ବ୍ୟବହୃତ ଖାଇବା ତେଲରୁ ବାୟୋ ଡିଜେଲ୍‌ , ୨୦୦ ସହର ମଧ୍ୟରେ ଓଡ଼ିଶାର ୫

ଭୁବନେଶ୍ବର: ବ୍ୟବହୃତ ଖାଇବା ତେଲରୁ ବାୟୋ-ଡିଜେଲ ଉତ୍ପାଦନ କରିବା ଲାଗି ଆଗ୍ରହୀ ଉଦ୍ୟୋଗୀଙ୍କ ଠାରୁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ୍‌ (ଇଓଆଇ) ଆହ୍ବାନ କରାଯାଇଛି। ଦେଶର ୨୦୦ଟି ସହରକୁ ଏଥିପାଇଁ ଚିହ୍ନଟ କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ପାଞ୍ଚଟି ସହର ଭୁବନେଶ୍ବର, କଟକ, ପୁରୀ, ରାଉରକେଲା ଓ ବ୍ରହ୍ମପୁର ରହିଛି।

ବ୍ୟବହୃତ ଖାଇବା ତେଲରୁ ବାୟୋ ଡିଜେଲ୍ ଉତ୍ପାଦନ କରିବା ନିମନ୍ତେ ଇଓଆଇ ଆହ୍ବାନ ପ୍ରକ୍ରିୟାକୁ ଗତବର୍ଷ ଅଗଷ୍ଟରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିଥିଲେ। ଦେଶର ୨୦୦ଟି ସହର ପାଇଁ ତିନି ତେଲ କଂପାନି ଇଣ୍ଡିଆନ୍ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ୨୦୧୯ ଅଗଷ୍ଟରୁ ୨୦୨୦ ନଭେମ୍ବର ମଧ୍ୟରେ ମୋଟ ୧୧ ଇଓଆଇ ଆହ୍ବାନ କରିବେ। ଇତି ମଧ୍ୟରେ ଇଣ୍ଡିଆନ ଅଏଲ୍‌ ତିନିଟି ଇଓଆଇ ଆହ୍ବାନ କରିଥିବା ବେଳେ ଉଦ୍ୟୋଗୀଙ୍କ ଠାରୁ ୧୦ଟି ବିଡ୍‌ ହାସଲ କରିଛି। ସେମାନେ ‌ଦୈନିକ ମୋଟ ୪୩୨ ଟନ୍‌ର ବାୟୋ ଡିଜେଲ୍ ଉତ୍ପାଦନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆଜି ହୋଟେଲ୍ କ୍ରାଉନ୍ ପ୍ଲାଜାରେ ଏନେଇ ଏକ ରୋଡ୍ ସୋ’ ଆୟୋଜନ କରାଯାଇଥିଲା। ସେଥିରେ ୨୫୦ରୁ ଅଧିକ ଉଦ୍ୟୋଗୀ, ପ୍ରତିନିଧି, ଛାତ୍ରଛାତ୍ରୀ ଓ ପରିବହନକାରୀ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୋହିତ ମାଥୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଣ୍ଡିଆନ୍ ଅଏଲ୍‌ର ସିଜିଏମ୍ ଶୁଭୋଜିତ ଘୋଷ, ବିପିସିଏଲ୍‌ର ଇଡି (ବାୟୋ ଫୁଏଲ୍‌) ଏସ୍‌ ପଟ୍‌କେ, ଇଣ୍ଡିଆନ୍ ଅଏଲ୍‌ର ସିଜିଏମ୍ ଶାନ୍ତନୁ ଗୁପ୍ତା ଓ ଜିଏମ୍ ଏସ୍‌ କେ ରବି କୁମାର ଉପସ୍ଥିତ ଥିଲେ। ସାରା ଦେଶରେ ୨୦୨୦ ଜୁନ୍ ସୁଦ୍ଧା ୭ ରୋଡ୍ ସୋ’ ଆୟୋଜନ କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର