ଆଇସିଆଇସିଆଇ ବ୍ୟାଙ୍କରୁ ଚନ୍ଦାଙ୍କ ଇସ୍ତଫା, ବକ୍ସି ନୂଆ ସିଇଓ

21

ନୂଆଦିଲ୍ଲୀ: ଭିଡିଓକନ୍‌ ଋଣ ମାମଲାରେ ବିବାଦୀୟ ହୋଇପଡ଼ିଥିବାରୁ ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ସିଇଓ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଆଗୁଆ ଅବସର ଗ୍ରହଣ କରିବା ପାଇଁ ସେ ବୋର୍ଡକୁ ଅନୁରୋଧ କରିଥିଲେ। ତାଙ୍କ ପ୍ରସ୍ତାବକୁ ବୋର୍ଡ ଗ୍ରହଣ କରିନେଇଛି। ଏଥି ସହିତ ତାଙ୍କ ସ୍ଥାନରେ ସନ୍ଦୀପ ବକ୍ସିଙ୍କୁ ବ୍ୟାଙ୍କର ନୂଆ ପରିଚାଳନା ନିର୍ଦେଶକ ଓ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ବକ୍ସିଙ୍କୁ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ୨୦୨୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ।ପୁରୁଷ ପ୍ରାଧାନ୍ୟ ଆର୍ଥିକ ବଜା‌ରରେ ବିଶ୍ବର ଯେଉଁ କେତେ ଜଣ ମହିଳା ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଚନ୍ଦା। ଚନ୍ଦା ଓ ତାଙ୍କ ପରିବାର ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ବିଭିନ୍ନ ଏଜେନ୍ସି କରୁଛନ୍ତି। ବ୍ୟାଙ୍କ ପକ୍ଷରୁ ମଧ୍ୟ ଏହି ଅଭିଯୋଗର ସ୍ବାଧୀନ ଯାଞ୍ଚ କରାଯାଉଛି। ଚନ୍ଦାଙ୍କ ବିରୋଧରେ ‘ଦୋହରା ସ୍ବାର୍ଥ’ ଓ ‘ଲାଭ ବଦଳରେ ଲାଭ ପହଞ୍ଚାଇବା’ ଅଭିଯୋଗ ଆସିଛି। ଭିଡିଓକନ୍‌ ଋଣ ମାମଲାରେ ଚନ୍ଦା ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେଇଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଚନ୍ଦା ଓ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସବୁ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ମାତ୍ର ପରବର୍ତି ସମୟ ଏହି ମାମଲାକୁ ନେଇ ଅଧିକ ଚାପ ସୃଷ୍ଟି ହେବାରୁ ବ୍ୟାଙ୍କ ପକ୍ଷରୁ ମାମଲାର ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ଚନ୍ଦାଙ୍କୁ ଛୁଟିରେ ଯିବାକୁ କୁହାଯାଇଥିଲା।

ଚନ୍ଦାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରୁଛନ୍ତି ସେବି, ରିଜର୍ଭ ବ୍ୟାଙ୍କ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ। ଚନ୍ଦାଙ୍କ ସ୍ବାମୀ ଦୀପକଙ୍କ ବିରୋଧରେ ସିବିଆଇ ପ୍ରାରମ୍ଭିକ ଯାଞ୍ଚ ମାମଲା ଦାୟର କରି ତଦନ୍ତ କରୁଛି। ଚନ୍ଦାଙ୍କ ଦିଅର ରାଜୀବ କୋଚ୍ଚରଙ୍କୁ ମଧ୍ୟ ସିବିଆଇ ପଚରାଉଚୁରା କରିଛି। ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌କୁ ପ୍ରଦାନ କରାଯାଇଥିବା ୩୨୫୦ କୋଟି ଟଙ୍କାର ଋଣକୁ ନେଇ ଚନ୍ଦାଙ୍କ ଉପରକୁ ଆଙ୍ଗୁଳି ଉଠିଥିଲା। ହ୍ବିସି୍ଲ୍‌ ବ୍ଲୋୟର୍‌ ଅରବିନ୍ଦ ଗୁପ୍ତା ଏହି ମାମଲା ସାମ୍ନାକୁ ଆଣିଥିଲେ। ୧୯୮୪ ମସିହାରେ ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କରେ ପ୍ରବେଶ କରିଥିଲେ ଓ ୨୦୦୧ରେ ତାଙ୍କୁ ନିର୍ଦେଶକ ବୋର୍ଡରେ ସାମିଲ କରାଯାଇଥିଲା। ୨୦୦୯ରେ ତାଙ୍କୁ ଏମ୍‌ଡି ଓ ସିଇଓ ଦାୟିତ୍ବ ପ୍ରଦାନ କରାଯାଇଥିଲା। ସେହି ଦାୟିତ୍ବକୁ ସେ ଏବେ ପର୍ଯ୍ୟନ୍ତ ନିର୍ବାହ କରୁଥିଲେ।

ସମ୍ବନ୍ଧିତ ଖବର