ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ‘ଉଚ୍ଚ ମାନର ମେଡିକାଲ୍ ସେବା ପାଇଁ ଓଡ଼ିଶା ଏବେ ଅଗ୍ରଣୀ ସ୍ଥାନ’

ରାଜ୍ୟର ସ୍ବାସ୍ଥ୍ୟ ସେବାରେ ହୋଇଥିବା ଉନ୍ନତି, ଏକ୍ଷେତ୍ରର ଆହ୍ବାନ ଓ ଘରୋଇ ହସ୍ପିଟାଲଗୁଡ଼ିକ ନିର୍ବାହ କରୁଥିବା ଭୂମିକା ବି‌ଷୟରେ ଆପୋଲୋ ହସ୍ପିଟାଲର ଆଞ୍ଚଳିକ ସିଇଓ-କେନ୍ଦ୍ରୀୟ ଅଞ୍ଚଳ (ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼) ସୁଧୀର ଏମ୍‌ ଡିଗିକର୍‌ ଏକ ସାକ୍ଷାତକାରରେ ଯାହା କହିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ଓଡ଼ିଶାରେ ହସ୍ପିଟାଲ ଓ ଚିକିତ୍ସା ଶିଳ୍ପ କିଭଳି ଭାବେ ଆଗକୁ ବଢ଼ୁଛି? ତାହା ସନ୍ତୋଷଜନକ କି?
ବର୍ତ୍ତମାନର ଅଭିବୃଦ୍ଧି ହାର ବେଶ ଉତ୍ସାହଜନକ। ଯଦି ବିଗତ ଦଶନ୍ଧୀକୁ ଚଳିତ ଦଶନ୍ଧୀ ସହ ତୁଳନା କରାଯିବ ତେବେ ଆମେ ବହୁତ ଆଗକୁ ବଢ଼ିଛେ ବୋଲି କୁହାଯାଇପାରିବ ଯାହା ବେଶ ପ୍ରଶଂସାଯୋଗ୍ୟ ମଧ୍ୟ। ଓଡ଼ିଶାର ‌ସ୍ବାସ୍ଥ୍ୟ ସେବା ଶିଳ୍ପ ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା କ୍ଷେତ୍ର। ଉଚ୍ଚ ମାନର ମେଡିକାଲ ସେବା ଲାଗି ଏହି ରାଜ୍ୟ ଏକ ଅଗ୍ରଣୀ ସ୍ଥାନ ଭାବେ ଉଭା ହୋଇଛି ଯେଉଁଠାରେ ଅତ୍ୟାଧୁନିକ ମେଡିକାଲ ସେବାରେ ବିପୁଳ ପୁଞ୍ଜିନିବେଶ କରାଯାଇଛି, ଫଳରେ ବହୁତ ସଂଖ୍ୟକ ଲୋକ ଏହା ଦ୍ବାରା ଲାଭବାନ ହେଉଛନ୍ତି। ଓଡ଼ିଶାର ଲୋକମାନେ ମଧ୍ୟ ସ୍ବାସ୍ଥ୍ୟକୁ ନେଇ ବେଶ ସଚେତନ ହୋଇପାରିଛନ୍ତି।

ରାଜ୍ୟର ଜନସଂଖ୍ୟା ୪ କୋଟିରୁ ଅଧିକ। ଲୋକମାନଙ୍କୁ ସୁବିଧାରେ ଚିକିତ୍ସା ସେବା ପ୍ରଦାନ କରିବା ଲାଗି କେତେ ସଂଖ୍ୟକ ହସ୍ପିଟାଲ ଶଯ୍ୟା ଆବଶ୍ୟକ?
ଚାହିଦା ଓ ଯୋଗାଣ ଭିତରେ ବହୁତ ଅନ୍ତର ଅଛି। ତାହାକୁ ଦୂର କରିବା ଲାଗି ସରକାର ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି। ରାଜ୍ୟର ସୁଲଭ ସ୍ବାସ୍ଥ୍ୟ ସେବା ପ୍ରକଳ୍ପ ହେଉଛି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତର ସର୍ବବୃହତ ଘରୋଇ ସରକାରୀ ସହଭାଗିତା ପ୍ରକଳ୍ପ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠୁ ବଡ଼ ଆହ୍ବାନ ହେଉଛି କୁଶଳୀ ମାନବ ସମ୍ବଳର ଉପଲବ୍ଧତା। ସ୍କିଲଡ୍‌ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ସେହି ଅଭାବ ଅନେକାଂଶରେ ଦୂର ହୋଇଛି। ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଲାଗି କାର୍ଯ୍ୟକାରୀ ହୋଇଥିବା ଆରଏସବିୱାଇ, ବିକେକେୱାଇ ଓ ଓଏସ୍‌ଟିଏଫ୍ ଭଳି ସ୍କିମ୍‌ ଦ୍ବାରା ଅନେକ ଲୋକ ଉପକୃତ ହେଉଛନ୍ତି।

ଆପୋଲୋ ହସ୍ପିଟାଲ ଓଡ଼ିଶାର ସ୍ବାସ୍ଥ୍ୟ ସେବା ଦୃଶ୍ୟପଟ୍ଟ ବଦଳାଇପାରିଛି କି?
ନିଶ୍ଚିତ ରୂପେ, ଆପୋଲୋ ହସ୍ପିଟାଲ୍‌ ଭୁବନେଶ୍ବର ଏକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସରକାରୀ ହସ୍ପିଟାଲଗୁଡ଼ିକର ମଧ୍ୟ ଏଦିଗରେ ଗୁରୁତ୍ବପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି। ଏହି ହସ୍ପିଟାଲଗୁଡ଼ିକରେ ଅନେକ ଅଭିଜ୍ଞ ଓ ପ୍ରତିଭାବାନ ଡାକ୍ତର ରହିଛନ୍ତି ଯଦ୍ବାରା ସ୍ବାସ୍ଥ୍ୟ ସେବାର ଦୃଶ୍ୟପଟ୍ଟ ବେଶ ଉନ୍ନତ ହୋଇପାରିଛି। ଆପୋଲୋ ହସ୍ପିଟାଲ୍‌ରେ ଆମେ ଆଧୁନିକ ଓ ପ୍ରଯୁକ୍ତି ଭିତ୍ତିକ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ଉପରେ ଅଧିକ ଗୁରୁତ୍ବ ଦେଇ ଆମ ଦାୟିତ୍ବ ନିର୍ବାହ କରୁଛୁ।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ୍‌ ବିଷୟରେ ଆପଣଙ୍କ ମତ କ’ଣ?
ସମ୍ବାଦର ଏହି ଅଭିଯାନ ଓଡ଼ିଶାର ଆଧୁନିକ ଶିଳ୍ପର ସ୍ଥପତି ଏବଂ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବ। ଆମ ସମସ୍ତଙ୍କୁ ଭବିଷ୍ୟତର ନେତୃତ୍ବ ନେବା ଲାଗି ଏହି ପୁରସ୍କାର ଅନୁପ୍ରାଣିତ କରିବାରେ ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ ବୋଲି ମୁଁ ଦୃଢ଼ ନିଶ୍ଚିତ। ଏହି ପୁରସ୍କାର ଓଡ଼ିଶାରେ ଉଦ୍ୟମିତାକୁ ନେଇ ରହିଥିବା ଉତ୍ସାହକୁ ଉପସ୍ଥାପିତ କରୁଛି। ଆଗାମୀ ବର୍ଷଗୁଡ଼ିକର ଉଦ୍ୟମ ପାଇଁ ମୁଁ ଶୁଭକାମନା ଜଣାଉଛି।

ସମ୍ବନ୍ଧିତ ଖବର