ମାତ୍ର ୪୯୯ ଟଙ୍କାରେ ମିଳୁଛି ବିଏସ୍‌ଏନ୍‌ଏଲ୍‌ କନେକ୍ସନ ସହ ଏହି ଫୋନ୍‌

ନୂଆଦିଲ୍ଲୀ:  ଦେଶରେ ଏବେ ଟେଲିକମ ବଜାର ବେଶ ପ୍ରତିଯୋଗିତାମୂଳକ ରହିଛି । ମୁକେଶ ଅମ୍ବାନିଙ୍କ କମ୍ପାନି ଜିଓ ଆସିବା ପରେ ଏହି ପ୍ରତିଯୋଗିତା ବେଶ ତୀବ୍ର ହୋଇଛି । ଜିଓର ଶସ୍ତା ଡାଟା ଓ ହାଣ୍ଡସେଟ୍‌ର ମୁକାବିଲା ଲାଗି ଏୟାରଟେଲ, ଭୋଡ଼ାଫୋନ ଆଦି ଅନ୍ୟ କମ୍ପାନି ଶସ୍ତା ପ୍ଲାନ ଓ ହ୍ୟାଣ୍ଡସେଟ୍‌ ବଜାରକୁ ଛାଡୁଛନ୍ତି । ଏବେ ଏହି ପ୍ରତିଯୋଗିତାରେ ଯୋଗ ଦେଇଛି ରାଷ୍ଟ୍ରାୟତ ଟୋଲିକମ ସେବା କମ୍ପାନି ବିଏସଏନଏଲ । କମ୍ପାନି ପକ୍ଷରୁ ଡିଟେଲ୍‌ ନାମକ ଭାରତୀୟ ଫିଚର ଫୋନ କମ୍ପାନି ସହ ମିଶି ମାତ୍ର ୪୯୯ ଟଙ୍କାରେ ଏକ ଫିଚର ଫୋନ ବଜାରକୁ ଛଡ଼ାଯାଇଛି ।   ଗ୍ରାହକମାନେ ୪୯୯ ଟଙ୍କାରେ ଡିଟେଲ୍‌ ଡି୧ ଫିଚର ଫୋନ ଓ ବିଏସଏନଏଲ କନେକ୍ସନ ପାଇ ପାରିବେ । ଏହି ଫୋନ କିଣିଥିବା ଗ୍ରାହକମାନେ ୧୦୩ ମିନିଟର ଟକ୍‌ ଟାଇମ ପାଇପାରିବେ । ବିଏସଏନଏଲରୁ ବିଏସଏନଏଲ୍‌କୁ ୧୫ ପଇସା ପ୍ରତି ସେକେଣ୍ଡ ଓ ଅନ୍ୟମୋବାଇଲ କୁ ୪୦ ପଇସା ପ୍ରତି ସେକେଣ୍ଡ ଦରରେ କଥା ହୋଇପାରିବେ ।

ଡିଟେଲ୍‌ ଡି୧ ଫୋନଟି ଏକ ସିଙ୍ଗଲ ସିମ୍‌ ଟୁଜି ଫୋନ । ଏଥିରେ ୧.୪୪ ଇଞ୍ଚ୍‌ ମନୋକ୍ରୋମ୍‌ ଡିସପ୍ଲେ ଓ ୬୫୦ ଏମଏଏଚ୍‌ ବ୍ୟାଟେରୀ ରହିଛି । ଏଥିରେ ମଧ୍ୟ ଟର୍ଚଲାଇଟ୍‌, ଫୋନବୁକ, ଏଫଏମରେଡିଓ  ରହିଛି ।

ଆଜିକାଲି ସ୍ମାର୍ଟଫୋନ  ବ୍ୟବହାର ବଢିଥିଲେ ମଧ୍ୟ ଗ୍ରାହକମାନେ ଏକ ଷ୍ଟାଣ୍ଡବାଏ ଫୋନ ରଖିବାକୁ ପସନ୍ଦ କରୁଛନ୍ତି । ଏହା ମାଧ୍ୟମରେ କେବଳ କଥା ହୋଇହେବ ଓ ବ୍ୟାଟେରୀ ଚାର୍ଜ ଅଧିକ ସମୟ ଧରି ରହିବ । ଅନ୍ୟପକ୍ଷରେ ଏପରି ଶସ୍ତା ଫୋନ ମାଧ୍ୟମରେ ବିଏସଏନଏଲ ଅଧିକରୁ ଅଧିକ ଲୋକଙ୍କୁ ଟେଲିକମ ସେବା ମଧ୍ୟକୁ ଆଣିବାକୁ ଲକ୍ଷ୍ୟ ରଖିଛି ।

 

ସମ୍ବନ୍ଧିତ ଖବର