୫୦ ନୂଆ ଉତ୍ପାଦ ଆଣିବ ବ୍ରିଟାନିଆ

ଭୁବନେଶ୍ୱର: ବିସ୍କୁଟ ବଜାରର ଲୋକପ୍ରିୟ ନାମ ବ୍ରିଟାନିଆ କାରବାରର ୧୦୦ତମ ବର୍ଷ ପାଳନ କରୁଛି। ଏହାକୁ ଦୃଷ୍ଟିରେ ରଖି କଂପାନି ପକ୍ଷରୁ କୋଲକାତାଠାରେ ବ୍ରିଟାନିଆର ନୂଆ ଲୋଗୋ ଉନ୍ମୋଚନ କରାଯାଇଛି।
ବ୍ରିଟାନିଆର ଅଧ୍ୟକ୍ଷ ନୁସ୍‌ଲି ଓ୍ଵାଡିଆ କହିଛନ୍ତି ଯେ, ଆମେ ଆଗାମୀ ଦିନରେ ୫୦ ନୂଆ ଉତ୍ପାଦ ଆଣିବ। ଖୁବ୍‌ଶୀଘ୍ର ବ୍ରିଟାନିଆର କ୍ରୋଇସେନ୍‌ ବଜାରକୁ ଆସିବ। ଏଥିପାଇଁ ଗ୍ରିସ୍‌ର ସଂସ୍ଥା ଚିପିଟା ସହିତ ବ୍ରିଟାନିଆ ହାତ ମିଳାଇଛି।
ବିସ୍କୁଟ ବଜାରରେ ୩୩% ବଜାର ଅଂଶ ସହିତ ବ୍ରିଟାନିଆ ନିଜକୁ ଅଗ୍ରଣୀ ବୋଲି ଦାବି କରୁଛି। କଂପାନିର ଏମ୍‌ଡି ବରୁଣ ବେରି କହିଛନ୍ତି ଯେ, ବିକ୍ରି ପରିମାଣ ଦୃଷ୍ଟିରୁ ଏବେବି ପାର୍ଲେ-ଜି ଏକ ନମ୍ବର ସ୍ଥାନରେ ରହିଛି। ବ୍ରିଟାନିଆର ଗୁଡ୍‌ଡେ ଏହା ପଛରେ ରହିଛି। ଆଗାମୀ ଦୁଇ ତିନି ବର୍ଷରେ ଏହା ପାର୍ଲେ-ଜିକୁ ଟପିଯିବ ବୋଲି ସେ ଆଶା ପୋଷଣ କରିଛନ୍ତି। ବ୍ରିଟାନିଆ ନିଜକୁ କେବଳ ବିସ୍କୁଟ ଓ କେକ୍‌ ଆଦି ଉତ୍ପାଦ ଭିତରେ ସୀମିତ ରଖିବାକୁ ଚାହୁଁନାହିଁ। ଏହା ଏକ ସ୍ୱୟଂସମ୍ପୂର୍ଣ୍ଣ ଖାଦ୍ୟ ପଦାର୍ଥ କଂପାନି ଭାବେ ଉଭା ହେବାକୁ ଚାହୁଁଛି। ଅନ୍ୟ କଂପାନି ଅଧିଗ୍ରହଣ କରିବା ବିଷୟରେ ଏହା ବିଚାର କରୁଛି। ଅଧିକରୁ ଅଧିକ ବଜାରରେ ମଧ୍ୟ କଂପାନି ପ୍ରବେଶ କରିବାକୁ ଚାହୁଁଛି। କୋଲକାତାରେ ବ୍ରିଟାନିଆର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେଥିରେ ଘୋଷଣା କରାଯାଇଛି ଯେ କଂପାନିର ଲାଭ ୧୨୯୦ କୋଟି ଟଙ୍କା ହୋଇଛି। ମହାରାଷ୍ଟ୍ରରେ କଂପାନି ଏକ ଡେରି ପ୍ଲାଣ୍ଟ୍‌ ବସାଇବାକୁ ଯୋଜନା ରଖିଥିଲା। କିନ୍ତୁ ସେଠାରେ ପ୍ରୋତ୍ସାହନ ମିଳିବାରେ ବିଳମ୍ବ ହେଉଥିବାରୁ ତାହାକୁ ଆନ୍ଧ୍ର ପ୍ରଦେଶ ଉଠାଇ ନେବା ଉପରେ ବ୍ରିଟାନିଆ ବିଚାର କରୁଛି।

ସମ୍ବନ୍ଧିତ ଖବର