକାର ହଜାରେ କୋଟି ଟଙ୍କା ଟପିଯିବ ବୋଲି ସେମାନେ ଅନୁମାନ କରୁଛନ୍ତି।

କେବଳ ଯେ ସୋ’ରୁମ୍‌ରେ ବିନ୍ଦି ମିଳୁଛି ତାହା ନୁହେଁ, ଅନ୍‌ଲାଇନ୍‌ରେ ମଧ୍ୟ ବିନ୍ଦି ବିକ୍ରି ହେଉଛି। ଫ୍ଲିପ୍‌କାର୍ଟ ଏବଂ ଆମାଜନ୍‌ ଭଳି ସାଇଟ୍‌ରେ ବ୍ୟାପକ ବର୍ଗର ବିନ୍ଦି ବିକ୍ରି କରାଯାଉଛି। ଏସବୁରେ କମ୍ପାନି ଗୁଡ଼ିକ ଗ୍ରାହକଙ୍କୁ ରିହାତି ମଧ୍ୟ ପ୍ରଦାନ କରୁଛନ୍ତି।

ପୂର୍ବରୁ ଲାଲ୍‌ ଏବଂ କଳା ବିନ୍ଦି ଅଧିକ ସଂଖ୍ୟାରେ ବିକ୍ରି ହେଉଥିଲା। ଝିଅମାନେ ସାଧାରଣତଃ କଳା ବିନ୍ଦି ପିନ୍ଧୁଥିବାବେଳେ ବିବାହିତା ମହିଳାମାନେ ଲାଲ ବିନ୍ଦି ପିନ୍ଧୁଥିଲେ। କିନ୍ତୁ ଏହି ଟ୍ରେଣ୍ଡ୍‌ ବଦଳିବାରେ ଲାଗିଛି। ଫ୍ୟାନ୍‌ସି ଏବଂ ଷ୍ଟୋନ୍‌ ଭଳି ଫ୍ୟାସନ୍‌ ବିନ୍ଦିର ବିକ୍ରି ବଢ଼ୁଛି। ଏଥିସହିତ ଷ୍ଟାଇଲ୍‌ ପ୍ରିୟ ମହିଳାଙ୍କ ମଧ୍ୟରେ ତୀର, ଅର୍ଦ୍ଧ ଚନ୍ଦ୍ର ଏବଂ ସର୍ପାକୃତି ବିନ୍ଦିର ଚାହିଦା ଅଧିକ ରହିଛି। ସେହିଭଳି ଏକାଧିକ ବିନ୍ଦିକୁ ନେଇ ପ୍ରସ୍ତୁତ ହୋଇଥିବା ଥାକଥାକିଆ ବିନ୍ଦିର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର