ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ‘ଓଡ଼ିଶାରେ ଚାହିଦା ତୁଳନାରେ ସୁନା ଦୋକାନ ଅଧିକ’

ରାଜ୍ୟର ପ୍ରତିଷ୍ଠିତ ଗହଣା ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ ଓଡ଼ିଶାର ସୁନା ବଜାର, ଗ୍ରାହକଙ୍କ ପସନ୍ଦ ଓ ନିଜ ସଂସ୍ଥାର ସଂପ୍ରସାରଣ ଯୋଜନା ବିଷୟରେ ଏକ ସାକ୍ଷାତକାରରେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ଓଡ଼ିଶା ସୁନା ଗହଣା ବଜାର କେତେ ବଡ଼?
ରାଜ୍ୟର ସୁନା ବଜାର ଭିତରେ ଭୁବନେଶ୍ୱର ସବୁଠୁ ବଡ଼। ଅନ୍ୟ ସହର ଯଥା କଟକ, ବ୍ରହ୍ମପୁର, ବାଲେଶ୍ୱର, ଭଦ୍ରକ, ବାରିପଦା, ଅନୁଗୁଳ, ସମ୍ବଲପୁର ଓ ରାଉରକେଲା ସୁନା ବଜାର ମଧ୍ୟ ବେଶ ଉଲ୍ଲେଖନୀୟ ଓ ଆକର୍ଷଣୀୟ। କେବଳ ଭୁବନେଶ୍ୱରରେ ୧୧୦ରୁ ଅଧିକ ସୁନା ଦୋକାନ ରହିଛି। ଓଡ଼ିଶା ସୁନା ବଜାରର ଏକ ବିଶେଷତ୍ୱ ହେଉଛି ଏଠାରେ ଚାହିଦା ତୁଳନାରେ ଅଧିକ ସୁନା ଦୋକାନ ରହିଛି। ଓଡ଼ିଶାରେ ବର୍ଷକୁ ୩୦୦୦-୪୦୦୦ କେଜି ସୁନା ବିକ୍ରି ହୋଇଥାଏ। ସେଥି ମଧ୍ୟରୁ କେବଳ ଭୁବନେଶ୍ୱରରେ ହିଁ ୮୦%ରୁ ଅଧିକ ସୁନା ବିକ୍ରି ହୁଏ। ଲାଲଚାନ୍ଦ ବର୍ଷକୁ ପ୍ରାୟ ୧୦୦୦ କେଜି ସୁନା ବିକ୍ରି କରୁଛି।

ରାଜ୍ୟର ଗ୍ରାହକମାନେ କେଉଁ ସୁନା କିଣିବାକୁ ପସନ୍ଦ କରନ୍ତି?
ଆମ ରାଜ୍ୟର ସୁନା ବଜାର ଭିନ୍ନ ଧରଣର। ଏଠାରେ ଗ୍ରାହକମାନେ ହାଲୁକା ସୁନା କିଣିବାକୁ ଅଧିକ ପସନ୍ଦ କରନ୍ତି। ରାଜ୍ୟରେ ଉତ୍ସବ, ବିବାହ ଋତୁ, ଧନତେରସ୍, ଦୀପାବଳି ଏବଂ ଅକ୍ଷୟ ତୃତୀୟା ସମୟରେ ସର୍ବାଧିକ ପରିମାଣର ସୁନା ଗହଣା ବିକ୍ରି କରାଯାଏ। ଯେଉଁ ସଂସ୍ଥା ଗ୍ରାହକମାନଙ୍କୁ ଗଢ଼ା ମୂଲ୍ୟ ଉପରେ ଯେତେ ଆକର୍ଷଣୀୟ ଅଫର ପ୍ରଦାନ କରେ ତାହାର ଗହଣା ସେତେ ଅଧିକ ବିକ୍ରି ହୁଏ। ଆମେ ସର୍ବଦା ଗ୍ରାହକମାନଙ୍କୁ ଅଗ୍ରାଧିକାର ଦେଇଥାଉ ଏବଂ ସେମାନଙ୍କ ପାଇଁ ବର୍ଷତମାତ ବିଭିନ୍ନ ପ୍ରକାର ଅଫର ଘୋଷଣା କରି ସେମାନଙ୍କୁ ଉଲ୍ଲସିତ କରୁ। ସାଧାରଣ ଦିନଗୁଡ଼ିକରେ ଲାଲଚାନ୍ଦ ଜୁଏଲର୍ସ ଭଳି ବଡ଼ ସୋ’ରୁମ୍‌ରେ ୧୫୦-୨୦୦ ଗ୍ରାହକ ପ୍ରବେଶ କରିଥାନ୍ତି ଓ ପାଖାପାଖି ୫୦ ଲକ୍ଷ ଟଙ୍କାର କାରବାର ହୋଇଥାଏ। ମାତ୍ର ଅଫର ସମୟରେ ଗ୍ରାହକଙ୍କ ସଂଖ୍ୟା ଚାରି ଗୁଣ ବଢ଼ିଯାଏ। ଦିନକୁ ପ୍ରାୟ ୨ କୋଟି ଟଙ୍କାର କାରବାର ହୁଏ।

ସାରା ଦେଶରେ ସୁନା ଗହଣାର ହଲମାର୍କିଂ ବାଧ୍ୟତାମୂଳକ ହେବାକୁ ଯାଉଛି। ଏହା ସୁନା ବଜାରକୁ କିଭଳି ପ୍ରଭାବିତ କରିବ?
ଦେଖନ୍ତୁ, ଲାଲଚାନ୍ଦ ଜୁଏଲର୍ସରେ ବିକ୍ରି ହେଉଥିବା ସବୁ ଗହଣାରେ ହଲମାର୍କିଂ ରହିଛି। ଆମେ ବହୁ ବର୍ଷ ପୂର୍ବରୁ ଏହି ଧାରା ଆରମ୍ଭ କରିସାରିଛୁ।ଏହା ଆମକୁ କୌଣସି ପ୍ରକାରରେ ପ୍ରଭାବିତ କରିବ ନାହିଁ। ତେବେ ଏହା ଦ୍ୱାରା ଛୋଟ ସୁନା ଦୋକାନଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହେବେ। ଯେଉଁମାନେ ବିଶୁଦ୍ଧ ସୁନା ବିକ୍ରି କରୁନାହାନ୍ତି ସେଭଳି ଦୋକାନ ବନ୍ଦ ହୋଇଯିବାର ଆଶଙ୍କା ରହିଛି। ହଲମାର୍କିଂ ବାଧ୍ୟତାମୂଳକ ହେଲେ ସବୁଠୁ ଅଧିକ ଲାଭବାନ ହେବେ ଗ୍ରାହକ। ଲାଲଚାନ୍ଦ ଜୁଏଲର୍ସ ଗ୍ରାହକଙ୍କ ପାଇଁ ସର୍ବଦା ପ୍ରତିବଦ୍ଧ। ଆମର ସବୁ ପ୍ରକାର ଉଦ୍ୟମର କେନ୍ଦ୍ରରେ ରହିଥାନ୍ତି ଗ୍ରାହକ।

ଲାଲଚାନ୍ଦ ଜୁଏଲର୍ସର ବିକ୍ରିରେ ଅଭିବୃଦ୍ଧି କିଭଳି ରହିଛି? ସଂପ୍ରସାରଣର କ’ଣ ଯୋଜନା ରଖିଛନ୍ତି?
ବାର୍ଷିକ ଭିତିରେ ଆମର ଅଭିବୃଦ୍ଧି ହାର ୪୦% ଭଳି ଉଚ୍ଚ ସ୍ତରରେ ରହିଛି। ସଂପ୍ରସାରଣ କଥା କହିଲେ ମୁଁ ମନେ ପକାଇ ଦେବାକୁ ଚାହେଁ ଯେ ଆମେ ନିକଟରେ ରଘୁନାଥପୁରରେ ଏକ ବିଶାଳ ସୋ’ରୁମ୍ ଖୋଲିଛୁ। ରାଜ୍ୟର ଅନ୍ୟ ପ୍ରମୁଖ ବଜାର ଯଥା ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ବଲାଙ୍ଗୀରରେ ଥିବା ସମ୍ଭାବନାକୁ ଅନୁଧ୍ୟାନ କରୁଛୁ। ଆମେ ଯେଉଁଠାରେ ବି ଷ୍ଟୋର୍ ଖୋଲିବୁ ନିଜର ଜମିରେ ନିଜର କୋଠା ସ୍ଥାପନ କରି ଖୋଲିବୁ। ଆମେ ଓଡ଼ିଶାର ବ୍ରାଣ୍ଡ୍। ଓଡ଼ିଶାର ହୋଇ ରହିବାକୁ ଚାହୁଛୁ। ରାଜ୍ୟର ଗ୍ରାହକଙ୍କୁ ସୁନା ଗହଣା କିଣିବା ବେଳେ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବାକୁ ସର୍ବଦା ପ୍ରୟାସ କରୁଛୁ। ତେବେ ଫ୍ରାଞ୍ଚାଇଜି ମଡେଲ୍‌ରେ ମଧ୍ୟ ସଂପ୍ରସାରଣ କରିବା ପାଇଁ ଆମର ଯୋଜନା ରହିଛି। ସବୁ କିଛି ନୂତନ ବଜାରରେ ଥିବା ସମ୍ଭାବନା ଉପରେ ନିର୍ଭର କରୁଛି।

ରାଜ୍ୟର ଜଣେ ସଫଳ ଉଦ୍ୟୋଗୀ ଭାବେ ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଥିବା ରାଜ୍ୟର ଯୁବପିଢ଼ିଙ୍କ ପ୍ରତି ଆପଣ କ’ଣ ବାର୍ତା ଦେବେ?
ବ୍ୟବସାୟରେ ସଫଳ ହେବାକୁ ହେଲେ ତିନିଟି କାର୍ଯ୍ୟ ନିଶ୍ଚିତ କରିବାକୁ ପଡ଼ିବ। ତାହା ହେଉଛି କଠିନ ପରିଶ୍ରମ, କଠିନ ପରିଶ୍ରମ ଓ କଠିନ ପରିଶ୍ରମ। ପ୍ରାରମ୍ଭିକ ବିଫଳତାରେ କେବେବି ଧୈର୍ଯ୍ୟ ହରାଇବା ଅନୁଚିତ। ରାତି ପରେ ଦିନ ଏବଂ ଦିନ ପରେ ରାତି ଆସିବ। ଏହା ହେଉଛି ସ୍ବାଭାବିକ ପ୍ରକ୍ରିୟା। ଆମକୁ କିନ୍ତୁ ଉଦ୍ୟମ ଜାରି ରଖିବାକୁ ହେବ। କଠିନ ପରିଶ୍ରମ ଓ ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ।

ସମ୍ବା‌ଦର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱା‌ର୍ଡସ୍ ବିଷୟରେ ଆପଣଙ୍କ ମତ କ’ଣ?
ରାଜ୍ୟର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଭାବେ ସମ୍ବାଦ ତରଫରୁ ଏହା ଏକ ବହୁତ ଭଲ ପ୍ରୟାସ। ଏହା ରାଜ୍ୟରେ ଉଦ୍ୟମିତାର ପ୍ରସାର କରିବାରେ ବିଶେଷ ସହାୟକ ହେବ। ରାଜ୍ୟର ସଂସ୍ଥାଗୁଡ଼ିକ ଉତ୍ସାହିତ ହୋଇ ସେମାନଙ୍କ କାରବାରକୁ ଦେଶ ତଥା ବିଦେଶରେ ସଂପ୍ରସାରିତ କରିବାକୁ ଉଦ୍ୟମ କରିବେ। ସେମାନେ ଏହି ପୁରସ୍କାର ପାଇ ଉତ୍ସାହିତ ଓ ଉଲ୍ଲସିତ ମନେ କରିବେ। ଏହା ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା ପ୍ରଦାନ କରିବ। ଫଳରେ ନୂତନ ବଜାରରେ ସେମାନଙ୍କ ବ୍ୟବସାୟ ସଂପ୍ରସାରଣ ସହଜ ହୋଇପାରିବ।

ସମ୍ବନ୍ଧିତ ଖବର