ବ୍ରାଣ୍ଡସ୍‌ ଅଫ୍ ଇଣ୍ଡିଆ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ଚିଙ୍ଗୁଡ଼ି କାରବାରରେ କୌଣସି ମାନ୍ଦାବସ୍ଥା ନାହିଁ’

ସିଫୁଡ୍‌ ରପ୍ତାନି, ରିଅଲ ଇଷ୍ଟେଟ୍‌ ଓ ଇସ୍ପାତ କାରବାରରେ ସକ୍ରିୟ ଥିବା ୨୦୦୦ କୋଟି ଟଙ୍କାର ଫାଲ୍‌କନ୍‌ ଗ୍ରୁପ୍‌ ମୁଖ୍ୟ ତାରା ରଞ୍ଜନ ପଟ୍ଟନାୟକ ଚିଙ୍ଗୁଡ଼ି ବ୍ୟବସାୟ, ଏହି କ୍ଷେତ୍ରରେ ରହିଥିବା ଆହ୍ବାନ ଓ ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ବିଷୟରେ ଏକ ସାକ୍ଷାତକାରରେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ସିଫୁଡ୍‌ ବଜାର କିଭଳି ରହିଛି? କେଉଁ ରାଜ୍ୟଗୁଡ଼ିକ ଏଥିରେ ଅଧିକ ସକ୍ରିୟ ଅଛନ୍ତି?
ଓଡ଼ିଶା ସମେତ ଭାରତର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସିଫୁଡ୍‌ ପାଇଁ ସବୁଠୁ ବଡ଼ ବଜାର ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଏହା ବ୍ୟତୀତ ୟୁରୋପ ଏବଂ ଚୀନ୍‌ରେ ମଧ୍ୟ ଭାରତୀୟ ସିଫୁଡ୍‌ର ଚାହିଦା ରହିଛି। ଆମ ଦେଶରେ ଉପକୂଳ ରାଜ୍ୟଗୁଡ଼ିକ ଯଥା ଓଡ଼ିଶା, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଏହି କାରବାରରେ ଅଧିକ ସକ୍ରିୟ ଅଛନ୍ତି। ସାରା ଦେଶର ବଜାରକୁ ଓଡ଼ିଶାର ଅବଦାନ ହେଉଛି ପାଖାପାଖି ୩୦୦୦ କୋଟି ଟଙ୍କା। କେବଳ ଫାଲ୍‌କନ୍‌ ୧୪୦୦ କୋଟି ଟଙ୍କାର କାରବାର କରୁଛି।

ଓଡ଼ିଶାରେ କେତେ ସିଫୁଡ୍‌ ଉତ୍ପାଦନ ହେଉଛି?
ଏବେ ରାଜ୍ୟରେ ବାର୍ଷିକ ଉତ୍ପାଦନ ୫୦-୬୦ ହଜାର ଟନ୍‌ ରହିଛି। ତେବେ ବିଗତ ଚାରି ବର୍ଷ ଭିତରେ ଉତ୍ପାଦନ ଏହି ସ୍ତରରେ ଏକ ପ୍ରକାର ସ୍ଥିର ହୋଇଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଚାହିଦା ହ୍ରାସ ପାଇଥିବାରୁ ସିଫୁଡ୍‌ର ମୂଲ୍ୟ ହ୍ରାସ ପାଇଛି। ସେଥିପାଇଁ କେବଳ ଫାଲ୍‌କନ୍‌ର କାରବାର ପ୍ରାୟ ୨୦୦ କୋଟି ଟଙ୍କା ପ୍ରଭାବିତ ହୋଇଛି। ଯଦିଓ ଏହି ସ୍ଥିତିରେ ସୁଧାର ଦେଖାଦେଇଛି, ମାତ୍ର ତାହା ଏପର୍ଯ୍ୟନ୍ତ ପୂର୍ବ ଭଳି ଉଚ୍ଚ ଅଭିବୃଦ୍ଧି ସ୍ତରକୁ ଫେରିନାହିଁ। ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନିକାରୀମାନେ ଭାଇଜାଗ୍ ଓ କୋଲକାତା ବନ୍ଦର ଦେଇ ସେମାନଙ୍କ ଉତ୍ପାଦ ରପ୍ତାନି କରୁଛନ୍ତି। ଓଡ଼ିଶା ବନ୍ଦରଗୁଡ଼ିକରେ ଏଥିପାଇଁ ବ୍ୟବସ୍ଥା ବିକଶିତ ହୋଇପାରିନାହିଁ।

ଏହି କ୍ଷେତ୍ର ପାଇଁ ରହିଥିବା ସମସ୍ୟାଗୁଡ଼ିକ କ’ଣ?
ସିଫୁଡ୍‌ ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନୀତି ରହିଛି। ତାହା ବହୁତ ଭଲ। କିନ୍ତୁ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ। ବିଦ୍ୟୁତ ସଂଯୋଗ‌େର ସମସ୍ୟା ରହିଛି। ଧାମରା, ବାଲେଶ୍ବର, ଜଗତସିଂହପୁର, ପୁରୀ ଓ ଅସ୍ତରଙ୍ଗ ଆଦି ସ୍ଥାନରେ ଥିବା କ୍ଲଷ୍ଟର୍‌ଗୁଡ଼ିକ ପାଇଁ ଭଲ ସଡ଼କ ନାହିଁ। ଜମି ଲିଜ୍‌ ନୀତିରେ ମଧ୍ୟ ସମସ୍ୟା ରହିଛି।

ଅର୍ଥନୀତିରେ ମାନ୍ଦାବସ୍ଥା ରହିଥିବା କଥାକୁ ଆପଣ ମାନୁଛନ୍ତି କି?
ଚିଙ୍ଗୁଡ଼ି କାରବାରରେ କୌଣସି ମାନ୍ଦାବସ୍ଥା ନାହିଁ। ଏହା ମୁଁ ନିଶ୍ଚିତ ଭାବେ କହିପାରିବି। ମାତ୍ର ଆମର ଇସ୍ପାତ ଓ ରିଅଲ ଇଷ୍ଟେଟ୍‌ କାରବାରରେ ମାନ୍ଦବସ୍ଥାର ପ୍ରଭାବ ରହିଛି। ଏହି ଦୁଇ ବଜାରରେ ସାମଗ୍ରୀର ଦାମ୍ କମିଥିବାରୁ ବ୍ୟାବସାୟିକ ସଂସ୍ଥାଗୁଡ଼ିକ କାରବାର ଓ ଲାଭ ପ୍ରଭାବିତ ହୋଇଛି। ଲୋକଙ୍କ ପାଖରେ ଟଙ୍କା ନାହିଁ। ଦାମ୍‌ ଆହୁରି କମିବ ବୋଲି ସେମାନେ ଅପେକ୍ଷା କରିଛନ୍ତି। ରିଅଲ ଇଷ୍ଟେଟ୍‌ରେ ସୁଧାରର ବହୁତ କମ୍ ସମ୍ଭାବନା ରହିଛି। ଏହି ସ୍ଥିତିରେ କେବେ ସୁଧାର ହେବ ତାହା ମୁଁ କହିପାରିବି ନାହିଁ। ‌ସବୁ କିଛି ସରକାରଙ୍କ ପଦକ୍ଷେପ ଉପରେ ନିର୍ଭର କରୁଛି। ଅର୍ଥନୀତିରେ ସୁଧାର ହେଲେ ରିଅଲ ଇଷ୍ଟେଟ୍‌ ଶିଳ୍ପରେ ସୁଧାର ହେବ।

ଆପଣଙ୍କ ଚିଙ୍ଗୁଡ଼ି ଖାଦ୍ୟ କାରବାରର ପ୍ରଦର୍ଶନ କିଭଳି ରହିଛି?
ଖୋର୍ଦ୍ଧାର ଟାଙ୍ଗି ଠାରେ ଆମର ୪୦ ହଜାର ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ରହିଛି। ଆମେ ଏଠାରୁ ଉତ୍ପାଦିତ ଖାଦ୍ୟକୁ ଓଡ଼ିଶା ସମେତ ଗୁଜରାଟ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ବିକ୍ରି କରୁଛୁ। ଏହା ଏବେ ୩୦୦ କୋଟି ଟଙ୍କାର ବଜାର। ଆଗାମୀ ଦିନରେ ଆମେ ଏହି କାରଖାନାର ଉତ୍ପାଦନ କ୍ଷମତାକୁ ୧,୦୦,୦୦୦ ଟନ୍‌ରେ ପହଞ୍ଚାଇବାକୁ ଓ ଚିଙ୍ଗୁଡ଼ି ଖାଦ୍ୟ ବାଲାଂଦେଶ ଓ ୟୁଏଇକୁ ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛୁ।

ଇସ୍ପାତ ଶିଳ୍ପରେ କ’ଣ ସମସ୍ୟା ରହିଛି?
ଉତ୍ପାଦର ଦାମ୍ କମିଥିବା ବେଳେ କଞ୍ଚାମାଲ୍ ଦର ବହୁତ ବଢ଼ିଯାଇଛି। ସ୍ଥିତି ଏଭଳି ହୋଇଛି ଯେ ଉତ୍ପାଦନ ଖର୍ଚ୍ଚ ତୁଳନାରେ ବିକ୍ରି ଦାମ୍ ୬୦୦୦ ଟଙ୍କା କମ୍ ରହୁଛି। ଆମର ୧,୦୦,୦୦୦ ଟନ୍‌ କ୍ଷମତା ବିଶିଷ୍ଟ ବିଲେଟ୍‌ କାରଖାନା ରହିଛି। ଖଣି ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ମଧ୍ୟ ଆମର ଯୋଜନା ରହିଛି। ଆମେ ବିଲେଟ୍‌କୁ ଦିଲ୍ଲୀ, ପଞ୍ଜାବ, ବିହାର, ନେପାଳ ଓ ପଶ୍ଚିମବଙ୍ଗକୁ ପଠାଉଛୁ।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଇଣ୍ଡିଆ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ବିଷୟରେ ଆପଣଙ୍କ ମତ କ’ଣ?
ଏହା ଏକ ବହୁତ ଭଲ ଅଭିଯାନ। ଏହା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବ। ଭଲ କାର୍ଯ୍ୟ କରିବା ଲାଗି ଅନୁପ୍ରାଣିତ କରିବ। ଏହି ପୁରସ୍କାର ଦ୍ବାରା ଉଦ୍ୟୋଗୀମାନେ ଏକ ବଳିଷ୍ଠ ସ୍ବୀକୃତି ପାଇବେ। ଅନ୍ୟ ଉଦ୍ୟୋଗୀମାନେ ମଧ୍ୟ ବ୍ୟବସାୟରେ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ ହେବେ। ଯେଉଁମାନେ ପୁରସ୍କାର ପାଉଛନ୍ତି ସେମାନଙ୍କୁ ରୋଲ୍‌ ମଡେଲ୍‌ ଭାବେ ବିବେଚନା କରିବେ।

ସମ୍ବନ୍ଧିତ ଖବର