ବିମାନ ଉତ୍ପାଦନ କମାଇଲା ବୋଇଂ

ନ୍ୟୁୟର୍କ:ବୋଇଂର ୨ଟି ୭୩୭ ମ୍ୟାକ୍ସ ବିମାନ ଦୁର୍ଘଟଣା ନିକଟରେ ହେବା ପରେ କମ୍ପାନି ଚଳିତମାସରୁ ଏହି ବିମାର ଉତ୍ପାଦନ କମାଇ ଦେଇଛି। ବୋଇଂ ପୂର୍ବରୁ ମାସକୁ ୫୨ଟି ୭୩୭ ମ୍ୟାକ୍ସ ବିମାନ ଉତ୍ପାଦନ କରୁଥିବାବେଳେ ଚଳିତମାସରୁ ଏହାକୁ ୪୨କୁ ହ୍ରାସ କରିଛି। ତେବେ ଏହି ଉତ୍ପାଦନ ହ୍ରାସ ଅସ୍ଥାୟୀ ଏବଂ ଏୟାରଲାଇନ୍ସ ଗୁଡ଼ିକ ସେମାନଙ୍କ ବିମାନ ଡେଲିଭରି ନେବାରେ ବିଳମ୍ବ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି କମ୍ପାନି ଉତ୍ପାଦନ କମାଇ ଦେଇଛି। ଅନ୍ୟପକ୍ଷରେ କମ୍ପାନି ଏହି ସମୟ ମଧ୍ୟରେ ୭୩୭ ମ୍ୟାକ୍ସ ବିମାନର ଫ୍ଲାଇଟ କଣ୍ଟ୍ରୋଲ ସଫ୍ଟଓୟାରରେ ରହିଥିବା ତ୍ରୁଟି ସୁଧାରିବା ଦିଗରେ କାର୍ଯ୍ୟ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଯେଭଳି ବଡ଼ ଧରଣର ଉତ୍ପାଦନ ହ୍ରାସ କରିବାକୁ ନହେବ ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହି ହ୍ରାସ କରାଯାଇଛି। ତେବେ କମ୍ପାନି ପୂର୍ବରୁ ମାସକୁ ୫୨ଟି ପରିବର୍ତ୍ତେ ୫୭ଟି ବିମାନ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଏହା ପ୍ରଭାବିତ ହେବ। ଦୁର୍ଘଟଣା ପରେ ବିଭିନ୍ନ ଦେଶର ବିମାନ ଚଳାଚଳ ନିୟାମକ ସଂସ୍ଥା ୭୩୭ ମ୍ୟାକ୍ସ ବିମାନ ଉଡ଼ାଣକୁ ବନ୍ଦ କରି‌ଛନ୍ତି। ଏହାଦ୍ବାରା ବୋଇଂ ବିମାନ ଡେଲିଭରି ସଂଖ୍ୟା ହ୍ରାସ ପାଇଛି। କମ୍ପାନି ୪୦୦ରୁ କମ୍ ‌ମ୍ୟାକ୍ସ ବିମାନ ଡେଲିଭରି ଦେଇଥିବାବେଳେ ୪୬୦୦ ବିମାନର ଅର୍ଡର ରହିଛି। ବିମାନ ଡେଲିଭରି ପ୍ରଦାନ ବିଳମ୍ବ ହେଲେ କମ୍ପାନିର ଆର୍ଥିକ ସ୍ଥିତି ପ୍ରଭାବିତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର