ସୁପ୍ରିମକୋର୍ଟରେ ପହଞ୍ଚିଲା ବିଟ୍‌କଏନ୍‌ ମାମଲା

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ଜଗତରେ କାରବାର ହେଉଥିବା ଅଦୃଶ୍ୟ ମୁଦ୍ରା ବିଟକଏନ୍‌କୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଛି। ଏହାର ଶୁଣାଣି ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନଓ୍ଵିଲକର ଏବଂ ଡି୍‌ ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ଆରମ୍ଭ ହୋଇଛି। ବିଟକଏନ୍‌ ଉପରେ କୋର୍ଟ ସରକାରଙ୍କ ମତ ମାଗିଛନ୍ତି। ଏହି ଅଦୃଶ୍ୟ ମୁଦ୍ରା ରାଜକୋଷ ପାଇଁ କିଭଳି ଉତ୍ତରଦୟୀ ତାହା ଜଣାଇବାକୁ କୋର୍ଟ ସରକାରଙ୍କୁ କହିଛନ୍ତି। କୋର୍ଟ ଏ ସମ୍ପର୍କରେ ଅର୍ଥ, ଆଇନ ଓ ନ୍ୟାୟ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସମେତ ସେବି ଏବଂ ଆର୍‌ବିଆଇର ମତ ଲୋଡ଼ିଛନ୍ତି। ବିଟକଏନ୍‌କୁ ନିୟନ୍ତ୍ରଣ କରିବା ପାଇଁ ଏକ କମିଟି ଗଠନ କରିବା ନିମନ୍ତେ ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି।

ଏହା ଉପରେ କୋର୍ଟ ଏହି ସବୁ ବିଭାଗ ଏବଂ ସଂସ୍ଥାଠାରୁ ମତାମତ ଲୋଡ଼ିଛନ୍ତି। ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟରେ ଏହା ଉପରେ ମତ କ’ଣ ତାହା ମଧ୍ୟ କୋର୍ଟ ଜାଣିବାକୁ ଚାହିଁଛନ୍ତି। ଆବେଦନକାରୀ ଆଇନଜୀବୀ ଦ୍ୱେପାୟନ ଭୌମିକ କହିଛନ୍ତି ଯେ ବିଦେଶରୁ ବିଟ୍‌କଏନ୍‌ ଖରିଦ କରିବା ପାଇଁ ଯେଉଁ ଟଙ୍କା ଖର୍ଚ କରାଯାଉଛି ତାହାକୁ ଆଦୌ ଠାବ କରାଯାଇପାରିବ ନାହିଁ। ବିନା କୌଣସି ଉତ୍ତରଦାୟିତ୍ୱରେ ଯେ କେହି ଏହି ଅଦୃଶ୍ୟ ମୁଦ୍ରାକୁ ବ୍ୟବହାର କରି ବାଣିଜ୍ୟ ଏବଂ ଆର୍ଥିକ କାରବାର କରିପାରିବେ। କେତେକ ରାଷ୍ଟ୍ରରେ ବିଟକଏନ୍‌କୁ ସେମାନଙ୍କ ଟିକସ ନିୟମରେ ସାମିଲ କରାଯାଇଛି। ଆଉ କେତେକ ରାଷ୍ଟ୍ର ଏହାକୁ ଏକ ସାମଗ୍ରୀର ମାନ୍ୟତା ପ୍ରଦାନ କରିଛନ୍ତି ଏବଂ ଏହା ଉପରେ ସରକାରୀ ନିୟମ ମଧ୍ୟ ଲାଗୁ କରିଛନ୍ତି। ମାତ୍ର ଏଭଳି କୌଣସି ବ୍ୟବସ୍ଥା ଏପର୍ଯ୍ୟନ୍ତ ଭାରତରେ ନାହିଁ।

ସମ୍ବନ୍ଧିତ ଖବର