ବିଏସ୍‌ଏନ୍‌ଏଲ୍‌ ୫୪ ହଜାର କର୍ମଚାରୀ ଛଟେଇ କରିବ

ଅବସର ବୟସ ୫୮କୁ ଖସିବ ବୟସ ୫୦ ଟପିଥିବା କର୍ମଚାରୀଙ୍କୁ ଭିଆର୍‌ଏସ୍‌

ନୂଆଦିଲ୍ଲୀ: ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ସରକାରୀ ଦୂରସଂଚାର କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ଏହାର ସ୍ଥିତିରେ ସୁଧାର ଆଣିବା ପାଇଁ ‌କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। କଂପାନି ଏହାର ୫୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଏବେ ନୁହେଁ, ନିର୍ବାଚନ ପରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ।
ବିଏସ୍‌ଏନ୍‌ଏଲ୍‌ରେ ୧ ଲକ୍ଷ ୭୪ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି ଯାହା ଘରୋଇ ମୋବାଇଲ୍ କଂପାନିଗୁଡ଼ିକର ମୋଟ କର୍ମଚାରୀ ସଂଖ୍ୟା ତୁଳନାରେ ଅନେକ ଗୁଣ ଅଧିକ। କଂପାନିର ସ୍ଥିତିରେ ସୁଧାର ଆଣିବାକୁ ଏକ ବିଶେଷଜ୍ଞ କମିଟି ୧୦ଟି ପ୍ରସ୍ତାବ ଦେଇଥିଲା। ସେଥି ମଧ୍ୟରୁ ତିନିଟି ପ୍ରସ୍ତାବକୁ କଂପାନିର ବୋର୍ଡ ଗ୍ରହଣ କରିଛନ୍ତି। ତାହା ହେଉଛି ୫୪ ହଜାର କର୍ମଚାରୀଙ୍କୁ ଛଟେଇ କରିବା, ଅବସର ବୟସ ସୀମାକୁ ୬୦ ବର୍ଷରୁ କମାଇ ୫୮ ବର୍ଷ କରିବା ଏବଂ ୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ପ୍ରଦାନ କରିବା। ବିଏସ୍‌ଏନ୍‌ଏଲ୍‌କୁ ଖୁବ୍‌ଶୀଘ୍ର ୪ଜି ସ୍ପେକ୍ଟ୍ରମ ଆବଣ୍ଟନ କରିବା ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। କର୍ମଚାରୀ ସଂଖ୍ୟା କମିଗଲେ ଆଗାମୀ ୬ ବର୍ଷରେ କଂପାନି ମୋଟ ୧୩, ୮୯୫ କୋଟି ଟଙ୍କା ସଞ୍ଚୟ କରିପାରିବ।
ବିଏସ୍ଏନ୍‌ଏଲ୍‌ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହାର କର୍ମଚାରୀଙ୍କୁ ଦରମା ଦେଇପାରୁନାହିଁ। ନିଜ ସ୍ଥିତିରେ ସୁଧାର ଆଣିବା ପାଇଁ ସହାୟତା ପ୍ରଦାନ କରିବାକୁ ଏହା ସରକାରଙ୍କୁ କହିଛି। ସରକାର ଏପର୍ଯ୍ୟନ୍ତ ଏଦିଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିନାହିଁ।

ସମ୍ବନ୍ଧିତ ଖବର